ମହାଭାଗ୍ୟ

ଗୋଟିଏ ଗ୍ରାମରେ ଶ୍ରୀପତି ନାମକ ଜଣେ ଗାଈରଖୁଆଳ ଯୁବକ ଥିଲା । ତା’ର ସ୍ୱାସ୍ଥ୍ୟ ଭଲ, ତତ୍ସହିତ ତା’ର ମନବଳ ମଧ୍ୟ ବହୁତ । ତେଣୁ ସେ ଚାହୁଁଥାଏ ଯେ ଦେଶଭ୍ରମଣ କରନ୍ତା ଓ ଯୁଦ୍ଧ ବି କରନ୍ତା । ଏହିପରି ଦିନେ ଭାବୁ ଭାବୁ ସେ ଗୋଟିଏ ଗଛ ମୂଳରେ ଯାଇ ଶୋଇ ପଡିଲା ଓ ଏକ ବିଚିତ୍ର ସ୍ୱପ୍ନ ଦେଖିଲା ।

                ସ୍ୱପ୍ନରେ ସେ ଦେଖିଲା ଯେ ସେ ପାହାଡ ଉପରେ ଚଢିଚଢି କୌଣସି ଏକ ସ୍ଥାନରେ ଯାଇ ପହଁଚିଛି । ସେଠାରେ ଏକ ଶୂନ୍ୟ ସିଂହାସନ ପଡିଛି । ତା’ଉପରେ ସେ ଯାଇ ବସି ପଡିବାମାତ୍ରେ ଦେଖିଲା ତା’ପାଖରେ ସୁନ୍ଦରୀ ସ୍ତ୍ରୀଟିଏ ନାନା ଅଳଙ୍କାର ପିନ୍ଧି ବସିଛି ।” “ଆରେ ଇଏ କିପରି ସମ୍ଭବ ହେଲା” ଏକଥା ଭାବି ସେ ନିଜ ମଥାରେ ହାତ ଦେବା ମାତ୍ରେ ତା’ ହାତଟି ମଥାରେ ଥିବା ରତ୍ନ ମୁକୁଟକୁ ସ୍ପର୍ଶ କଲା । ଏହାପରେ ସେ ମହାଆନନ୍ଦରେ ଚିତ୍କାର କଲା, “ମୁଁ ରାଜା” । ନିଜ ଚିତ୍କାରରେ ସେ ନିଜେ ଉଠି ପଡି ଚାରିଆଡକୁ ଚାହିଁ ଦେଖିଲା ଗାଈମାନେ ଚରୁଛନ୍ତି । ଭାବିଲା, “ଆହାରେ କି ବଢିଆ ସ୍ୱପ୍ନଟି; କାହିଁକି ମୋ ନିଦ ଭାଙ୍ଗି ଗଲା କେଜାଣି?”

                ପରଦିନ ମଧ୍ୟ ସେ ଠିକ୍ ସେହି ଏକହିଁ ସ୍ୱପ୍ନ ଦେଖିଲା ସେଦିନ ସେ ଭାବିଲା ଯଦି ମୁଁ କାଲି ପୁଣି ଏମିତି ସ୍ୱପ୍ନ ଦେଖେ, ତେବେ ମୁଁ ସିଧା ସେ ପାହାଡ ଚଢି ତା’ଆରପଟରେ ଥିବା ଚିତ୍ରପୁରକୁ ଚାଲିଯିବି । କିଏ କହିବ ହୁଏତ ମୁଁ ସେଦେଶର ଦିନେ ରାଜା ମଧ୍ୟ ହୋଇଯାଇ ପାରେ ।”

