ବିଷ୍ଣୁ ପୁରାଣ

ତା’ପରେ ସେ ଏକ ଉଚ୍ଚ ଶିଳା ଉପରକୁ ଉଠି, ପର୍ଶୁକୁ ଉତ୍ତୋଳନ କରି ସତ୍ୟ କଲେ କି, “ମୁଁ ଏଇ ପର୍ଶୁ ଦ୍ୱାରା ପୃଥିବୀକୁ ଏକୋଇଶବାର ନିକ୍ଷତ୍ରିୟ କରିବି ।”

ତାଙ୍କର ଏଭଳି ଭୟଙ୍କର, କରାଳ ରଡିରେ ଦିଗ ବିଦିଗ ପୂର୍ଣ୍ଣ ହେଲା । ସେସବୁ ଶୁଣି ବ୍ରହ୍ମା, ଅନ୍ୟ ଦେବତାମାନେ ଓ ମହର୍ଷିମାନେ ସେଠାକୁ ଆସି ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲେ ।

ମହର୍ଷି ଭୃଗୁ କହିଲେ, “ବତ୍ସ, ଯେଉଁଠି ଦୁଷ୍ଟ ଲୋକ ଅତ୍ୟାଚାର କରନ୍ତି ସେଠାରେ ଭଗବାନ ସ୍ୱୟଂ ଆସି ତାକୁ ଦଣ୍ଡ ଦିଅନ୍ତି । ତୁମେ ଋଷି ପୁତ୍ର ହୋଇ ଏପରି କ୍ରୁରକାର୍ଯ୍ୟ କରିବାକୁ ନିଜେ କାହିଁକି ଇଚ୍ଛା କରୁଛ?”

ପର୍ଶୁରାମ କହିଲେ, “ଭଗବାନ ଆକାଶରୁ କେବେବି ଖସିପଡନ୍ତି ନାହିଁ । ଆମରିମାନଙ୍କ ମାଧ୍ୟମରେ ହିଁ ତାଙ୍କର ଶକ୍ତି କାର୍ଯ୍ୟ କରିଥାଏ । ଯେତେବେଳେ ମନୁଷ୍ୟ ନିଜର କର୍ତ୍ତବ୍ୟ ଭୁଲି ଦୁର୍ବଳ ଉପରେ ଅତ୍ୟାଚାର କରିଥାଏ ଓ ତାହା ସୀମାତୀତ ହୋଇଥାଏ ସେଠାରେ ଆମରି ମଧ୍ୟରୁ କୌଣସି ମନୁଷ୍ୟ ଭିତରେ ଭଗବାନ ପ୍ରକଟ ହୋଇ ଦୁଷ୍ଟଦଳନ କରିଥା’ନ୍ତି । ଆପଣ ମୋର ପିତାମହ । ଏବେ ଆପଣ ମନେ କରନ୍ତୁ ମୁଁ ଠିକ୍ ସେହିପରି ଜଣେ ବ୍ୟକ୍ତି ।” ଏକଥା କହି ସେ ହିମାଳୟ ଚାଲିଗଲେ ଓ ଭଗବାନ ଶିବଙ୍କ ପାଇଁ ଘୋର ତପସ୍ୟା କରିବାକୁ ଲାଗିଲେ । ଶିବ ସ୍ୱୟଂ ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ପ୍ରକଟ ହେଲେ ଓ ତାଙ୍କୁ ଶାନ୍ତ ହେବାକୁ କହିଲେ ।

ପର୍ଶୁରାମ ଶିବଙ୍କୁ କହିଲେ, “ଭଗବାନ, ଆପଣଙ୍କ ଆଜ୍ଞା ବିନା କୌଣସି କାର୍ଯ୍ୟ ହୋଇ ପାରିବ ନାହିଁ । ଆପଣ ତ ମୋର ଶପଥ କଥା ଭଲଭାବେ ଜାଣନ୍ତି । ଏବେ ମୋର ସେ ଶପଥ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ବଳ ମୋତେ ପ୍ରଦାନ କରନ୍ତୁ ।”

