ମହାଭାରତ

                ଅର୍ଜୁନଙ୍କ କଥାରେ ବିରାଟ ସନ୍ତୋଷ ଅନୁଭବ କଲେ ଓ କହିଲେ, “ଯେପରି ଆପଣଙ୍କ ଇଚ୍ଛା । ଆପଣଙ୍କ ସହିତ ମୋର ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଶୁଭଦାୟକ ଓ ଫଳପ୍ରଦ ହେଉ ।” ଏହାପରେ ଧର୍ମରାଜ ବିବାହର ଶୁଭ ମୁହୂର୍ତ୍ତ ସ୍ଥିର କଲେ । ବିରାଟ ଓ ଅର୍ଜୁନ ଏହି ସମାଚାର ଶ୍ରୀକୃଷ୍ଣଙ୍କ ନିକଟକୁ ପଠାଇଲେ ।

                ଅଜ୍ଞାତବାସ ପୂରଣ ହେବା ପରେ ପାଣ୍ଡବମାନେ ବିରାଟନଗରୀ ପରିତ୍ୟାଗ କରି ମତ୍ସ ଦେଶର ଉପଘ୍ଲାବ୍ୟ ନାମକ ଏକ ସ୍ଥାନରେ ଯାଇ ପହଁଚିଲେ । ପାଣ୍ଡବମାନଙ୍କର ହିତୈଷୀ ଓ ସମର୍ଥନକାରୀ ସୈନ୍ୟଗଣ ମଧ୍ୟ ସେହି ସ୍ଥାନକୁ ଆସିଲେ । ଏକ ଅକ୍ଷୌହିଣୀ ସେନାଙ୍କ ସହିତ ଦ୍ରୁପଦ, ଦ୍ରୌପଦୀ-ପୁତ୍ର ଉପପାଣ୍ଡବଗଣ, ଶିଖଣ୍ଡୀ, ଧୃଷ୍ଟଦ୍ୟୁମ୍ନ ଆଦି ସେଠାରେ ଆସି ପହଁଚିଲେ । ବିରାଟ ଦ୍ରୁପଦଙ୍କୁ ସ୍ୱାଗତ ଜଣାଇ ତାଙ୍କୁ ଭବ୍ୟ ଅଭ୍ୟର୍ଥନା ଜଣାଇଲେ । ଏହିପରି ଉପଘ୍ଲାବ୍ୟ ଠାରେ ଅନେକ ରାଜାଙ୍କର ସମାବେଶ ହେଲା ।

                ଦ୍ୱାରକାରୁ ଅଭିମନ୍ୟୁ, ଇନ୍ଦ୍ରସେନ ଆଦିଙ୍କୁ ଶ୍ରୀକୃଷ୍ଣ, ବଳରାମ ସାଥିରେ ଆଣି ସେଠାରେ ପହଁଚିଲେ । ସେମାନଙ୍କ ସହିତ ନିଜ ନିଜ ରଥ ଆରୋହଣ କରି ସେଠାରେ କୃତବର୍ମା, ଯୁଯୁଧାନ, ସାତ୍ୟକୀ, ଅକ୍ରୁର ଓ ଶାମ୍ବ ଆଦି ଅନେକ ବୀର ଥା’ନ୍ତି ।

ବିରାଟଙ୍କ ଭବନରେ ଶଙ୍ଖ, ଭେରୀ ବାଦନ କରି ପାଣ୍ଡବମାନଙ୍କର ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଗଲା । ବିରାଟ ପାଣ୍ଡବମାନଙ୍କୁ ଉଲ୍ଲସିତ ଚିତରେ ଅଭିବାଦନ ଜଣାଇଲେ । ସୁଦେଷ୍ଣା ଓ ଅନ୍ତଃପୁର ରମଣୀମାନେ ଉତରାଙ୍କୁ ବଧୂରୂପରେ ସୁସଜ୍ଜିତ କରି, ବସ୍ତ୍ର, ଅଳଙ୍କାରରେ ମଣ୍ଡିତ କଲେ । ଶ୍ରୀକୃଷ୍ଣଙ୍କ ଉପସ୍ଥିତିରେ ବଡ ଆଡମ୍ବର ସହକାରେ ଉତରା ଓ ଅଭିମନ୍ୟୁଙ୍କର ବିବାହ ସମ୍ପନ୍ନ ହେଲା ।

