ତା’ପରେ ବିରାଳମୁଖ କୁମ୍ଭୀର ଆଜି ଯେଉଁ ଜାମୁକୋଳି ଖାଇଲା ସେଥିରେ ସେ ସନ୍ତୁଷ୍ଟ ହେବାରୁ ସେ ପ୍ରତିଦିନ ଜାମୁକୋଳି ଖାଇବା ନିମନ୍ତେ ସେଠାକୁ ଆସିଲା । ଏହାଦ୍ୱାରା ଦୁହିଁଙ୍କ ମଧ୍ୟରେ ଖୁବ୍ ପ୍ରିୟତା ବା ବଂଧୁତା ବଢ଼ିବାକୁ ଲାଗିଲା ।
ଏହିପରି ତିନୋଟି ଦିନ ବିତିଯାଇଛି । ବିରାଳମୁଖ କୁମ୍ଭୀର, ରକ୍ତମୁଖର ଜାମୁକୋଳି ନିଜେଖାଇବା ସହିତ ପ୍ରତିଦିନ କିଛି କିଛି ଘରକୁ ନେଇଯାଇ ଏବଂ ସ୍ତ୍ରୀଙ୍କୁ ଖାଇବାକୁ ଦେଲା ।
କୁମ୍ଭୀରର ସ୍ତ୍ରୀ ଯେତେବେଳେ ପ୍ରତିଦିନ ଏପରି ସୁସ୍ୱାଦୁ ତଥା ଅମୃତ ତୁଲ୍ୟ ଜାମୁକୋଳି ଖାଇଲା, ତାହା କେଉଁଠାରୁ ଆସିଲା ଏହାକୁ କିଏ ଦେଇଛି, ସ୍ତ୍ରୀ ହିସାବରେ ତା’ର ସ୍ୱାମୀ ବିରାଳମୁଖକୁ ପଚାରିଲା – ସ୍ୱାମୀ ତୁମେ ଏହି ଅମୃତମୟ ପାଚିଲାଫଳଗୁଡ଼ିକ କେଉଁଠାରୁ ପାଇଲ?
ସ୍ତ୍ରୀଙ୍କ ଠାରୁ ଏକଥା ଶୁଣି ବିରାଳମୁଖ କୁମ୍ଭୀର ତା’ର ସ୍ତ୍ରୀଙ୍କୁ କହିଲା, ହେ ପ୍ରିୟେ, ଏଥି ମଧ୍ୟରେ ମୋର ଜଣେ ଶ୍ରେଷ୍ଠ ବଂଧୁ ହୋଇଛନ୍ତି । ରକ୍ତମୁଖ ବାନର ଭାବରେ ତାହାର ପରିଚୟ । ମୁଁ ପ୍ରତିଦିନ ସେହିଠାକୁ ଯାଉଥିବାରୁ ସେ ମୋତେ ଏହି ଜାମୁକୋଳି ଖାଇବାକୁ ଦେଇଥାଏ । ମୁଁ ତା’ର ବହୁତ ସ୍ନେହକୁ ଭାଙ୍ଗିପାରେ ନାହିଁ, ପେଟପୁରା ଖାଇବାପରେ ଆଉ କିଛି ତୁମଲାଗି ନେଇ ଆସିଥାଏ ।
କରାଳମୁଖ ଠାରୁ ତା’ର ସ୍ତ୍ରୀ ଏକଥା ଶୁଣି ସାରି ବହୁତ ସମୟ ଚିନ୍ତାକଲା ଯେ ଯିଏ ପ୍ରତିଦିନ ଉଦର ପୂର୍ଣ୍ଣ କରି ଏପରି ଅମୃତମୟ ଫଳ ଖାଉଛି । ଏ ଫଳ ଯଦି ଏତେ ସ୍ୱାଦ, ତାହାହେଲେ ସେହି ରକ୍ତମୁଖର କଲିଜା ଯେ ଏହାଠାରୁ ଅଧିକ ସୁସ୍ୱାଦୁ ହୋଇ ନଥିବ କାହିଁକି । ଏମିତି ଭାବି କରାଳମୁଖ କୁମ୍ଭୀରର ସ୍ତ୍ରୀ କହିଲା – ହେ ସ୍ୱାମୀ, ତୁମେ ଯଦି ମୋତେ ଏତେ ଭଲ ପାଅ । ଆଉ ମୋ ପରି ଜଣେ ସୁନ୍ଦରୀ ସ୍ତ୍ରୀର ଯେବେ ତୁମର ପ୍ରୟୋଜନ ଥାଏ ତାହାହେଲେ ତୁମେ ମୋତେ ତୁମର ବଂଧୁଙ୍କର ଦେଉଥିବା ଜାମୁକୋଳି ନଆଣି ତା’ କଲିଜା ଗୋଟିକ ଆଣି ମୋତେ ଦିଅ । କାରଣ ତା’ର ହୃଦୟ ବା କଲିଜାଟି ନିଶ୍ଚୟ ଅମୃତଠାରୁ ଆହୁରି ସୁସ୍ୱାଦୁ ହୋଇଥିବ । ଆଉ ମଧ୍ୟ ସେପରି ଅମୃତତୁଲ୍ୟ, ସୁସ୍ୱାଦୁ କଲିଜା ବା ହୃଦୟଟିକୁ ଖାଇଦେଲେ ମୋତେ ଆଉ ବାର୍ଦ୍ଧକ୍ୟ ସ୍ପର୍ଶ କରିପାରିବ ନାହିଁ । ବାର୍ଦ୍ଧକ୍ୟ ନହେଲେ ମୋର ମୃତ୍ୟୁ ମଧ୍ୟ ହେବ ନାହିଁ । ତେଣୁ ମୁଁ ସଦାସର୍ବଦା ଚିର ଯୌବନ ହୋଇ ବଞ୍ଚିରହିବି । ଆଉ ମଧ୍ୟ ଖୁବ୍ ସୁଖର ସହିତ ତୁମ୍ଭଠାରୁ ଇନ୍ଦ୍ରିୟସୁଖ ଭୋଗ କରିବି ।