ଶିବ ପର୍ଶୁରାମଙ୍କୁ ଅନେକ ଅସ୍ତ୍ର ଶସ୍ତ୍ର ସହ ଏକ ଦିବ୍ୟାସ୍ତ୍ର ଦେଇ କହିଲେ, “ଏହି ଅସ୍ତ୍ର ତୁମରି ନାମ ଅନୁସାରେ ଭାର୍ଗବାସ୍ତ୍ର ନାମରେ ସଂସାରରେ ପ୍ରସିଦ୍ଧ ହେବ । ତୁମେ ଦିବ୍ୟ ପୁରୁଷଙ୍କ କଳା ଧରି ଆସିଛ । ଯାଅ, ଏଥର ତୁମ କାମରେ ଆଉ କେହି ବି ବାଧା ଦେଇ ପାରିବେ ନାହିଁ । ତୁମର ଉଦ୍ଧେଶ୍ୟ ଅଚିରେ ସିଦ୍ଧ ହେବ । ମୋର ଆଶୀର୍ବାଦ ତୁମ ସହିତ ଥିବ ।” ଏକଥା କହି ଶିବ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ । ତା’ପରେ ବିଷ୍ଣୁଙ୍କର ଆଶିର୍ବାଦ ଆଣିବା ପାଇଁ ପର୍ଶୁରାମ ବୈକୁଣ୍ଠକୁ ଗଲେ । ସେ ତାଙ୍କୁ କବଚ ଶକ୍ତି ଓ ଏକ ଦିବ୍ୟଧନୁ ଦେଇ କହିଲେ, “ଏହି ଧନୁ ମୁଁ ରାମ ଅବତାରରେ ତୁମଠାରୁ ଫେରାଇ ନେବି ।”

ଏହିପରି ନାନା ଦିବ୍ୟାସ୍ତ୍ର ଓ ଦିବ୍ୟଶକ୍ତି ସମନ୍ୱିତ ହୋଇ ପର୍ଶୁରାମ କ୍ଷତ୍ରିୟସଂହାର ଆରମ୍ଭ କଲେ । ସେତେବେଳେ କ୍ଷତ୍ରିୟ ରାଜାମାନେ ଧର୍ମମାର୍ଗରୁ ଦୂରେଇ ଯାଇ ଗୋ, ବ୍ରାହ୍ମଣ, ସ୍ତ୍ରୀ ଓ ଦୁର୍ବଳ ବ୍ୟକ୍ତିଙ୍କ ଉପରେ ଯଥେଚ୍ଛା ଅତ୍ୟାଚାର କରି ନିଜର କର୍ତ୍ତବ୍ୟ ଓ ବିବେକ ଭୁଲି ଅଧର୍ମ ମାର୍ଗରେ ଚାଲିଥା’ନ୍ତି । ପର୍ଶୁରାମଙ୍କୁ ପାଇ ପ୍ରଜାମାନେ ଆନନ୍ଦିତ ହୋଇ ତାଙ୍କ ସହିତ ମିଳି ରାଜାମାନଙ୍କ ବିରୁଦ୍ଧରେ ଗଲେ । ଏସବୁ ଶୁଣି କାର୍ତବୀର୍ଯ୍ୟଙ୍କ ପୁତ୍ରଗଣ ଓ ଅନ୍ୟାନ୍ୟ ରାଜାମାନେ ରାଜ୍ୟ ଛାଡି ପଳାଇଲେ । ପର୍ଶୁରାମ ତାଙ୍କର ଆଗ୍ନେୟାସ୍ତ୍ର ନିକ୍ଷେପ କରି ମହେଷ୍ମତୀ ନଗର ଗଲେ ଓ ରାଜାମାନଙ୍କର ଅନୁଧାବନ କଲେ । ଅବଶେଷରେ ସେମାନଙ୍କୁ ସେ ବଧ ବି କଲେ । ସେମାନଙ୍କ ରକ୍ତରେ ପିତା ଯମଦଗ୍ନିଙ୍କର ଶିର ଧୌତ କରି ଶେଷ ତର୍ପଣ କଲେ ଓ ତାଙ୍କର ଅଗ୍ନିସଂସ୍କାର ପୂର୍ଣ୍ଣ କଲେ ।

