କଥାର ଦୁଇ ଭଙ୍ଗୀ

ସୁଧାକର ରାଜଦରବାରରେ କାମ କରୁଥାଏ । ଛୁଟି ପାଇଲେ ସେ ତା’ ଗାଁକୁ ଆସୁଥାଏ । ଗାଁକୁ ଆସିଲେ ସେ ସହରରେ ତା’ ପଦମର୍ଯ୍ୟାଦା କଥା ଭୁଲି ଗାଁ ଲୋକଙ୍କ ସହ ଗାଁ ମାଟିର ଜଣେ ସନ୍ତାନ ହିସାବରେହିଁ ବ୍ୟବହାର କରୁଥାଏ ।

                ସୁଧାକର ସେଥର ଗାଁକୁ ଆସି ବୁଢା ରତନ ଦାସଙ୍କୁ ପଚାରିଲା “କିହୋ ଜେଜେ, ତମ ମୁହଁ ଏମିତି କାହିଁକି ବିରସ ଲାଗୁଛି?” ରତନ ଦାସ ତାକୁ ଧରି ନିଜ ଘର ହତାର ଗୋଟିଏ କୋଣକୁ ନେଇଗଲେ ଓ କହିଲେ, “ଆରେ ସୁଧାକର, ମୁଁ ତୋରହିଁ ବାଟ ଚାହିଁଥିଲି । ମୋ ନାତି ରମେଶ କଥା ତୁ ତ ଜାଣୁ । ସେ ପାଠଶାଠ ପଢିଥିଲେ ବି ଚାକିରୀ କରିବାକୁ ପସନ୍ଦ କଲା ନାହିଁ । ଘରେ ରହି ଜମିବାଡି ଦେଖାଶୁଣା କରିବାରେ ମନ ଦେଲା । ଏହା ତ ଅତି ଉତ୍ତମ କଥା । ଆମେ ସମସ୍ତେ ଭାବିଲୁ ସେ ଗୋଟିଏ ଆଦର୍ଶ । କିନ୍ତୁ ସମସ୍ୟା କ’ଣ କି, ତା’ ସହ ଗାଁ ଲୋକଙ୍କର ଯମା ପଡୁନାହିଁ । ଆମ ଘର ସହ ସବୁ ଲୋକଙ୍କର ଭଲ ସମ୍ପର୍କ ଥିଲା । କିନ୍ତୁ ଆଜିକାଲି ପ୍ରତିବେଶୀମାନେ ଆମ ଉପରେ ମୋଟେ ସନ୍ତୁଷ୍ଟ ନୁହଁନ୍ତି ବୋଲି ମୁଁ ବୁଝି ପାରୁଛି ।”

                ସୁଧାକର ଟିକିଏ ଆଶ୍ଚର୍ଯ୍ୟ ହୋଇ ପଚାରିଲା “କିନ୍ତୁ ଏହାର କାରଣ କ’ଣ?”

                ରତନ ଦାସ କହିଲେ “ତୋତେ କିଛି ଲୁଚାଇବି ନାହିଁ । ମୋ ବୟସ ହେଲାଣି । ପାଠଶାଠ ବେଶି ନ ପଢିଥିଲେ ବି ମଣିଷଙ୍କ ମନ ସମ୍ପର୍କରେ ମୋର ଅଭିଜ୍ଞତା ଯଥେଷ୍ଟ ଅଛି । ରମେଶ ବଡ ଗର୍ବୀ । ପାଠ ପଢିଛି, କୃଷିବିଜ୍ଞାନରେ ତା’ର ବହୁତ ଦକ୍ଷତା, ସେ ଅନ୍ୟ ଗ୍ରାମବାସୀମାନଙ୍କୁ ହେୟ ଜ୍ଞାନ କରେ । ତୁ ଯଦି ଥରେ ତା’ ସହ କଥାବାର୍ତ୍ତା ହୋଇ ତାକୁ ଚେତାଇ ଦିଅନ୍ତୁ, ତେବେ ତା’ ସ୍ୱଭାବ ସୁଧୁରି ଯା’ନ୍ତା ।”

                ସୁଧାକର କହିଲା “ହେଉ ଜେଜେ, ସୁଯୋଗ ପାଇଲେ ମୁଁ ତାହା ମଧ୍ୟ କରିବି ।”

                ଦୁଇଦିନ ଭିତରେ ଗାଁ ଲୋକଙ୍କ ସହ କଥାବାର୍ତ୍ତା କରି ସୁଧାକର ବୁଝିଗଲା, ରମେଶ ସ୍ୱାର୍ଥପର । ସେ ନିଜ ଅସୁବିଧା ବେଳେ ଅନ୍ୟମାନଙ୍କ ସାହାଯ୍ୟ କାମନା କରିବ, କିନ୍ତୁ ଅନ୍ୟମାନେ ଅସୁବିଧାରେ ପଡିଥିଲେ ସେମାନଙ୍କୁ ସାହାଯ୍ୟ କରିବାକୁ ସେ କେବେବି ଆଗଭର ହେବ ନାହିଁ । ନିଜେ ଭଲ ଫଳମୂଳ ଉପୁଜାଇଲେ ଅନ୍ୟମାନଙ୍କଠାରୁ ପ୍ରଶଂସା ଆଶା କରିବ, କିନ୍ତୁ ଅନ୍ୟମାନେ କୌଣସି କାମରେ ସାଫଲ୍ୟ ଦେଖାଇଲେ ସେମାନଙ୍କୁ ଯେ ପ୍ରଶଂସା କରି ଦୁଇପଦ କହିବ, ତାହା ମୋଟେ ନୁହେଁ । ବରଂ ସେମାନଙ୍କୁ ଥଟ୍ଟା କରିବା ଆଉ ସମସ୍ତଙ୍କର ଭୁଲ୍ ତ୍ରୁଟି ଉପରେ କଟୁ ସମାଲୋଚନା କରିବା ତା’ର ଅଭ୍ୟାସ ।

                ଦୁଇଦିନ ପରେ ଦିନେ ରମେଶକୁ ଏକାକୀ ଦେଖି ସୁଧାକର ତା’ ସହ ଗପସପ କଲା ଓ କଥା ପ୍ରସଙ୍ଗରେ କହିଲା, “ଆରେ ଭାଇ, ଏ ଗାଁରେ ତୁ ଏକମାତ୍ର ଲୋକ ଯିଏ କି କୃଷିବିଜ୍ଞାନ ପଢିଛି । ଗାଁ ଲୋକେ ତୋତେ ନେଇ ଗର୍ବ କରିବା କଥା । ତୁ ଯଦି ସେମାନଙ୍କ ସହ ମିଶନ୍ତୁ, ସେମାନଙ୍କୁ ସାହାଯ୍ୟ କରନ୍ତୁ, ତେବେ ସେମାନେ ତୋତେ ମୁଣ୍ଡରେ ବସାନ୍ତେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