କୃଷ୍ଣାବତାର

                ନାରଦ ଶ୍ରୀକୃଷ୍ଣଙ୍କୁ କହିଲେ, “ପ୍ରଭୁ, ଏବେ ଆଉ ବିଳମ୍ବ କାହିଁକି? ଶୁଭବିବାହ ସଂପନ୍ନ କରାଯାଉ ।”

                ଲଗ୍ନ ସମୟ ନିକଟରୁ ନିକଟତର ହେଉଥିଲା । ସେକଥା ପୂର୍ବରୁ ଜାଣି କୁମ୍ଭାଣ୍ଡ ବିବାହ ପାଇଁ ସବୁ ପ୍ରସ୍ତୁତ କରି ରଖିଥିଲେ । ସେ ଆସି ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରି କହିଲେ, “ଆପଣ ମୋ ଉପରେ ଅନୁଗ୍ରହ କରି ମୋତେ ରକ୍ଷା କରନ୍ତୁ ।”

                ଶ୍ରୀକୃଷ୍ଣ କହିଲେ, “ମୁଁ ଶୁଣିଛି ତମେ ଜଣେ ଯୋଗ୍ୟ ବ୍ୟକ୍ତି । ବାଣାସୁରର ଏହି ନଗରୀ ତମେ ନେଇ ନିଅ ଓ ନିଶ୍ଚିନ୍ତରେ ରହି ଶାସନ କର ।”

ତା’ପରେ ଉଷା ଓ ଅନିରୁଦ୍ଧଙ୍କ ବିବାହ ବହୁତ ବୈଭବ ପୂର୍ବକ ସହିତ ସମ୍ପନ୍ନ ହେଲା । ଶ୍ରୀକୃଷ୍ଣ ନବଦମ୍ଫତିଙ୍କୁ ଶିବପାର୍ବତୀଙ୍କ ପାଖକୁ ନେଇଗଲେ । ସେମାନେ ଶିବପାର୍ବତୀଙ୍କୁ ନମ୍ରତା ପୂର୍ବକ ପ୍ରଣାମ କଲେ ଓ ତାଙ୍କଠୁ ଆଶିର୍ବାଦ ମଧ୍ୟ ପ୍ରାପ୍ତ କଲେ । ପାର୍ବତୀ ଅନିରୁଦ୍ଧଙ୍କୁ ବାଣାସୁରର ମୟୁରକୁ ବାହନ ଭାବରେ ରଖିବା ପାଇଁ ଦାନ କଲେ ।

ବିଜୟଶ୍ରୀ ମଣ୍ଡିତ ଶ୍ରୀକୃଷ୍ଣ ଓ ଅନ୍ୟମାନେ ଫେରି ଆସିବାକୁ ପ୍ରସ୍ତୁତ ହେଉଛନ୍ତି, ଠିକ୍ ଏହି ସମୟରେ କୁମ୍ଭାଣ୍ଡ ଆସି କହିଲେ, “ପ୍ରଭୁ, ବାଣାସୁରର ଗୋଧନ ଏବେ ବରୁଣଙ୍କ ପାଖରେ ଅଛି । ଆପଣଙ୍କୁ ମୁଁ ବିନମ୍ର ନିବେଦନ କରୁଛି କି ସେ ଗୋରୁମାନଙ୍କୁ ଫେରାଇ ଆଣି ଆପଣ ନିଜ ପାଖରେ ସେସବୁ ରଖନ୍ତୁ ।”

