ଅନେକ ଦିନ ତଳର ଘଟଣା । ବନାରସ ସହରରେ ଦିଗମ୍ବର ନାମରେ ଜଣେ ଯୁବକ ରହୁଥିଲେ । ସେ ବହୁତ ପାଠ ପଢିଥିଲେ କିନ୍ତୁ ଚାକିରି ଆଦୌ ପାଇ ନ ଥିଲେ । ପିଲାଦିନରୁ ତାଙ୍କର ବାପ ମାଆ ତ ମରିଯାଇଥିଲେ । ତେଣୁ ସେ ନିଜେ ଟିଉସନ୍ କରି ପାଠ ପଢିଥିଲେ । କାହା ପାଖରେ ହାତ ପାତିବାକୁ ତାଙ୍କୁ ଭାରି ଲାଜ ମାଡୁଥିଲା । ଥରେ ଝଡ ବର୍ଷା ଲାଗି ରହିଲା ତେଣୁ ସେ ଆଉ କୁଆଡକୁ ଯାଇପାରିଲେ ନାହିଁ । ପୂରା ଦୁଇଦିନ ଉପବାସ ରହିଲେ । ତୃତୀୟ ଦିନ ଝଡ ବର୍ଷା ଛାଡିଯିବାରୁ ସେ ସାହାଯ୍ୟ ଅନ୍ୱେଷଣରେ ବାହାରି ପଡିଲେ । ରାସ୍ତାରେ ଯାଉ ଯାଉ ହଠାତ୍ ତାଙ୍କର ଦୃଷ୍ଟିରେ ପଡିଲା ଖଣ୍ଡିଏ କାଗଜତଳେ ଗୋଟିଏ ରୂପା ଟଙ୍କା ପଡିଛି । ରୂପା ଟଙ୍କାଟି ଉଠାଇ ଆଣି ସେ ନିଜ ପକେଟ୍ରେ ପୂରାଇଲେ । ସେ ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ ଦେଇ ସେଇ ଟଙ୍କାରେ ଗହମ ଛତୁଆ ଆଉ ଗୁଡ କିଣି ଗୋଟିଏ କଦଳୀ ପତ୍ରରେ ଚକଟା ଚକଟି କରୁଛନ୍ତି, ଠିକ୍ ଏହି ସମୟରେ ଜଣେ ବୁଢା ଆଉ ଗୋଟିଏ ଛୋଟ ପିଲା ଆସି ତାଙ୍କ ପାଖରେ ପହଁଚିଲେ । ସେ ବୃଦ୍ଧ ଜଣକ ଥିଲେ ଖୁବ୍ ରୁଗ୍ଣ ଆଉ ଅସୁସ୍ଥ । ସେ ଦିଗମ୍ବରଙ୍କୁ କହିଲେ ବାବୁ ଆମେ ତିନିଦିନ ହେଲା କିଛି ବି ଖାଇନାହୁଁ ତେଣୁ ଆମକୁ କିଛି ସାହାଯ୍ୟ କର । ଏପରି କଥା ଶୁଣିବା ପରେ ସେ ଦିଗମ୍ବରଙ୍କ ମନରେ ଟିକେ ଦୟା ହେଲା ସେ କଦଳୀପତ୍ରରେ ଚକଟିଥିବା ସବୁ ଖାଦ୍ୟକୁ ବୃଦ୍ଧଙ୍କ ହାତକୁ ଟେକିଦେଇ ସେ କହିଲେ ଏତିକି ମୋର ସର୍ବସ୍ୱ । ବର୍ତ୍ତମାନ ତୁମେ ଏହାକୁ ନେଇ ଭୋଜନ କର । ବୃଦ୍ଧ ଆଉ ସେ ପିଲାଟି ଅତି ଭୋକିଲା ଥିବାରୁ ସବୁ ଖାଦ୍ୟକୁ ସେମାନେ କୋତୋଟି ମିନିଟ୍ ଭିତରେ ଖାଇଦେଇ ପାଣି ପିଇଲେ । ତା’ପରେ ସେମାନଙ୍କ ମୁଖ ମଣ୍ଡଳରେ ତୃପ୍ତି ଆଉ ଆନନ୍ଦ ଫୁଟି ଉଠିଲା । ବୃଦ୍ଧ ଜଣକ ନିଜ ଜାମାପକେଟରୁ ଗୋଟିଏ ତମ୍ବା ପଇସା କାଢି ଦିଗମ୍ବର ହାତକୁ ବଢାଇ ଦେଇ ସେ କହିଲେ ତୁମେ ତୁମର ଶେଷ ସମ୍ବଳ ଆମକୁ ଦେଇଥିଲ । ମୋର ଶେଷ ସମ୍ବଳ ହେଉଛି ଏହି ତମ୍ବା ପଇସାଟି ଏଇଟିକୁ ତୁମେ ସାଇତି ରଖ । ଦରକାରବେଳେ ଏହା ନିଶ୍ଚୟ ତୁମର କାମରେ ଆସିବ । ଏତକ କହି ସେ ବୃଦ୍ଧ ଆଉ ପିଲାଟି ସେଠାରୁ କୁଆଡେ ଚାଲିଗଲେ । ଦିଗମ୍ବର ସେହି ତମ୍ବା ପଇସାଟିକୁ ପକେଟରେ ରଖି ଘରକୁ ଫେରିଆସିଲେ । ତାର ଠିକ୍ ଦୁଇ ଦିନ ପରେ ଖବର କାଗଜରେ ଚାକିରି ବିଜ୍ଞାପନ ଦେଖୁ ଦେଖୁ ଗୋଟିଏ ନୂଆପ୍ରକାର ବିଜ୍ଞାପନ ସେ ଦେଖିଲେ । ଇଣ୍ଡିଆର ଜଣେ ବଡ ଶିଳ୍ପପତି ବିଜ୍ଞାପନ ଦେଇଛନ୍ତି ଯେ, ୧୮୦୯ ମସିହାର ତମ୍ବା ପଇସା ସେ ସଂଗ୍ରହ କରୁଛନ୍ତି । ଯେଉଁମାନଙ୍କ ପାଖରେ ସେ ପଇସା ଅଛି ନିମ୍ନ ଠିକଣାରେ ପହଁଚାଇ ଦେଲେ ତାକୁ ଉପଯୁକ୍ତ ମୂଲ୍ୟ ଦିଆଯିବ । ଦିଗମ୍ବର ବିଜ୍ଞାପନଟି ପଢି ସାରିବା ପରେ ନିଜ ପକେଟରୁ ତମ୍ବା ପଇସା କାଢି ମିଳାଇଲେ । ସତକୁ ସତ ସେହି ତମ୍ବା ପଇସାଟି ଥିଲା ୧୮୦୯ ମସିହାର । ତେଣୁ ଦିଗମ୍ବରଙ୍କ ମନ ଭାରି ଖୁସି ହୋଇଗଲା । ତା’ପରେ ସେ ପଇସାଟି ଧରି ବିଜ୍ଞାପନ ଦାତାଙ୍କ ଅଫିସ୍ରେ ଯାଇ ପହଁଚିଲେ । ସେ ବିଜ୍ଞାପନ ଦାତା ଥିଲେ ଜଣେ ବିରାଟ କୋଟିପତି । ତାଙ୍କର ଇଣ୍ଡିଆର ବିଭିନ୍ନ ସ୍ଥାନରେ କଳ କାରଖାନାମାନ ସବୁ ଥିଲା ।
ସେ ଦିଗମ୍ବରଙ୍କୁ ଦେଖିବା ମାତ୍ରେ ପ୍ରଶ୍ନ କଲେ କ’ଣ ପାଇଁ ଆସିଛ । ଦିଗମ୍ବର କହିଲେ ଖବରକାଗଜରେ ବିଜ୍ଞାପନ ଦେଖି ଏଇ ପଇସାଟି ନେଇ ଆସିଛି । ଧନୀ ଲୋକଟି ସେ ତମ୍ବା ପଇସା ଓ ତାହାର ମସିହା ଦେଖି ଭାରି ଖୁସି ହୋଇଗଲେ । ସେ ଦିଗମ୍ବରକୁ ପଚିଶି ହଜାର ଟଙ୍କା ଦେଇ ତାଙ୍କଠାରୁ ସେଇ ତମ୍ବା ପଇସାଟି ରଖିଲେ । ଦିଗମ୍ବର ସେହି ଟଙ୍କାରେ ବ୍ୟବସାୟ ଆରମ୍ଭ କରି ବେଶ୍ ସୁଖ ଶାନ୍ତିରେ ରହିଲେ ।