ନ୍ୟାୟ ବିଚାର

ହରିପୁର ଗ୍ରାମରେ ଜଣେ ବିଚାରପତି ଥିଲେ, ତାଙ୍କ ନାମ ଧର୍ମବୀର ଥିଲା । ସେ ଖୁବ୍ ବୁଦ୍ଧିମାନ ଥିଲେ ଓ ନ୍ୟାୟଶାସ୍ତ୍ର ଅଧ୍ୟୟନ କରିବାରେ ସେ ଅତ୍ୟନ୍ତ ନିପୁଣ ମଧ୍ୟ ଥିଲେ, ତେଣୁ ରାଜା ତାଙ୍କୁ ସେହି ଅଂଚଳର ବିଚାରପତି ଭାବରେ ନିଯୁକ୍ତି କରିଥିଲେ । ସମଗ୍ର ଅଂଚଳର ଲୋକେ ଜାଣିଥିଲେ ଯେ ନ୍ୟାୟ ନିର୍ଣ୍ଣୟ କରିବା ପାଇଁ ଧର୍ମବୀରଙ୍କ ପରି ଆଉ କେହି ବି ନଥିଲେ । ସେ ଯାହା ନ୍ୟାୟ ଦିଅନ୍ତି ତାହା ଦୁଇପକ୍ଷ ଖୁସିରେ ମାନି ନିଅନ୍ତି । ଏକଥା ଯାଇ ରାଜାଙ୍କ କାନରେ ପଡିଲା ଯେ ଧର୍ମବୀର ବିଚାର କରିବାରେ ଅଦ୍ୱିତୀୟ । ରାଜା ଖୁସି ହୋଇ ଭାବିଲେ ଯେ ଥରେ ତାଙ୍କ ଦରବାରରେ ଧର୍ମବୀରଙ୍କୁ ସମ୍ମାନିତ କରାଯିବ ଓ ତାଙ୍କୁ କିଛି ପୁରସ୍କାର ମଧ୍ୟ ଦିଆଯିବ ।  ଧର୍ମବୀରଙ୍କୁ ଏ କଥାର ସୂଚନା ଦିଆଗଲା । କିନ୍ତୁ ଧର୍ମବୀରଙ୍କୁ ଏକଥା ବଡ ଅଡୁଆ ଲାଗୁଥାଏ । ତଥାପି ମଧ୍ୟ ରାଜାଙ୍କ ଆଦେଶ ବୋଲି କଥା ଟାଳି ନ ପାରି ରାଜଧାନୀ ଆଡକୁ ସେ ଚାଲିଲେ । ରାସ୍ତାରେ ରାମ ସହିତ ତାଙ୍କର ଦେଖା ହେଲା । ସେ ମଧ୍ୟ ହରିପୁରର ଜଣେ ବାସିନ୍ଦା । ତା’ର ଜମିବାଡିର ମାମଲା କଥା ଧର୍ମବୀର ଜାଣିଥିଲେ । କଥା କ’ଣ କି ସେହ ଗାଁରେ ରାମ ଜଣେ ସାଧାରଣ ଚାଷୀ ଥିଲା । ମହେଶ ନାମକ ଜଣେ ଧନୀ ଚାଷୀ ତା’ ଉପରେ ନାନା ପ୍ରକାର ମିଥ୍ୟା ଦୋଷାରୋପ କରି ତା’ଠାରୁ ଟଙ୍କା ଆଦାୟ କରିବାକୁ ଚାହୁଁଥିଲା । ରାମ ଟଙ୍କା ଦେଇ ନ ପାରିବାରୁ ସେ ରାମର ଜମି ସବୁ ଜବର ଦଖଲ କରୁଥିଲା । ବିଚାରା ରାମ ଅନନ୍ୟୋପାୟ ହୋଇ ବିଚାରପତି ଧର୍ମବୀରଙ୍କ ପାଖକୁ ଗଲା । ଧର୍ମବୀର ବିଚାର କରି କହିଲେ ଯେ ଏସବୁ ମିଥ୍ୟା କଥା, ଯଥାଶୀଘ୍ର ରାମର ଜମି ତାକୁ ଫେରାଇ ଦେବାକୁ ହେବ ।

ଧର୍ମବୀର ରାସ୍ତାରେ ରାମକୁ ଦେଖି ପଚାରିଲେ, “ରାମ, କିପରି ଅଛ?”