ଯେଉଁଠାରେ ପିତାଙ୍କର ତର୍ପଣ ପାଇଁ ସେ ପାଂଚକୁଣ୍ଡ ରକ୍ତ ସଂଗ୍ରହ କରିଥିଲେ  ସେ ସ୍ଥାନ ମହାଭାରତରେ ସମନ୍ତପଂଚକ ନାମରେ ଉଲ୍ଲେଖ କରାଯାଇଛି । ସେହି ସ୍ଥାନ ପରେ କୁରୁକ୍ଷେତ୍ର ଭାବରେ ପରିଚିତ ହେଲା । ପୁଣି ସେହି ସ୍ଥାନରେ ମହାଭାରତ ଯୁଦ୍ଧରେ ରକ୍ତର ନଦୀ ସୃଷ୍ଟି ହୋଇଥିଲା । ପିତାଙ୍କର ଶ୍ରାଦ୍ଧ କରିବା ପରେ ସେ ପୁଣି କ୍ଷତ୍ରିୟ ସଂହାର ପାଇଁ ବାହାରି ପଡିଲେ । କ୍ଷତ୍ରିୟ ନାରୀମାନେ ନିଜ ନିଜ ଶିଶୁଙ୍କୁ ବ୍ରାହ୍ମଣ ଘରମାନଙ୍କରେ ଲୁଚାଇ ଦେଉଥିଲେ । ପରେ ସେହି ଶିଶୁମାନେ ବଡ ହୋଇ ପୁଣି ନିଜ ରାଜ୍ୟ ସବୁ ଶାସନ କଲେ । ପର୍ଶୁରାମ ପୁଣି ଖୋଜି ଖୋଜି ସେମାନଙ୍କୁ ମାରିଲେ । ଏହିପରି ଭାବେ ସେ ପୃଥିବୀକୁ ଏକୋଇଶବାର ନିକ୍ଷତ୍ରିୟ କଲେ ଓ ସବୁ ରାଜ୍ୟ କଶ୍ୟପଙ୍କୁ ଦାନ ଦେଇ ଦକ୍ଷିଣ ସାଗରସ୍ଥିତ ମହେନ୍ଦ୍ର ପର୍ବତକୁ ଯାଇ ସେଠାରେ ସେ ତପସ୍ୟା କଲେ । କଶ୍ୟପ ବଂଚିରହିଥିବା କ୍ଷତ୍ରିୟ ଯୁବକମାନଙ୍କୁ ସେମାନଙ୍କ ରାଜ୍ୟ ସମର୍ପଣ କଲେ ।

ରାଜା ଇଷ୍ୱାକୁଙ୍କ ବଂଶରେ ରଘୁ ଜଣେ ବିଖ୍ୟାତ ରାଜା ଥିଲେ । ସେହି ରଘୁବଂଶରେ ଅନେକ ଦିନ ପରେ ଶ୍ରୀବିଷ୍ଣୁ ରାଜା ଦଶରଥଙ୍କ ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କ ରୂପରେ ଜନ୍ମ ନେଲେ । ସେ ମନୁଷ୍ୟ ପାଇଁ ସବୁ ପ୍ରକାର ଆଦର୍ଶର ଉଦାହରଣ ରଖିଛନ୍ତି । ସେ ରାକ୍ଷସମାନଙ୍କୁ ସଂହାର କରିଥିଲେ ଓ ଆଦର୍ଶ ରାମରାଜ୍ୟ ସ୍ଥାପନ କରିଥିଲେ ।

