ବାନର ମକର କଥା

                କରାଳମୁଖ ନିଜର ଅତିପ୍ରିୟ ତଥା ଅତି ସୁନ୍ଦରୀ ସ୍ତ୍ରୀଙ୍କ ମୁଖରୁ ଯେତେବେଳେ ଏକଥା ଶୁଣିଛି ସେ ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତୋରରେ କହିଲା, ପ୍ରିୟେ! ଥାଉ ଥାଉ, ତୁମ୍ଭେ ଆଉ ଏପରି କଥା ମୋତେ କୁହନାହିଁ । କାରଣ ସେହି ରକ୍ତମୁଖ ବାନର ଏହା ମଧ୍ୟରେ ସେ ମୋର ଭାଇ ହୋଇସାରିଛନ୍ତି । ଏଥି ସକାଶେ ସେ ଭାଇକୁ ମାରିଦେବା ମୋ ନିମନ୍ତେ ଦୂରୁହ ବ୍ୟାପାର ହେବ । ତେଣୁ ତୁମ ମନକୁ ଆସୁଥିବା ସେହି ବୃଥା ଆଶାକୁ ତ୍ୟାଗକର, କାହିଁକି ନା’ ମାଆ ଗୋଟିଏ ପ୍ରକାର ଭାଇକୁ ଜନ୍ମ ଦେଇଥାଏ; କିନ୍ତୁ ବାଣୀ ଦ୍ୱିତୀୟ ପ୍ରକାର ଭାଇର ଜନ୍ମ ଦେଇଥାଏ । କିନ୍ତୁ ବିଚାର ଦୃଷ୍ଟିରୁ ବଚନରୁ ଜାତ ହୋଇଥିବା ଭାଇ ସହୋଦର ଭାଇଠାରୁ ଆତି ଉତ୍ତମ ତଥା ଭାଇ ମଧ୍ୟରେ ଶ୍ରେଷ୍ଠ ଅଟେ ।

                କରାଳମୁଖ କୁମ୍ଭୀରର ମୁଖରୁ ଏପରି କଥା ଶୁଣିବାପରେ ତା’ର ପ୍ରାଣପ୍ରିୟା ସ୍ତ୍ରୀର ମନକୁ ଦାରୁଣ ଦୁଃଖ ଲାଗିଲା । ତା’ପରେ ସେ ଅଭିମାନିନୀ ହୋଇପଡ଼ି କହିଲା – ତୁମେ ରକ୍ତମୁଖ ବାନରର ବାସକରୁଥିବା ବାଲୁକା ଶେଜରେ ବହୁ ସମୟ ଧରି ରହୁଥିବାରୁ କାରଣଟି ଏବେ, ମୋତେ ଜଣାଯାଇଛି । ଏହାର କାରଣ ନିଶ୍ଚୟ ସେହି ବାନରର ସ୍ତ୍ରୀ, କାହିଁକି ନା’ ତୁମେ ମୋତେ ବିରୁଦ୍ଧାଚରଣ କରୁଛ । ପୁଣି କେତେଦିନ ହେଲା ତୁମେ ଆଉ ପୂର୍ବଦିନ ପରି ଶ୍ରଦ୍ଧା ସ୍ନେହରେ ମୋ ସାଥିରେ ଦି’ପଦ କଥା ହେଉନାହଁ । ଆଗରୁ ମୁଁ ଯେଉଁ ଦ୍ରବ୍ୟ ଇଚ୍ଛା କରୁଥିଲି ତାହା ବିନା ଆପତ୍ତିରେ ମୋହ ନିକଟରେ ଆସି ପହଞ୍ଚାଉଥିଲ ତାହା ମଧ୍ୟ କରୁନାହିଁ । ଅଧିକାଂଶ ରାତ୍ରରେ କାହାକୁ ଭାବୁଥିବା କଥା ତୁମର ଘନ ଘନ ଗରମ ନିଃଶ୍ୱାସରୁ ମୁଁ ଜାଣିବାକୁ ପାଉଅଛି । ଆଗପରି ତୁମେ ଆଉ ମୋତେ ଆଲିଙ୍ଗନ କରୁନାହଁ । ତେଣୁ ମୁଁ ଏବେ ଜାଣିପାରୁଅଛି ଯେ ମୋଠାରୁ ଏବେ ସେହି ରକ୍ତମୁଖର ବାନର ସ୍ତ୍ରୀ ତୁମ ଲାଗି ଖୁବ୍ ପ୍ରିୟ ହୋଇଯାଇଛି । ତାହା ହୋଇ ନଥିଲେ ମୋ ମନ ମଧ୍ୟରେ ଉଦିତ ହୋଇ ଉଠିଥିବା ଅଭିଳାଷକୁ ପୂରଣ କରିବା ଲାଗି ତୁମେ କୁଣ୍ଠିତ ବା କାହିଁକି ହୋଇଥାଆନ୍ତ ।

                ଏଥର କରାଳମୁଖ କୁମ୍ଭୀର ନିଜ ସ୍ତ୍ରୀଙ୍କ ଠାରୁ ଏପରି ଅସହ୍ୟ କଥାମାନ ଶୁଣି ବିକଳ ହୋଇ ପଡ଼ିଲା । ଏତେ ଦିନଧରି ବଂଧୁ ହୋଇ ବାନରଠାରୁ ଏତେ କୋଳି ଖାଇସାରିଛି, ବର୍ତ୍ତମାନ ସ୍ତ୍ରୀ କଥାରେ ଯଦି ମୋତେ ବଂଧୁ ହତ୍ୟା କରିବାକୁ ହେବ, ଏହା କୁମ୍ଭୀରର ଚିନ୍ତାର କାରଣ ହେଲା । ମନେ ମନେ କୁମ୍ଭୀର ନିଜର ପତ୍ନୀର ବିରୋଧୀ ଓ ବିଦ୍ରୋହୀ ହୋଇଗଲା । ପୁଣି ଏଥିଲାଗି ସ୍ତ୍ରୀ ଯେ ଦିନ ଦିନ ଧରି ଉପବାସରେ ସମୟ ବିତାଉଛି ତାହା ମଧ୍ୟ ସବୁଠାରୁ ବଡ଼ ଦୁଃଖର କାରଣ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