ବିବାହର ପରଦିନ ଅଭିମନ୍ୟୁ ଓ ପାଣ୍ଡବ ମାନଙ୍କର ଅତିଥିମାନେ ବିରାଟଙ୍କ ରାଜ ଦରବାରରେ ସମାବିଷ୍ଟ ହେଲେ । ସଭା ମଧ୍ୟରେ ବିରାଟ, ଦ୍ରୁପଦଙ୍କ ପରି ବରିଷ୍ଠ ରାଜାଙ୍କ ସହିତ ବସୁଦେବ, ସାତ୍ୟକୀ, ବଳରାମ, ଶ୍ରୀକୃଷ୍ଣ, ପ୍ରଦ୍ୟୁମ୍ନ, ଶାମ୍ବ, ଅଭିମନ୍ୟୁ, ଉପପାଣ୍ଡବ, ପାଣ୍ଡବ ଏବଂ ବିରାଟଙ୍କ ପୁତ୍ରମାନେ ଉପସ୍ଥିତ ଥିଲେ । ପରସ୍ପର କିଛି ସମୟ ବାର୍ତ୍ତାଳାପ ପରେ କୃଷ୍ଣ ସେମାନଙ୍କୁ ସମ୍ବୋଧିତ କରି କହିଲେ, “ଆପଣମାନେ ଜାଣନ୍ତି ଯେ, ଶକୁନିଙ୍କ କପଟ ପଶାରେ ଧର୍ମରାଜ ହାରିଗଲେ । ତାହା ତ, ରାଜ୍ୟ ଅପହରଣ ପାଇଁ ଦୁର୍ଯ୍ୟୋଧନର ଏକ ଷଡଯନ୍ତ୍ର ଥିଲା । ନିଜ ବଳ ପରାକ୍ରମରେ ପାଣ୍ଡବମାନେ ନିଜକୁ ରକ୍ଷା କରି ପାରିଥାଆନ୍ତେ । କିନ୍ତୁ ବଚନ ବଦ୍ଧ ହୋଇଥିବାରୁ ସେମାନେ କଠୋର ବନବାସ କରିନେଲେ । ତା’ ଠାରୁ ପୁଣି ଅଧିକ କଠିନ, ବିପଦପୂର୍ଣ୍ଣ ଅଜ୍ଞାତବାସ ମଧ୍ୟ ପୂରଣ କଲେ । ଗୋଟିଏ ବର୍ଷ ସେମାନେ ଭୃତ୍ୟପଣରେ ଖଟିଲେ । ଏହାପରେ କ’ଣ କରିବାକୁ ହେବ; ତାହା ଏବେ ଆପଣମାନଙ୍କୁ ସ୍ଥିର କରିବାକୁ ପଡିବ । ଅବଶ୍ୟ ଆମ୍ଭମାନଙ୍କର ସିଦ୍ଧାନ୍ତ ଉଭୟ ଦୁର୍ଯ୍ୟୋଧନ ଓ ଯୁଧିଷ୍ଠିରଙ୍କୁ ସୁହାଉ ଥିବା ଦରକାର ଓ ଏହା ଧର୍ମ ସମ୍ମତ ହେବା ମଧ୍ୟ ଜରୁରୀ । ଧର୍ମ ରାଜଙ୍କୁ ଅନ୍ୟାୟ ପନ୍ଥାରେ ସ୍ୱର୍ଗାଧିପତି ପଦ ମିଳିଲେ ମଧ୍ୟ ସେ ତାହା କେବେବି ଗ୍ରହଣ କରିବେ ନାହିଁ । ଧର୍ମ ପନ୍ଥାରେ କ୍ଷୁଦ୍ର ଗ୍ରାମଟିଏକୁ ସେ ସହର୍ଷେ ସ୍ୱୀକାର କରିବେ । ସେ ସଦା ସର୍ବଦା ଧୃତରାଷ୍ଟ୍ର-ପୁତ୍ର ମାନଙ୍କର