                ତୃତୀୟଦିନ ମଧ୍ୟ ସେ ଶ୍ରୀପତି ସେହି ଏକା ସ୍ୱପ୍ନ ଦେଖିଲା । ସ୍ୱପ୍ନରୁ ଉଠି ସେ ସିଧା ପାହାଡ ଚଢିଲା । ବହୁତ ଉପରକୁ ଗଲା । କିନ୍ତୁ କେଉଁଠାରେ ହେଲେବି ସେ ସିଂହାସନ ଦେଖିବାକୁ ପାଇଲା ନାହିଁ । ତଥାପି ମଧ୍ୟ ସେ ନିରାଶ ନହୋଇ ପୁଣି ଆଗକୁ ଚାଲିଲା । ଶେଷରେ ଠିକ୍ ରାତି ପୂର୍ବରୁ ଚିତ୍ରପୁର ରାଜ୍ୟରେ ସେ ଯାଇ ପହଁଚିଲା । ସେତେବେଳକୁ ତ ତାକୁ ପ୍ରବଳ ଭୋକ ହେଲାଣି, କେହି ଲୋକ ବା ଘରଦ୍ୱାର ମଧ୍ୟ ସେ ସେଠାରେ ଦେଖିବାକୁ ପାଇଲା ନାହିଁ । ଭାବିଲା “ରାତିଟା କୌଣସି ମତେ ଏହି ଗଛ ତଳେ ବସି କଟାଇ ଦେଲେ ସକାଳକୁ ପଛେ ଯାହାହେବ ଦେଖାଯିବ ।” ଏହିପରି ଭାବି ସେ ଗୋଟିଏ ଗଛମୂଳେ ଜାକିଜୁକି ହୋଇ ଶୋଇବାକୁ ବସିଛି, ଠିକ୍ ଏହି ସମୟରେ ସେ ଘୋଡାମାନଙ୍କର ଟାପୁଶବ୍ଦ ଶୁଣିଲା । ଘୋଡାସବାରମାନଙ୍କ କଥାବାର୍ତ୍ତାରୁ ଯାହା କିଛି ସେ ବୁଝିଲା ତା’ର ଅର୍ଥ ହେଉଛି ଅଳ୍ପଦୂରରେ ଗୋଟିଏ ଭଙ୍ଗା କୋଠାରେ ସେମାନେ ରାତିଟି କଟାଇବେ । ଶ୍ରୀପତିର ଅଧିକ କୌତୁହଳ ହେବାରୁ ସେ ଚୁପ୍ଚାପ୍ ସେମାନଙ୍କ ପଛରେ ଚାଲିଲା । ଅଳ୍ପ ସମୟ ପରେ ସେହି ଭଙ୍ଗାକୋଠା ପାଖରେ ଯାଇ ସେମାନେ ପହଁଚିଲେ ଓ ଘରଭିତରକୁ ଯାଇ ଶୋଇଗଲେ । ଶ୍ରୀପତି ତା’ପରେ ଧୀରେ ଧୀରେ ସେ ଘର ପାଖକୁ ଯାଇ କାନ୍ଥ ପାଖରେ ଲୁଚି ଛିଡା ହେଲା । ତାକୁ ଲାଗିଲା ସେମାନେ ସବୁ ଚୋର । ସେମାନେ, ନିଦରେ ନଶୋଇ କଥାବାର୍ତ୍ତା ହେଉଥା’ନ୍ତି ।

                ଜଣେ କହିଲା, “କିରେ, ଚିଲ, ଆଜି ତୁ କ’ଣ ପାଇଲୁ?” ତହୁଁ ସେ ଚିଲ ନାମକ ଲୋକଟି କହିଲା, “ସର୍ଦ୍ଦାର, ମୁଁ ଆଜି ଯାହା ପାଇଛି ତାହା କେହି କେବେବି ପାଇ ନଥିବ । ମୁଁ ଜଣେ ଧନୀ ଲୋକର କୁର୍ତ୍ତା ଚୋରୀ କରିଛି । ତାହା ସାଧାରଣ କୁର୍ତ୍ତା ନୁହେଁ ମନ୍ତ୍ରକରା କୁର୍ତ୍ତା । ଯେତେ ଟଙ୍କା ଚାହିଁବେ, ସେହି କୁର୍ତ୍ତାକୁ ଥରେ ଖାଲି ହଲେଇ ଦେଲେ, ସେତେ ଟଙ୍କା ଝଡିବ ।”

