ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । କିନ୍ତୁ ଶବଟିକୁ କାନ୍ଧରେ ପକାଇ ତା’ପରେ ସେ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ ଶବସ୍ଥିତ ସେ ବେତାଳ କହିଲା, “ରାଜା! ଆପଣ କ’ଣ କେଉଁ ଯଶ ପାଇବାର ଅଭିଳାଷ ରଖି ଏ ଭୟଙ୍କର ରାତିରେ ଏଭଳି ଅସ୍ୱାଭାବିକ କାମ ହାତକୁ ନେଇଛନ୍ତି? ଦେଖାଯାଏ ଯେ, ଥରେ ଯିଏ ଯଶ ଲାଭ କଲା ଭଳି କାମ କରିଥାଏ, ଆଉଥରେ ସେ ଭୀରୁ ଭଳି କାମ କରିବସେ । ମୋ କଥାଟି ବୁଝାଇଦେବା ନିମନ୍ତେ ତୁମକୁ ମୁଁ ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନଦେଇ ତାହା ଶୁଣ । ଶୁଣିଲେ ତୁମର ଶ୍ରମଭାର ଲାଘବ ମନେହେବ ।”
ଏତିକି କହିସାରି ବେତାଳ ଗପିଲା: ବୈଶାଳୀ ରାଜ୍ୟ ଉପରେ ରାଜା ଶରଣବର୍ମା ରାଜୁତି କରୁଥାନ୍ତି । ସେ ଅତ୍ୟନ୍ତ ଶାନ୍ତିପ୍ରିୟ ଥିଲେ । ପ୍ରତିବେଶୀ ରାଜ୍ୟମାନଙ୍କ ସହ ସେ ବନ୍ଧୁ ସମ୍ପର୍କ ରଖିବା ଫଳରେ ତାଙ୍କ ପ୍ରଜାମାନେ ଅବାଧରେ ଦୂର ଦୂରାନ୍ତରରେ ବେପାର ବାଣିଜ୍ୟ କରିପାରୁଥିଲେ ।
ସେତେବେଳେ ତ ବୈଶାଳୀକୁ ଲାଗି ସୌବୀର ନାମକ ଏକ ରାଜ୍ୟ ଥାଏ । କାଳପ୍ରତାପ ସୌବୀରର ରାଜା ଥିଲେ । ସେ ଯୁବକ ଓ ଅତ୍ୟନ୍ତ ଉଚ୍ଚାଭିଳାଷୀ ମଧ୍ୟ ଥିଲେ । ଉପରକୁ ସେ ବୈଶାଳୀ ସହ ଭଲ ବ୍ୟବହାର କରୁଥାନ୍ତି, କିନ୍ତୁ ଭିତରେ ଭିତରେ ସେ କିପରି ବୈଶାଳୀକୁ ଦଖଲ କରିନେବେ, ଏହି ଯୋଜନା ସେ କରୁଥାନ୍ତି । କେବଳ ସେଇଥିପାଇଁ ସେ ଗୋଟିଏ ଦକ୍ଷ ସୈନ୍ୟବାହିନୀ ମଧ୍ୟ ଗଢିଥାନ୍ତି ।
ହଠାତ୍ ଦିନେ ସେ ନିଜ ସୈନ୍ୟବାହିନୀ ଧରି ବୈଶାଳୀ ସୀମାନ୍ତରେ ପହଁଚିଯାଇ ତମ୍ବୁ ପକାଇଲେ ଓ ରାଜା ଶରଣବର୍ମାଙ୍କ ପାଖକୁ ଖବର ଦେଲେ: “ଆପଣ ବୈଶାଳୀର ସିଂହାସନ କାଳପ୍ରତାପଙ୍କୁ ସମର୍ପଣ କରନ୍ତୁ, ନଚେତ୍ ତାଙ୍କ ସହିତ ସେ ଯୁଦ୍ଧ କରନ୍ତୁ ।”