ଶିବପୁରର ରାଜା ଶ୍ରୀଦତ ଜଣେ ସୁଶାସକ ନଥିଲେ, ମାତ୍ର ମଣିଷ ହିସାବରେ ସେ ଅତ୍ୟନ୍ତ ଭଦ୍ର ଥିଲେ । ତେଣୁ ତାଙ୍କ ପାତ୍ର ମିତ୍ର ଓ ପ୍ରଜାକୂଳ ସମସ୍ତେ ତାଙ୍କୁ ଭାରି ଭଲ ପାଉଥିଲେ ।
ରାଜା କିନ୍ତୁ ରାଜସଭା ଡକାଇବାକୁ ଭାରି ଡରୁଥିଲେ । ଯଦି ବା ପାତ୍ର ମିତ୍ର ତାଙ୍କୁ ଖୁବ୍ ଶ୍ରଦ୍ଧା କରୁଥିଲେ, ତେବେ ରାଜା ସେମାନଙ୍କ ବୈଠକ ଡାକିବାକୁ କୁଣ୍ଠାବୋଧ କାହିଁକି କରିବେ? ଏ ପ୍ରଶ୍ନର ଉତ୍ତର ହୁଏତ ଖୋଦ୍ ରାଜା ବି ସହଜରେ ଦେଇ ପାରନ୍ତେ ନାହିଁ । କଥା କ’ଣ କି, ସେ ରାଜସଭାରେ ଜଣେ ପଣ୍ଡିତ ଥିଲେ । ତାଙ୍କ ନାମ ଧନୁର୍ଦ୍ଧର ଶାସ୍ତ୍ରୀ । ରାଜା ବା କୌଣସି ସଭାସଦ୍ ଯେମିତି ଗୋଟାଏ ପ୍ରଶ୍ନ ଉଠାଇବେ, ସେମିତି ସେ ପ୍ରଶ୍ନ ଉପରେ ଶାସ୍ତ୍ରୀ ଅନର୍ଗଳ ବକ୍ତୃତା ଦେବାକୁ ଆରମ୍ଭ କରିବେ । ଶାସ୍ତ୍ରରୁ ଉଦାହରଣ ଦେଇ, ପୋଥି ପୁରାଣରୁ ଶ୍ଳୋକମାନ ଉଦ୍ଧାର କରି ସେ ଯାହା କହିବେ, ଆଲୋଚ୍ୟ ବିଷୟ ସହିତ ସେସବୁର ସମ୍ପର୍କ କେତେଦୂର, ତାହା ଅବଶ୍ୟ ଭିନ୍ନ କଥା ।
ସେ ଶାସ୍ତ୍ରୀ ପଣ୍ଡିତ ହିସାବରେ ଶିବପୁର ରାଜ୍ୟର ଗୌରବ ଥିଲେ ବୋଲି ଅବଶ୍ୟ କୁହାଯାଇପାରେ । ଶ୍ରୀଦତଙ୍କ ପିତା ପୂର୍ବତନ ରାଜା ତାଙ୍କୁ ବହୁତ ମାନ୍ୟ କରୁଥିଲେ । ତେଣୁ କେହି ବି ତାଙ୍କୁ କିଛି କହିପାରୁ ନଥିଲେ ।
ଶାସ୍ତ୍ରୀ କହିବାକୁ ଆରମ୍ଭ କଲେ ରାଜା ନିଜ କପାଳ ଟିପି ଧରି ବସି ରହୁଥିଲେ । ରାଜାଙ୍କ ସେ ମୁଣ୍ଡବିନ୍ଧା ଆଉ କେହି ଲକ୍ଷ୍ୟ କରନ୍ତୁ ବା ନ କରନ୍ତୁ, ମାତ୍ର ବିଷ୍ଣୁଦେବ ଠିକ୍ ଲକ୍ଷ୍ୟ କଲେ । ସେ ସେହି ପ୍ରାସାଦ ପରିସରରେ ଥିବା ଗୋଟିଏ ମନ୍ଦିରର ପୂଜକ ଥିଲେ ।
ଦିନେ ବିଷ୍ଣୁଦେବ ରାଜାଙ୍କୁ ଏକାକୀ ଦେଖି କହିଲେ, “ମହାରାଜ, ଆଜି ମୁଁ ଦରବାରରେ ଶାସ୍ତ୍ରୀଙ୍କ ବକ୍ତୃତା ଶୁଣୁଥିଲି । ସେ କଥା ପ୍ରସଙ୍ଗରେ କହୁଥିଲେ କି ଗୋଟାଏ ଶିଶୁ ଯେତେ ନିରୋଧ ବା ଏକଜିଦିଆ ହେଲେ ବି ତାକୁ ସେ ନିଶ୍ଚୟ ପଣ୍ଡିତ କରିଦେଇ ପାରିବେ । ମୋ ପ୍ରତିବେଶୀର ଗୋଟାଏ ଶିଶୁ ଅଛି, ଯିଏ କି ସଞ୍ଜହେଲେ ଖାଲି ରଡି କରି କାନ୍ଦିବାକୁ ଆରମ୍ଭ କରିଦିଏ ଆଉ ରାତି ସାରା ରଡିକରେ । ଏହି କାରଣରୁ ଆମ ବସତିର ଲୋକେ ରାତିରେ ଟିକେ ଶାନ୍ତିରେ କେବେବି ଶୋଇ ପାରନ୍ତି ନାହିଁ । ଏହି ଶାସ୍ତ୍ରୀଙ୍କ ଜିମା ତାକୁ ଛାଡିଲେ କିପରି ହୁଅନ୍ତା?”
ରାଜାଙ୍କୁ ଏ ପ୍ରସ୍ତାବ ଅମୃତମୟ ଶୁଭିଲା: ଏଣୁ ସେ ଶାସ୍ତ୍ରୀଙ୍କୁ ଡକାଇ କହିଲେ, “ପଣ୍ଡିତେ! ଆପଣଙ୍କ ଜ୍ଞାନ କଥା ନ ଜାଣେ ବା କିଏ? କିନ୍ତୁ ଜ୍ଞାନ ରଖିବା ଗୋଟାଏ କଥା, ମାତ୍ର ଜ୍ଞାନକୁ କାମରେ ଲଗାଇ ଦେଖାଇବା ଆଉ ଗୋଟାଏ କଥା । ଆପଣ ଯେ କୌଣସି ମୂଢ ଶିଶୁକୁ ପଣ୍ଡିତ ବନାଇ ଦେଇ ପାରିବେ ବୋଲି ଘୋଷଣା କରି ବହୁତ ଭଲ କରିଛନ୍ତି । ଠିକ୍ ସେମିତି ଗୋଟାଏ ଶିଶୁକୁ ମୁଁ ଆପଣଙ୍କ ଜିମା ଛାଡିବି । ଆପଣ ତାକୁ ପଣ୍ଡିତ କରି ଛାଡନ୍ତୁ । ଏଥିରୁ ସମସ୍ତେ ଜାଣନ୍ତୁ ଯେ, ଆପଣ ଯାହା କହନ୍ତି, ତାହା ହିଁ କରନ୍ତି!”