ଏଭଳି କଥା ଶୁଣି ସେହି ମୁହୂର୍ତ୍ତରେହିଁ ଭୀମର ପଶ୍ଚାତାପ ହେଲା । ମନ୍ଦିର ଯାଇ ପୂଜକକୁ ସେ ସେହି ଟଙ୍କାଟି ଦେଇ କହିଲା, “ଆପଣ ଏଥିରେ ମୋର ପ୍ରାୟଶ୍ଚିତ ପାଇଁ କିଛି ପୂଜା କରି ଦିଅନ୍ତୁ ।” ଟଙ୍କା ଯେମିତି ହାତରେ ପଡିଛି ସେ ପୂଜକ ସେମିତି ଖୁସି ହୋଇ ଭାବିଲା “ମନ୍ଦିର ପାଖ ଗଳିରେ ତ ବାସନ୍ତୀ ରହେ ସେଠିକୁ ଯାଇ ମୁଁ ଟିକେ ତା’ ନାଚଗୀତ ଶୁଣିବି ।” ତା’ପରେ ପୂଜକ ସେଇ ଟଙ୍କାଟି ନେଇ ସେ ବାସନ୍ତୀ ପାଖକୁ ଗଲା ।
ବାସନ୍ତୀ ପୂଜକକୁ ଭଲ ଭଲ ଗୀତ ଗାଇ ଶୁଣାଇଲା ପରେ ସେ ଖୋଜି ଦେଖିଲା ତା’ ଟଙ୍କାଟି କିଏ ନେଇଯାଇଛି । ଏଣୁ ସେ ତା’ର ଚାକରାଣୀ ଗୌରୀ ଉପରେ ଟିକିଏ ସନ୍ଦେହ କଲା । ବାସନ୍ତୀ ତାର ମା’କୁ ସବୁକଥା କହିବାରୁ ମା’ କହିଲା, “ତେବେ ତୁ ଶୀଘ୍ର ଯାଇ ନ୍ୟାୟାଧିକାରୀଙ୍କ ପାଖରେ ନିଜ ଅଭିଯୋଗ ଉପସ୍ଥାପନା କର । ଆଜି ତୋର କିଏ ଟଙ୍କାଟିଏ ନେଲା; କାଲି ହୁଏତ ତୋର କେହି ମୂଲ୍ୟବାନ୍ ଗହଣା ନେଇ ଯିବ ।” ବାସନ୍ତୀ ଅଭିଯୋଗ ଲେଖି ଅନ୍ୟ ଜଣେ ଚାକର ହାତରେ ନ୍ୟାୟାଧିକାରୀଙ୍କ ପାଖକୁ ତାହା ପଠାଇ ଦେଲା । ସେ ଟଙ୍କାଟି ପ୍ରକୃତରେ ଗୌରୀହିଁ ଚୋରୀ କରିଥିଲା । ଏ ପର୍ଯ୍ୟନ୍ତ ତ ସେ କେବେବି ମଧ୍ୟ ଚୋରୀ କରି ନଥିଲା । ଟଙ୍କାଟି ନେଇ ସେ ଚୋଲି ପାଇଁ କପଡା କିଣିବାକୁ ଲୁଗା ଦୋକାନକୁ ଗଲା । ସେଠାକୁ ସେ ସିନା ବାସନ୍ତୀ ସହିତ ଯାଇଛି, ହେଲେ ଏକା ତ ସେଠାକୁ ସେ କେବେବି ଯାଇ ନାହିଁ । ତେଣୁ ଦୋକାନୀ ଏଥିରେ ତାକୁ ସନ୍ଦେହ କରି ଖବର ପଠାଇଲା, ପରିଶେଷରେ ସେ ଗୌରୀର ଚୋରୀ ଧରାପଡିଲା ।
ସଂଧ୍ୟାବେଳେ ସେ ନ୍ୟାୟଧିକାରୀ ବାସନ୍ତୀକୁ ଡାକି ତାକୁ କହିଲେ, “ଟଙ୍କାଟିଏ ପାଇଁ ଗୌରୀକୁ କାରାଦଣ୍ଡ ଦେବା ତ ଆଉ ଉଚିତ୍ ହେବନାହିଁ । ତେଣୁ ସବୁଠୁ ଭଲ ହେବ ତୁମେ ବରଂ ତାକୁ ତା’ ଚାକିରୀରୁ ବାହାର କରିଦିଅ ।”
