ଜାଦୂର ଥଳି

ସେ ଭଦ୍ରଲୋକ କିନ୍ତୁ ଏହି ପ୍ରସ୍ତାବରେ ଆଦୌ ରାଜି ହେଲେ ନାହିଁ । ମଜା ଦେଖିବା ପାଇଁ ବିକ୍ରମ ଆଦେଶ ଦେଲା, “ମେଜିକ୍ ଥଳିରେ ପଶି ଯାଅ ।” ଏତିକି କହିବା ମାତ୍ରକେ ସେ ଭଦ୍ରଲୋକ ଜଣକ ତୁରନ୍ତ ଥଳି ଭିତରେ ବନ୍ଦୀ ହୋଇଗଲେ । ସେ ଭଦ୍ରଲୋକଟିର ସେଠାରୁ ତ ଆଉ ବାହାରିବାର କୌଣସି ଉପାୟ ନାହିଁ । ଧୀରେ ଧୀରେ ସେ ଭଦ୍ରଲୋକଟି ଅଣନିଃଶ୍ୱାସୀ ହୋଇ ଯାଉଥାଆନ୍ତି । ସେଠାରୁ ମୁକ୍ତି ପାଇବାର କୌଣସି ଉପାୟ ନ ଦେଖି ସେ ଭଦ୍ରଲୋକ ଜଣକ କହିଲେ, “ମୋତେ ଏଥିରୁ ଉଦ୍ଧାର କର । ମୁଁ ତୁମକୁ ଏ ମେଜିକ୍ ବଟୁଆଟି ନିଶ୍ଚୟ ଦେଇଦେବି ।”

ଏକଥା ଶୁଣି ବିକ୍ରମ ଆଦେଶ ଦେଲା, “ଏଥର ବାହାରି ଆସ ।” ତାପରେ ଜାଦୂ ବଟୁଆ ବିକ୍ରମ ହାତରେ ଧରାଇ ସେ ଭଦ୍ରଲୋକ ଜଣକ ସେଠାରୁ ବାହାରିଗଲେ ।

ବିକ୍ରମର ତ ଆଉ କିଛି ଅଭାବ ନ ଥାଏ । କେବଳ ସେ ମେଜିକ୍ ବଟୁଆ ଓ ମେଜିକ୍ ଥଳି ଦୁଇଟି ତାର ସାଥୀ । ଦେଶର ଚାରିଆଡେ ଭ୍ରମଣ କରି ସେ କେତେ ଲୋକଙ୍କୁ ସାହାଯ୍ୟ କରୁଥାଏ । ଦୁଷ୍ଟମାନଙ୍କୁ ଦଣ୍ଡ ମଧ୍ୟ ଦେଉଥାଏ । ଭୋକିଲା ଲୋକଙ୍କୁ ସେ ଖାଇବାରେ ସାହାଯ୍ୟ କରେ । ଏଇମିତି ଅନେକ ଦିନ ବିତିଗଲା । ଏଥର ତାର ମନ ଡାକିଲା ରାଜଧାନୀକୁ ଫେରି ଆସିବା ପାଇଁ ।

ବିକ୍ରମ ଯେଉଁଦିନ ରାଜଧାନୀରେ ପହଁଚିଲା, ସେ ଦେଖିଲା କାହାରି ମନରେ ଆଦୌ ଟିକେ ବି ସୁଖ ନାହିଁ । ରାଜ୍ୟର ଲୋକମାନେ କିଛି ଗୋଟାଏ ବିପଦକୁ ଯେମିତି ଅପେକ୍ଷା କରି ରହିଛନ୍ତି । ତେଣୁ ସେ ବିକ୍ରମ ଯାଇ ଜଣେ ବୃଦ୍ଧଲୋକଙ୍କୁ ଘଟଣାଟି କ’ଣ ଜାଣିବା ପାଇଁ ତାଙ୍କୁ ପଚାରିଲା । ସେ ବୃଦ୍ଧଲୋକ କହିଲେ, “ବାବୁରେ ! ଆଜି ରାତିରେ ଏକ ଅସୁର ଆସି ଆମ ରାଜକନ୍ୟାଙ୍କୁ ଧରି ଏଠାରୁ ନେଇଯିବ । ଖାସ୍ ସେଇଥିପାଇଁ ସମସ୍ତଙ୍କ ମନରେ ଖୁବ୍ ଦୁଃଖ ।” ବୃଦ୍ଧ ଜଣକ କାରଣ କ’ଣ ଏ ବିଷୟରେ ସେ କିଛି ବି କହିପାରିଲେ ନାହିଁ ।