ଏକଥା ଶୁଣି ଶ୍ରୀକୃଷ୍ଣ, ବଳରାମ ଓ ପ୍ରଦ୍ୟୁମ୍ନ ଗରୁଡରେ ବସି ସମୁଦ୍ରର ପଶ୍ଚିମ ତଟରେ ଯାଇ ପହଁଚିଲେ । ସେଠାରେ ଦେଖିଲେ ଅସଂଖ୍ୟ ଗାଈ ବନ ମଧ୍ୟରେ ଚରୁଛନ୍ତି । ଶ୍ରୀକୃଷ୍ଣ ତ ଗାଈମାନଙ୍କୁ ଅକ୍ତିଆର କରିବାର କୌଶଳ ପିଲାବେଳଠୁଁ ହିଁ ଶିଖିଥିଲେ । କିନ୍ତୁ ଏମାନଙ୍କୁ ଦେଖିବା ମାତ୍ରେ ଗାଈମାନେ ହଠାତ୍ ସମୁଦ୍ର ଭିତରକୁ ପଶିଗଲେ ଓ ଅଦୃଶ୍ୟ ବି ହୋଇଗଲେ ।

ଶ୍ରୀକୃଷ୍ଣ ନିରାଶ ହୋଇ ଗରୁଡଙ୍କୁ ପଚାରିଲେ, “ଇଏ ପୁଣି କି ଆଶ୍ଚର୍ଯ୍ୟ କଥା? ମୋର ଯୋଜନା କ’ଣ ପଣ୍ଡ ହେବାକୁ ଯାଉଛି?”

ଭଗବାନଙ୍କ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗରୁଡ କହିଲେ, “ଭଗବାନ୍, ଏବେ ତ ବରୁଣ ସହିତ ଯୁଦ୍ଧ କରିବା ଅନିବାର୍ଯ୍ୟ ଅଟେ ।” ତା’ପରେ ଗରୁଡ ଖୁବ୍ ଜୋର୍ରେ ତା’ର ପକ୍ଷ ହଲାଇବାକୁ ଲାଗିଲେ । ଫଳରେ ସମୁଦ୍ରର ଜଳରାଶି ପଛକୁ ପଛକୁ ଚାଲିଗଲା । ତାହାର ତଳଦେଶରେ ସାରା ନାଗଲୋକ ଦୃଷ୍ଟିଗୋଚର ହେଲା । ଶ୍ରୀକୃଷ୍ଣ ତତ୍କ୍ଷଣାତ୍ ପାଂଚଜନ୍ୟ ଫୁଙ୍କିବାକୁ ଲାଗିଲେ । ସେ ଶବ୍ଦ ଶୁଣି ବରୁଣଙ୍କ ସୈନ୍ୟମାନେ ଶ୍ରୀକୃଷ୍ଣଙ୍କ ଉପରେ ଆକ୍ରମଣ ଚଳାଇଲେ । କିନ୍ତୁ ଶ୍ରୀକୃଷ୍ଣ, ବଳରାମ, ପ୍ରଦ୍ୟୁମ୍ନ ଓ ଗରୁଡଙ୍କୁ କେହି ବି ସାମ୍ନା କରି ପାରିଲେ ନାହିଁ, ଅବିଳମ୍ବେ ସେମାନେ ହାରିଗଲେ ।

ଏବେ ଶ୍ରୀକୃଷ୍ଣଙ୍କ ଉପରେ ରାଗିକରି ନିଜେ ବରୁଣ ମଧ୍ୟ ଯୁଦ୍ଧ କ୍ଷେତ୍ରକୁ ଆସିଲେ । ତା’ପରେ ଘମାଘୋଟ ଯୁଦ୍ଧ ହେଲା । ଶ୍ରୀକୃଷ୍ଣ ବୈଷ୍ଣବୀ ଅସ୍ତ୍ରକୁ ପ୍ରୟୋଗ କରିବାକୁ ବସନ୍ତେ ବରୁଣ ନିଜ ତରଫରୁ ଯୁଦ୍ଧ ବନ୍ଦ କଲେ ।

ଶ୍ରୀକୃଷ୍ଣ କୁମ୍ଭାଣ୍ଡଙ୍କ କଥା ଅନୁସାରେ କହିଲେ, “ହେ ବରୁଣ, ତୁମେ ମୋର ଶରଣ ନେଇଛ । ତେଣୁ ମୁଁ ତୁମର ପ୍ରାଣରକ୍ଷା କଲି । ତୁମେ କିନ୍ତୁ ସବୁ ଗାଈ ମୋତେ ସମର୍ପଣ କର, ମୁଁ ନେଇ କୁମ୍ଭାଣ୍ଡଙ୍କୁ ଦେବି ।”