ବାସନ୍ତୀ କହିଲା “ସେ ଟଙ୍କାଟି ମୋ ପାଇଁ ବହୁତ ମୂଲ୍ୟବାନ୍ । ଯେଉଁ ପୂଜକ ଦିନେକାଳେ ମୋ ପାଖକୁ କେବେ ମଧ୍ୟ ଆସୁନଥିଲା, ସେ ଏହି ଟଙ୍କାଟି ମୋତେ ଦେଇ ମୋର ଗୀତ ଶୁଣିଲା ।”
ଏଭଳି କଥା ଶୁଣି ସେ ନ୍ୟାୟାଧିକାରୀ ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଆଚ୍ଛା କ’ଣ ସେ ବୁଢା ପୂଜକ ଗୀତ ଶୁଣିବାକୁ ଆସିଥିଲା ।” ଏହାପରେ ଚାକର ହାତରେ ଖବର ପଠାଇ ସେ ପୂଜକକୁ ଡକା ହେଲା । ପୂଜକ କହିଲା କି ଭୀମ ପହଲବାନ୍ ତାକୁ ଏ ଟଙ୍କାଟି ଦେଇଥିଲା ଓ କହିଥିଲା ଯେ ଏହି ଟଙ୍କା ଭିତରେ କୌଣସି ଏକ ଯାଦୁ ଅଛି । ଏମିତି ଖୋଜି ଖୋଜି ଶେଷକୁ ସେ କେଳା ପାଖରେ ଯାଇ କଥା ପହଁଚିଲା । ନ୍ୟାୟାଧିକାରୀ ଗମ୍ଭୀର ଭାବରେ ଭାବିଲେ ଯେ ଏ ଟଙ୍କା କାହାର ହୋଇପାରେ । ସେତେବେଳେ ସେଠାକୁ ଭଦ୍ର ଓ ଜଣେ ଗରୀବ ଚାଷୀ ଆସି ପହଁଚିଲେ । ସେ ଦୁଇଜଣ ସେଦିନ ଟଙ୍କାଏ ଲେଖାଏଁ ହଜାଇ ଥିଲେ । ସେ ଗରୀବଟି ଖାଲି କାନ୍ଦି କାନ୍ଦି କହୁଥାଏ କି ସାରାଦିନର ପରିଶ୍ରମର ମୂଲ୍ୟ ଆଜି ମୋର ହଜିଗଲା ।
ତା’ପରେ ସେ ଗରୀବଟିକୁ ଚାହିଁ ନ୍ୟାୟାଧିକାରୀ କହିଲେ, “ତୁ ବଡ ଅଭାଗା, ଟଙ୍କା ମୋ ପାଖରେ ଅଛି କିନ୍ତୁ ସେ ଟଙ୍କା ତୋର ନୁହେଁ । ସେଇଟି ଭଦ୍ରଙ୍କର ।” ତା’ପରେ ନ୍ୟାୟାଧିକାରୀ ସେ ଟଙ୍କାଟି ଭଦ୍ରଙ୍କୁ ଦେଇଦେଲେ । ଏସବୁ ଦେଖି ସେ ଗରୀବଟି କହିଲା, “ମହାଶୟ, ଆପଣ କିପରି ଜାଣିଲେ ଯେ ସେଇ ଟଙ୍କାଟି ଭଦ୍ରଙ୍କର ବୋଲି ।”