ହିରଣ୍ୟକଶିପୁ ଓ ହିରଣ୍ୟାକ୍ଷଙ୍କୁ ବିଷ୍ଣୁ ନରସିଂହରୂପରେ ମାରିଥିଲେ । ପର ଜନ୍ମରେ ସେମାନେ ରାବଣ ଓ କୁମ୍ଭକର୍ଣ୍ଣ ନାମରେ ଦୁଇ ଭୟଙ୍କର ରାକ୍ଷସ ଭାବରେ ଜନ୍ମ ନେଇ ଦେବତା, ଯକ୍ଷ, ଗନ୍ଧର୍ବ ଓ ଋଷିଗଣଙ୍କ ଉପରେ ଘୋର ଅତ୍ୟାଚାର କଲେ । ରାବଣ ଘୋର ତପସ୍ୟା କରି ବ୍ରହ୍ମାଙ୍କଠାରୁ ଏହି ବର ସେ ପାଇଲା କି ଦେବତା, ଯକ୍ଷ ଓ ଗନ୍ଧର୍ବ ଆଦି କେହି ଯେପରି ତାକୁ ମାରି ପାରିବେ ନାହିଁ । ମନୁଷ୍ୟ ତ ତାହାର ଖାଦ୍ୟ ତେଣୁ ମନୁଷ୍ୟ କଥା ସେ ବର ମାଗିବା ବେଳେ ଭୁଲି ଯାଇଥିଲା ।

କୁମ୍ଭକର୍ଣ୍ଣର ଶରୀର ବିରାଟ ଥିଲା । ସେ ତପସ୍ୟା କରି ଏହି ବର ପାଇଲା ଯେ ସେ ଛ ମାସ ଶୋଇବ ଓ ଛ ମାସ ଜାଗ୍ରତ ରହିବ । ମାତ୍ର ଜାଗ୍ରତ ରହିବା ସମୟରେ ସେ ଅଜେୟ ।

ରାବଣ ତା’ର ବୈମାତୃକ ଭାଇ କୁବେରଙ୍କୁ ଲଙ୍କାପୁରୀରୁ ବିତାଡିତ କରି ଲଙ୍କା ଦଖଲ କଲା ଓ ନିଜ ବଂଶ ଧରି ସେହିଠାରେହିଁ ସେ ତା’ ଗଡ ବାନ୍ଧି ରହିଲା । ରାବଣର ଦଶଶିର ଓ ବିଂଶ ବାହୁ ଥିଲା । ସେ ଅମିତ ପରାକ୍ରମଶାଳୀ ଥିଲା । ଅନ୍ୟାନ୍ୟ ଅସୁରମାନଙ୍କୁ ସଂଗଠନ କରି ସେ ରାଜ୍ୟ ଜୟ କରିବାରେ ଲାଗିଲା ।

ଦିନେ ଗର୍ବ ବଶରେ ସେ ଶିବଙ୍କ ଆସ୍ଥାନ ସହ କୈଳାସ ପର୍ବତକୁ ଉପାଡି ଫୋପାଡି ଦେବାକୁ ଚେଷ୍ଟା କଲା । ଅଧା ଉପାଡିବା ଅବସ୍ଥାରେ ଶିବ ଇଚ୍ଛାକରି ବେଶି ଓଜନ ହୋଇଗଲେ ଓ ସେ ପର୍ବତ ତଳେ ଚାପା ପଡି ଖୁବ୍ ଜୋର୍ରେ ଚିତ୍କାର କଲା । ତା’ପରେ ଶିବସ୍ତୋତ୍ର ବୋଲି ଶିବଙ୍କୁ ସେ ପ୍ରସନ୍ନ କରାଇଲା ତଥା ନିଜର ନଅଟି ମୁଣ୍ଡ ଶିବଙ୍କ ନିକଟରେ ବଳୀ ଦେଲା । ଶିବ ରାବଣର ଏତାଦୃଶ ଭକ୍ତି ଓ ତ୍ୟାଗରେ ଅତ୍ୟନ୍ତ ଖୁସି ହେଲେ । ଶିବ ଭକ୍ତି ଯୋଗୁଁ ରାବଣର ନଅଟି ମୁଣ୍ଡ ପୁଣି କଅଁଳିଲା ।