                ତା’କଥା ଶୁଣି ସର୍ଦ୍ଦାର ତାକୁ ବହୁତ ପ୍ରଶଂସା କରି ଆଉ ଜଣକୁ ପଚାରିଲା, “ଆଚ୍ଛା, ଶିଆଳ, କହିଲୁ ଦେଖି ତୁ ଆଜି କ’ଣ ପାଇଛୁ?”

                ଏହାପରେ ଶିଆଳ ନାମକ ଲୋକଟି କହିଲା, “ମାଲିକ, ମୁଁ ଆଜି ବଡ ଭାଗ୍ୟବାନ୍ । ପ୍ରାଣ ସଂକଟରେ ପଡିଥିବା ଜଣେ ସେନାପତିଙ୍କ ମୁକୁଟଟି ମୁଁ ଚୋରୀ କରିଛି । ସେଇଟା ମଥାରେ ପିନ୍ଧି ଯେଉଁ ଆଡକୁ ଚାହିଁବ ସେହି ପଟରେ ମନକୁ ମନ ବାଣବର୍ଷଣ ହେବ ।”

                ସର୍ଦ୍ଦାର ପଚାରିଲା “ବାଃ, ବାଃ, ତୁ ପ୍ରକୃତରେ ଠିକ୍ ଶିଆଳ ପରି ବୁଦ୍ଧିମାନ୍ । ଆଚ୍ଛା, ଏବେ ଭାଲୁ, ତୁ କହ ଆଜି କ’ଣ ପାଇଲୁ?”

                “ମାଲିକ, ମୁଁ ଏକ ବିଚିତ୍ର ତଲବାର ପାଇଛି । ତାକୁ ଯେତେଥର ଭୂମିରେ ଫୋଡିବ, ପ୍ରତିଥର ହଜାର ହଜାର ସୈନ୍ୟ ସେଥିରୁ ବାହାରିବେ ।” ଭାଲୁ ନାମକ ବ୍ୟକ୍ତି ଏହା କହିଲା ।

“ବହୁତ ଭଲ କଥା; ଏସବୁ କାନ୍ଥରେ ଟଙ୍ଗାଇ ଦେଇ ଶୋଇ ଯାଅ । କାଲି ପୁଣି ବହୁତ କାମ ଅଛି । ସର୍ଦ୍ଦାର ଏପରି କଥା କହିଲା,

ତା’ପରେ ସେମାନେ ସମସ୍ତେ ନିଘୋଡ ନିଦରେ ଶୋଇଗଲେ । କିଛି ସମୟ ପରେ ଶ୍ରୀପତି ଚୁପ୍ଚାପ୍ ସେ ଘର ଭିତରେ ପଶି କାନ୍ଥରେ ଲଟକା ହୋଇଥିବା କୁର୍ତ୍ତା, ମୁକୁଟ ଓ ତଲବାର ନେଇ ଆସିଲା । ଏହାପରେ ଗୋଟିଏ ଦିନ ଚାଲିଚାଲି ଶେଷକୁ ସେ ଯାଇ ରାଜଧାନୀରେ ପହଁଚିଲା । ସେଠାରେ ପହଁଚି ସେ ସେଠିକା ରାଜାଙ୍କୁ ଦେଖା କରିବାକୁ ଚାହିଁଲା । ଦୁର୍ଗ ରକ୍ଷକ ପଚାରିଲା, “କିଏ ତୁମେ? ରାଜାଙ୍କ ଦର୍ଶନ ପାଇବା କ’ଣ ଏତେ ସହଜ?”


ଗପ ସାରଣୀ

ତାଲିକାଭୁକ୍ତ ଗପ