ରାମ କହିଲା “ମହାଶୟ, ଦୟାଳୁ ସତ୍ୟପ୍ରକାଶଙ୍କ ଯୋଗୁଁ ମୁଁ କୌଣସି ମତେ ଚଳି ଯାଉଛି ।”

ଧର୍ମବୀର ପଚାରିଲେ “କଥା କ’ଣ? ମନେ ହେଉଛି ସତ୍ୟପ୍ରକାଶ ତୁମର କିଛି ବିଶେଷ ସହାୟତା କରିଛନ୍ତି?”

ରାମ କହିଲା “ଆଜ୍ଞା ମହାଶୟ । ଆଜି ଯଦି ମୁଁ ଓ ମୋର ପରିବାର ବଂଚିରହିଥାଉ ତେବେ ସେସବୁ କେବଳ ତାଙ୍କ ସକାଶେ । ମୁଁ ଯେତେବେଳେ ସବୁ ଜମି ହରାଇ ରାସ୍ତାର ଭିକାରୀ ହୋଇଗଲି ସେତେବେଳେ ସେହିଁ ଦୟାକରି ମୋତେ ଦୁଇ ଏକର ଜମି ଦେଇଛନ୍ତି । ମୁଁ ସେଇଥିରେ ଚାଷ କରି କୌଣସି ମତେ ନିଜର ଗୁଜୁରାଣ ମେଂଟାଉଛି ।”

ଏକଥା ଶୁଣି ଧର୍ମବୀର ହଠାତ୍ ଚମକି ପଡିଲେ । ସେ ବୁଝିପାରିଲେ ନାହିଁ ଯେ ବିଚାରରେ ନ୍ୟାୟ ଦେବା ପରେ ମଧ୍ୟ ମହେଶ ରାମର ଜମି କାହିଁକି ଫେରାଇଲା ନାହିଁ । ସେ ଆଶ୍ଚର୍ଯ୍ୟ ହୋଇ କହିଲେ, “ରାମ, ତୁମେ ଏସବୁ କ’ଣ କହୁଛ? ମୁଁ ତ ବିଚାର କରି କହିଥିଲି କି ତୁମର ଜମି ତୁମକୁ ଫେରେଇ ଦିଆଯିବାକୁ । ମହେଶ ଏପର୍ଯ୍ୟନ୍ତ ତୁମ ଜମି କାହିଁକି ଫେରାଇ ନାହିଁ? ମୁଁ ବୁଝି ପାରୁନାହିଁ ଯେ ବିଚାରରେ ଯାହା ନିର୍ଣ୍ଣୟ କରାଗଲା ସେକଥା ସେ କିପରି ମାନିଲା ନାହିଁ? ଆଉ ତମେ ମଧ୍ୟ କିପରି ଚୁପ୍ଚାପ୍ ଏହିସବୁ ଘଟଣା ସହ୍ୟ କରିଗଲ?”

ରାମ କହିଲା, “ଆଜ୍ଞା ଆପଣ ତ ନ୍ୟାୟ ବିଚାର ଶୁଣାଇ ଦେଲେ । ହେଲେ ସେକଥା କାର୍ଯ୍ୟକାରୀ କରିବ କିଏ? ସବୁ କର୍ମଚାରୀ ତ ଲାଂଚ ନ ଦେଲେ କାମ କରିବେ ନାହିଁ । ମହେଶଠାରୁ ଲାଂଚ ଖାଇ ସେମାନେ ତାକୁ ସାହାଯ୍ୟ କଲେ । ତା’ପରେ ମୁଁ ବା ଆଉ କ’ଣ କରନ୍ତି?”

ଧର୍ମବୀର କହିଲେ “ଓ ତାହେଲେ ଏପରି କଥା?” ଏହାପରେ ସେ ସେହି ବିଷୟରେ ଚିନ୍ତା କଲେ । ତେଣେ ସେ ରାମ ମଧ୍ୟ ତା’ ରାସ୍ତାରେ ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