ସେ ଅତ୍ୟନ୍ତ ବୀର ଓ ପରାକ୍ରମୀ ଥିଲେ ମଧ୍ୟ ତା’ର ରାକ୍ଷସ ସ୍ୱଭାବ ହେତୁ ସେ ଭୀଷଣ କ୍ରୁର ଓ ଦୁଷ୍ଟବୁଦ୍ଧି ସମ୍ପନ୍ନ ଥିଲା । ପରନାରୀହରଣ ତା’ର ଯେପରି ଦୈନନ୍ଦିନ ବ୍ୟାପାର ଥିଲା । ସେଥିପାଇଁ ସେ ଥରେ ଏକ ଅଭିଶାପ ପାଇଥିଲା ଯେ ସେ ଯଦି ବଳପୂର୍ବକ କୌଣସି ନାରୀ ଉପରେ ଅତ୍ୟାଚାର କରେ ତେବେ ତା’ର ଦଶଶିର ଭୁଲୁଣ୍ଠିତ ହେବ । ତା’ପରେ ସେ ଆଉ ସେଭଳି କାର୍ଯ୍ୟପାଇଁ ସାହସ କରିନାହିଁ ।

ମୟ ଦାନବର ଝିଅ ମନ୍ଦୋଦରୀ ଥିଲା ତା’ର ଧର୍ମପତ୍ନୀ । ସେ ପ୍ରକୃତରେ ଏକ ଧାର୍ମିକା ନାରୀ ଥିଲା । ମନ୍ଦୋଦରୀ ଓ ରାବଣର ସାନଭାଇ ଧାର୍ମିକ ବିଭୀଷଣ ରାବଣଙ୍କୁ ସର୍ବଦା ଧର୍ମ ମାର୍ଗରେ ଯିବା ପାଇଁ ଅନେକ ବୁଝାଉଥା’ନ୍ତି । କିନ୍ତୁ ସବୁ ବୃଥା ।

ବିନ୍ଧ୍ୟାଚଳର ଦକ୍ଷିଣଭାଗ ପର୍ଯ୍ୟନ୍ତ ତାହାର ରାଜ୍ୟ ବ୍ୟାପୀ ଥାଏ । ସେଠି ଥିବା ରାକ୍ଷସମାନେ ଆର୍ଯ୍ୟାବର୍ତରେ ହେଉଥିବା ଯଜ୍ଞ ସବୁରେ ନାନା ବିଘ୍ନ ଘଟାଉଥାନ୍ତି । ସେଠାରେ ଥିବା ଋଷିମୁନିମାନଙ୍କ ଉପରେ ସେମାନେ ଅନେକ ଅତ୍ୟାଚାର କରୁଥା’ନ୍ତି । ଆଶ୍ରମ ଓ ଗ୍ରାମମାନଙ୍କୁ ପୋଡିବା, ନିରୀହ ଲୋକଙ୍କୁ କଷ୍ଟ ଦେବା ଓ ରାଜ୍ୟ ପରେ ରାଜ୍ୟ ଲୁଣ୍ଠନ କରିବାରେ ସେମାନଙ୍କର ଅପାର ଆନନ୍ଦ ।

ସେହି ସମୟରେ କୁଶଧ୍ୱଜ ନାମକ ଜଣେ ଋଷି ବେଦପାଠ କରି କରି ଗୋଟିଏ କନ୍ୟା ସନ୍ତାନ ଲାଭ କଲେ ଓ ତା’ର ନାମ ସେ ବେଦମତୀ ରଖିଲେ । ସେ ଅତ୍ୟନ୍ତ ସୁନ୍ଦରୀ ଥିଲେ ଓ ଲକ୍ଷ୍ମୀଙ୍କ କଳାରେ ସେ ଜନ୍ମ ନେଇଥିଲେ । ତେଣୁ ପ୍ରାପ୍ତ ବୟସ୍କ ହେବା ମାତ୍ରେ ସେ ଶ୍ରୀବିଷ୍ଣୁଙ୍କୁ ପତି ରୂପରେ ପାଇବା ପାଇଁ ତପସ୍ୟା କରୁଥାନ୍ତି ।