ତା’କଥାରେ ସେ ନ୍ୟାୟାଧିକାରୀ ହସି ହସି କହିଲେ, “ଏ ଗାଁରେ ଭଦ୍ରଙ୍କ ବିଷୟରେ ନ ଜାଣେ ବା କିଏ? ସେ ତ ତାଙ୍କ ପଇସାକୁ ସଦା ସର୍ବଦା ନିଜ ପାଖରେ ବନ୍ଦୀ ବନାଇ ରଖୁଛନ୍ତି । ତାଙ୍କ ହାତରୁ ଟଙ୍କାଟି ବାହାରିବା ମାତ୍ରେ ଏଇ ଦେଖୁନ ତାହା କେମିତି ସ୍ୱାଧିନ ହୋଇ ବୁଲୁଛି । ତେଣୁ କେଉଁଠିବି ତାହା ସ୍ଥିର ହୋଇ ନ ରହି ବିଭିନ୍ନ ପ୍ରକାରର ଲୋକଙ୍କ ହାତରେ ଥାଇ ତାହା ବୁଲୁଛି । କେବଳ ସେତିକି ନୁହେଁ, ଯାହା ହାତକୁ ସେଇଟି ଯାଇଛି, ସେଠାରେ ସେ ଗୋଳମାଳ ନିଶ୍ଚୟ ସୃଷ୍ଟି କରିଛି । ତେଣୁ ସେ ଟଙ୍କା ଭଦ୍ରଙ୍କ ବ୍ୟତୀତ ଆଉ କାହାର ମଧ୍ୟ ହୋଇ ନପାରେ । ଚାଷୀର ଅର୍ଜନ ପରିଶ୍ରମର ଫଳ । ଏପରି ଟଙ୍କା ପବିତ୍ର ଓ ସ୍ୱାର୍ଥହୀନ ହୋଇଥାଏ । ତାକୁ ଘରେ ବନ୍ଦୀ ବନାଇ ଆଦୌ ରଖା ହୋଇ ପାରେ ନାହିଁ । ଜୀବନ ରକ୍ଷା କରିବା ପାଇଁ ସେ ଧନ ଖର୍ଚ୍ଚ ହୁଏ । ତେଣୁ ସେ ଟଙ୍କାର ଉପଯୋଗ ପ୍ରକୃତ କାର୍ଯ୍ୟରେ ହୋଇଥାଏ । କିନ୍ତୁ ଧନୀଘରେ ଥିବା ପଇସା ବ୍ୟର୍ଥ । କାରଣ ତାହା କେବଳ ଲୋଭ ଓ କଞ୍ଜୁସି ଗୁଣରୁ ରଖା ହୋଇ ଥାଏ । ଦରକାର ପଡିଲେ ମଧ୍ୟ ତାହା ଖର୍ଚ୍ଚ ହୁଏ ନାହିଁ । ତାର ଟଙ୍କା ଲୋଭ ପାଇଁ ରଖା ହୋଇଥାଏ ମାତ୍ର ଜୀବନ ବଂଚାଇବା ପାଇଁ ନୁହେଁ । ଏହି ଟଙ୍କା ଯେତେବେଳେ ଲୋକଙ୍କ ହାତକୁ ଯାଇଛି ପରିଣାମ ଖରାପ କରିଛି ସିନା, ହେଲେ ଭଲ କରିନାହିଁ । ଏହାର ପ୍ରମାଣ ଭଦ୍ରଙ୍କର ହଜି ଯାଇଥିବା ଏହି ଟଙ୍କା ।”
ନ୍ୟାୟାଧିକାରୀଙ୍କ କଥା ଶୁଣି ସେଠାରେ ଥିବା ସମସ୍ତେ ଖୁବ୍ ଜୋର୍ରେ ହସିପକାଇଲେ । ସେସବୁ ଭଦ୍ର ଭଲ ଭାବରେ ବୁଝିଲା ଓ ନିଜ ଟଙ୍କାଟିକୁ ସେ ଗରିବ ଚାଷୀକୁ ଦେଇଦେଲା । ସେହିଦିନଠାରୁ ନିଜର ଟଙ୍କାକୁ ସେ ଭଦ୍ର ଆଉ ବନ୍ଦୀ ବନାଇ ନ ରଖି ସେସବୁକୁ କିଛି ଭଲ କାମରେ ଲଗାଇଲା । ଏବେ ତାଙ୍କ ଗ୍ରାମରେ ସେ ବଡ ଲୋକପ୍ରିୟ ହୋଇ ଉଠିଲା ।