ନିଶା ଗରଜୁଥାଏ । ତା’ସହିତ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ ଉତାରି ଆଣିଲେ । ତେବେ, ତା’ପରେ ସେ ଶବଟିକୁ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜା! ତମ ପ୍ରଚେଷ୍ଟାରେ ତମେ ବାରମ୍ବାର ଅସଫଳ ହେବା ସତ୍ତ୍ୱେ ମଧ୍ୟ ଦମ୍ଭ ଆଦୌ ଛାଡୁନାହଁ । ଏହା ଆଉ ତମ ମତିଭ୍ରମର କୌଣସି ଲକ୍ଷଣ ନୁହେଁ ତ? କାହିଁକିନା ଥରେ ଥରେ ସାଧୁ ସନ୍ଥମାନଙ୍କର ବି ମତିଭ୍ରମ ହୋଇଥାଏ । ତମକୁ ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନଦେଇ ଶୁଣ; ତାହା ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।
ଏହାକହି ସେ ବେତାଳ ଗପିଲା: ଅନେକ ଦିନ ତଳେ ବ୍ରହ୍ମପୁର ନଗରୀରେ ହରିଦାସ ଏବଂ କୁମରସିଂହ ରହୁଥିଲେ । ସେ ଦୁହେଁ ବେପାର କରି ବହୁତ ଉନ୍ନତି କରିଥିଲେ । ତେବେ ହରିଦାସ ସାଧୁ ସଚ୍ଚୋଟ ବ୍ୟବସାୟୀ ହିସାବରେ ସୁନାମ ଅର୍ଜନ କରିଥିଲା । ଖାଲି ସେତିକି ନୁହେଁ, ସେ ନାନା ପ୍ରକାରେ ଲୋକଙ୍କର ବହୁତ ଉପକାର କରୁଥାଏ । ତେଣୁ ସେ ସହରର ଲୋକେ ତାକୁ ବହୁତ ଶ୍ରଦ୍ଧା କରୁଥିଲେ । ପର୍ବ ପର୍ବାଣୀରେ ତା’ ଘରକୁ ଭେଟି ପଠାଉଥିଲେ; କୌଣସି ସମସ୍ୟା ଉପୁଜିଲେ ତା’ ପରାମର୍ଶ ବି ସେମାନେ ଲୋଡୁଥିଲେ ।
କିନ୍ତୁ କୁମରସିଂହର ନାମ ପଡିଲେ ଲୋକେ ନାକ ଟେକୁଥିଲେ । ଏହାର କାରଣ, କୁମରସିଂହ ଥିଲା ଅତ୍ୟନ୍ତ ଅସାଧୁ ପ୍ରକୃତିର ଲୋକ । ସେ କଳେ ବଳେ କଉଶଳେ ଖାଲି ନିଜ ସମ୍ପଦ ହିଁ ବଢାଇ ଚାଲିଥିଲା । କାହାରି ସୁଖ ଦୁଃଖରେ ସେ ମୋଟେ ଭାଗ ନେଉ ନଥିଲା, କାହାରି ପ୍ରତି ସେ ଦିନେ କେବେ ବି ହେଲେ ସହାନୁଭୂତି ଦେଖାଉ ନଥିଲା । ସେ ତା’ବେପାରରୁ ଯାହା କିଛି ବି ଆୟ କରୁଥିଲା, ତା’ର କାରଣ ତା’ବେପାର ତା’ ନିଜ ସହର ଉପରେ ନିର୍ଭର କରୁ ନଥିଲା । ସେ ଦୂରବର୍ତ୍ତୀ ଗ୍ରାମ ଓ ସହରକୁ ନାନାଦି ପଦାର୍ଥ ପଠାଉଥାଏ । ଦୂର ସ୍ଥାନରେ ଥିବା ଲୋକେ ତା’ ସ୍ୱଭାବ କଥା କିପରି ବା ବୁଝିବେ?
ଟଙ୍କା ଆୟ କରି କୁମରସିଂହ ବେଶ୍ ଖୁସି ଥାଏ । କିନ୍ତୁ ତା’ର ବୃଦ୍ଧ ବାପା ବୀରସିଂହ ପୁଅର ମତିଗତିରେ ମୋଟେ ଖୁସି ହୋଇ ପାରୁ ନଥାଏ । ସେ କେତେଥର ତା’ ପୁଅକୁ କହିଲା “ଦେଖ, ତୁ ଅନ୍ୟ ଲୋକଙ୍କୁ ଦୁଃଖ ଦେଇ ଯଦି ଟଙ୍କା ଉପାର୍ଜନ କରିବୁ, ତେବେ ତୁ ସେଥିରେ କେବେବି ସବୁଦିନ ଲାଗି ସୁଖୀ ହୋଇ ପାରିବୁ ନାହିଁ । ଆଉ ଏ ସୁଖଶାନ୍ତି ବିନା ଖାଲି ଟଙ୍କା ଜମାଇ କ’ଣ ଲାଭ?