ରାବଣ ତାଙ୍କୁ ପାଇବା ପାଇଁ ଚାହିଁଲା । ତେଣୁ ଦିନେ ସେ ବେଦମତୀ ପାଖକୁ ଯାଇ କହିଲା, “ମୋତେ ପତି ରୂପରେ ବରଣ କରି ମୋ ସହିତ ଲଙ୍କା ଚାଲ ।” ବେଦମତୀ ଏ କଥା ଶୁଣି ରାବଣକୁ ତିରସ୍କାର ଓ ଅପମାନ୍ କରନ୍ତେ ରାବଣ କ୍ରୋଧବଶରେ ତାଙ୍କର କେଶ ଧରି ଟାଣିଲା । ଏପରି ଦୁର୍ବ୍ୟବହାରରେ ବେଦମତୀ ଭୟଙ୍କର ଭାବରେ ରାଗିଯାଇ ରାବଣକୁ ଶାପ ଦେଲେ, “ଆରେ ଦୁଷ୍ଟ, ତୁ ମୋର ଶରୀର ସ୍ପର୍ଶ କରି ତାକୁ ଅପବିତ୍ର କଲୁ । ତେଣୁ ମୁଁ ଏ ଦେହକୁ ଏବେ ପରିତ୍ୟାଗ କରିବି । କିନ୍ତୁ ମନେ ରଖ । ପରଜନ୍ମରେ ମୋରି ଯୋଗୁଁ ହିଁ ତୋର ବିନାଶ ହେବ । ଭଗବାନ ବିଷ୍ଣୁ ରାମ ଅବତାର ହୋଇ ମୋତେ ସେ ତାଙ୍କ ସ୍ତ୍ରୀ ରୂପରେ ବରଣ କରିବେ ।” ଏହିକଥା କହି ସେ ଯୋଗବଳରେ ଅଗ୍ନିରେ ପ୍ରବେଶ କଲେ ।

ଏତେ ସବୁ କଥା ଘଟିବ ବୋଲି ରାବଣ ତ କେବେବି କଳ୍ପନା ସୁଧା କରିନଥିଲା । ପ୍ରଥମେ ସେ ପାଇଗଲା ଓ ବେଦମତୀଙ୍କ କଥାକୁ ଭବିଷ୍ୟତ ବାଣୀ ବୋଲି ଭାବି ତାକୁ ଆଉ ନିଦ ହେଲା ନାହିଁ ।

ଏକଥା ସେ କାହାକୁ କହୁନଥାଏ ଓ ମନେ ମନେ ଏପରି ଏକ ଭବିଷ୍ୟତ ପାଇଁ ନିଜକୁ ପ୍ରସ୍ତୁତ କରୁଥାଏ । ତା’ର ତ ଅସୁର ପ୍ରବୃତ୍ତି । ଧୀରେ ଧୀରେ ତା’ର ଅସୁର ସ୍ୱଭାବ ସବୁ ବିକଶିତ ହେଲା ।

ରାକ୍ଷସମାନଙ୍କ ଅତ୍ୟାଚାରରେ ପୃଥିବୀ ତ୍ରାହି ତ୍ରାହି କରି ଉଠିଲା । ସଂସାରର କଲ୍ୟାଣ ପାଇଁ ଶ୍ରୀବିଷ୍ଣୁ ମନୁଷ୍ୟ ରୂପରେ ଓ ଦେବତାମାନେ ବାନର ରୂପରେ ପୃଥିବୀରେ ଜନ୍ମ ନେଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