ଏକଥା ଶୁଣି ବରୁଣ କହିଲେ, “ପ୍ରଭୁ, ସାରା ଜଗତ ତ ଆପଣଙ୍କର । କିନ୍ତୁ ମୁଁ ବାଣାସୁର ସହିତ ସତ୍ୟବଦ୍ଧ । ସେ ଯେତେବେଳେ ଗାଈ ଗୁଡିକ ଦେଲା କହିଲା କି ଗାଈମାନଙ୍କୁ ଜୀବନର ବିନିମୟରେ ମୁଁ ରକ୍ଷା କରିବି । ଏବେ ଆପଣ ଯାହା ବିଚାର କରନ୍ତୁ ।”

ଶ୍ରୀକୃଷ୍ଣ ତ ବରୁଣଙ୍କ ଉପରେ ଖୁବ୍ ପ୍ରୀତ ହୋଇଥିଲେ । ତା’ପରେ ଶରଣାଗତର ପ୍ରାର୍ଥନା ଶୁଣି ତାଙ୍କଠାରୁ ଗାଈ ନେବାକୁ ସେ ମନାକଲେ । କିନ୍ତୁ ବିଜୟଶ୍ରୀ ପ୍ରାପ୍ତ କରି ନିଜ ଦେଶକୁ ସେ ପ୍ରତ୍ୟାଗମନ କଲେ ।

                ଶ୍ରୀକୃଷ୍ଣ, ବଳରାମ ଓ ପ୍ରଦ୍ୟୁମ୍ନ ଗରୁଡ ପିଠିରୁ ଓହ୍ଲାଇ ଦ୍ୱାରକା ନଗରୀର ସୀମାନ୍ତରେ ଥିବା ଏକ ଉଦ୍ୟାନରେ ବିହାର କରୁଥିଲେ । ଖବର ପାଇବା ମାତ୍ରେ ଯାଦବ ପ୍ରମୁଖଗଣ ରଥ ନେଇ ସେମାନଙ୍କୁ ସ୍ୱାଗତ କଲେ । ସମସ୍ତ ଯାଦବ ଓ ନଗରବାସୀମାନେ, ଶ୍ରୀକୃଷ୍ଣଙ୍କ ଯୁଦ୍ଧ, ବଳରାମ, ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧଙ୍କ ଯୁଦ୍ଧ ଓ ବାଣାସୁର ବିଷୟରେ କଥାବାର୍ତ୍ତା, ଆଳାପ ଆଲୋଚନା କରୁଥିଲେ । ସେସବୁ ସମ୍ବାଦ ତ ସେମାନେ ପୂର୍ବରୁ ଉଷା ଓ ଅନିରୁଦ୍ଧଙ୍କଠାରୁ ପାଇଥା’ନ୍ତି । ବାଣାସୁରର ଯୁଦ୍ଧ, ହାତ କାଟିବା, ପାର୍ବତୀଙ୍କ ପୁତ୍ର ଭିକ୍ଷା, ଉଷା ଅନିରୁଦ୍ଧ ବିବାହ ଇତ୍ୟାଦି ବିଷୟରେ ସେମାନେ ଚର୍ଚ୍ଚା କରୁଥିଲେ । ଶ୍ରୀକୃଷ୍ଣ ସବୁ ଶୁଣି ଖୁବ୍ ଖୁସି ଥିଲେ । ତା’ପରେ ସେ ନିଜର ଭାଇ ବଳରାମ, ପୁତ୍ର ପ୍ରଦ୍ୟୁମ୍ନକୁ ନେଇ ନଅରରେ ପ୍ରବେଶ କଲେ ଓ ଉଷା ଅନିରୁଦ୍ଧ ସମେତ ସମସ୍ତ ପୁରବାସୀଙ୍କର ଆନନ୍ଦବର୍ଦ୍ଧନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