ମଙ୍ଗଳକାମୀ ଅଟନ୍ତି । ଏବେ ପାଣ୍ଡବମାନେ ସ୍ୱଶକ୍ତିରେ ହାସଲ କରିଥିବା ରାଜ୍ୟମାନ କୌରବଙ୍କୁ ମାଗିବେ । ଉଭୟ ପକ୍ଷ ଭାଇ ଭାଇ ହୋଇଥିବାରୁ, ଉଭୟ ପକ୍ଷର କଲ୍ୟାଣକାରୀ କୌଣସି ମାର୍ଗ ଆମକୁ ଗ୍ରହଣ କରିବାକୁ ହେବ । ଦୁର୍ଯ୍ୟୋଧନ ନ୍ୟାୟପୂର୍ବକ ପାଣ୍ଡବମାନଙ୍କୁ ସେମାନଙ୍କ ରାଜ୍ୟ ଅର୍ପଣ କରିଦେଲେ ତ, କୌଣସି ସମସ୍ୟା ଆଉ ଉପୁଜିବ ନାହିଁ । କିନ୍ତୁ ସେମାନେ ଏପରି ନ କରି ଧର୍ମରାଜଙ୍କ ସହିତ ଅନ୍ୟାୟ ଆଚରଣ କଲେ ପାଣ୍ଡବମାନେ ସେମାନଙ୍କୁ ବଧ କରିବା ପାଇଁ ଆଦୌ କୁଣ୍ଠିତ ହେବେ ନାହିଁ । ସେମାନଙ୍କର ବିଧ୍ୱଂସ ତ ଅବଶ୍ୟମ୍ଭାବୀ । ଆପଣମାନେ ଦୁର୍ଯ୍ୟୋଧନକୁ ବଳବାନ ଓ ପାଣ୍ଡବମାନଙ୍କୁ ବଳହୀନ ବୋଲି ମୋଟେ ଭାବନ୍ତୁ ନାହିଁ । ଅବଶ୍ୟ ଆମକୁ ଏ ଯାବତ୍ ଦୁର୍ଯ୍ୟୋଧନଙ୍କର କୌଣସି ଅଭିପ୍ରାୟ ଜଣାନାହିଁ । ତେଣୁ ତାଙ୍କର ଉଦ୍ଧେଶ୍ୟ ଜାଣିବା ପାଇଁ ଆମକୁ ତାଙ୍କ ନିକଟକୁ ପ୍ରଥମେ ଏକ ଦୂତ ପ୍ରେରଣ କରିବା ପାଇଁ ପଡିବ । କାରଣ ତାଙ୍କର ମନକଥା ନ ଜାଣି କୌଣସି ସିଦ୍ଧାନ୍ତ ନେବା ଆମ ପାଇଁ ମୂର୍ଖତାର ପରିଚୟ ହେବ । ମାତ୍ର ଯେଉଁ ବ୍ୟକ୍ତି ଦୂତ ରୂପେ ଦୁର୍ଯ୍ୟୋଧନ ନିକଟକୁ ଯିବେ, ସେ ଜଣେ ସୁଯୋଗ୍ୟ, ବୁଦ୍ଧିମାନ, ଚତୁର ଓ ପ୍ରବୀଣ ବ୍ୟକ୍ତି ହୋଇଥିବା ଆବଶ୍ୟକ । ସେ ଯାଇ ଦୁର୍ଯ୍ୟୋଧନଙ୍କୁ ଭେଟି ପାଣ୍ଡବମାନଙ୍କୁ ଅର୍ଦ୍ଧେକ ରାଜ୍ୟ ଅର୍ପଣ କରିବା ପାଇଁ କହିବେ । ମୋର ଆଶା ସେ ଏହି କାର୍ଯ୍ୟରେ ନିଶ୍ଚୟ ସଫଳ ହୋଇ ଫେରିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