ବିକ୍ରମ ତୁରନ୍ତ ଯାଇ ରାଜାଙ୍କୁ ସାକ୍ଷାତ କଲା । ପଚାରିବାରୁ ରାଜା କହିଲେ, “ବହୁତ ଦିନ ପୂର୍ବେ ବଣରେ ଶିକାର କରିବାବେଳେ ମୁଁ ହଠାତ୍ ଗୋଟେ ବଡ ବିପଦରେ ପଡିଥିଲି । ଠିକ୍ ସେହି ସମୟରେ ଗୋଟିଏ ଅସୁର ମୋତେ ଉଦ୍ଧାର କରି ମୋ’ଠାରୁ ସତ୍ୟ କରାଇ ନେଇଥିଲା, ‘ଯେଉଁଦିନ ମୋ ଝିଅକୁ କୋଡିଏ ବର୍ଷ ହେବ, ସେହିଦିନ ହିଁ ସେ ଅସୁର ଆସି ମୋ ଝିଅକୁ ଏଠାରୁ ନେଇଯିବ ।’

ଆଜି ହିଁ ମୋ ଝିଅକୁ କୋଡିଏ ବର୍ଷ ପୂରିଯାଉଛି । ବର୍ତ୍ତମାନ ସେ ଅସୁରର ପାଳି । ସେହିଦିନ ମୁଁ ଅସହାୟ ଥିଲି । ଆଜି ମଧ୍ୟ ମୋର କୌଣସି ଉପାୟ ନାହିଁ । ରାଜକନ୍ୟାକୁ ନ ନେଲେ ସେ ଅସୁର ନିଶ୍ଚୟ ମୋ ରାଜ୍ୟ ଲୋକଙ୍କର ଅମଙ୍ଗଳ କରିବ ।”

ଏସବୁ କଥା ଶୁଣି ସେ ବିକ୍ରମ ରାଜାଙ୍କୁ କହିଲା, “ଆପଣ ରାଜକନ୍ୟାଙ୍କ ଶୋଇଲାଘର ପାଖକୁ ଲାଗି ମୋର ରହିବା ପାଇଁ ବନ୍ଦୋବସ୍ତ କରି ଦିଅନ୍ତୁ । ମୋତେ ଆପଣ ଗୋଟିଏ ଠେଙ୍ଗା ଦେବେ । ମୋ ଘରର ବାହାର ଝରକାଟି ଖୋଲା ରଖିବାକୁ ଆପଣ ଆଦେଶ ଦେବେ ।”

ରାଜାଙ୍କର ତ ଅନ୍ୟ ଉପାୟ କିଛି ନ ଥିଲା । ତେଣୁ ରାଜା ବିକ୍ରମ କହିବା ଅନୁସାରେ ସେ ସବୁ ବ୍ୟବସ୍ଥା କରିଦେଲେ । ରାତିରେ ଅନ୍ଧାର ମାଡି ଆସିଲା । ଝରକା ପାଖରେ ମେଜିକ୍ ଥଳିଟି ଖୋଲି ଦେଇ ବିକ୍ରମ ଅପେକ୍ଷା କରି ବସିଥାଏ । ରାତି ପହରକ ସରିକି ଏକ ଭୟଙ୍କର ଗର୍ଜନ ଶୁଣାଗଲା । ଏ ପ୍ରକାର ଗର୍ଜନ ଶୁଣି ରାଜଧାନୀର ସମସ୍ତ ଲୋକେ ଖାଲି ଭୟରେ ଥରଥର । ଅସୁର ଯେମିତି ଆସି ବିକ୍ରମର ଖୋଲା ଝରକା ପାଖରେ ପହଁଚି ଯାଇଛି, ସେମିତି ସେ ବିକ୍ରମ ଆଦେଶ ଦେଲା, ‘ମେଜିକ୍ ଥଳିରେ ପଶିଯାଆ ।’

ଚାହୁଁ ଚାହୁଁ ସେ ଅସୁରଟି ଆଖିପିଛୁଳାକେ ଥଳି ଭିତରେ ବନ୍ଦୀ ହୋଇଗଲା । ଏପରି ଅଚାନକ ବିପଦ ପ୍ରତି ସେ ଅସୁର ତ ଆଦୌ ପ୍ରସ୍ତୁତ ନ ଥିଲା । ବିକ୍ରମ ଏଥର ତା ଘରେ ଆଲୁଅ ଜାଳି ଦେଲା । ଥଳି ଭିତରୁ ସେ ଅସୁର କହିଲା, “ତୁ କିଏ? ମୋତେ କାହିଁକି ବନ୍ଦୀ କଲୁ?”


ଗପ ସାରଣୀ

ତାଲିକାଭୁକ୍ତ ଗପ