ଦସ୍ୟୁରାଜକୁମାର

ଏହିପରି କେତେ କଥା ଭାବି ଜବର୍ସେନ୍ ଦୀର୍ଘ ସମୟ ସ୍ତବ୍ଧ ହୋଇ ରହିଲା । ନୌକା ଆସି କୂଳରେ ଲାଗିଥାଏ । ନୌକାରେ ପ୍ରତିମା ଦାୟିତ୍ୱରେ ଥିବା ସୈନିକମାନେ ମୁଣ୍ଡ ତଳକୁ କରି ଜବର୍ସେନ୍ ଆଗରେ ଠିଆ ହୋଇଥାନ୍ତି । ଜବର୍ସେନ୍ ହଠାତ୍ ମୁଖ୍ୟ ସୈନିକର ଗାଲରେ ଏଭଳି ଏକ ପ୍ରଚଣ୍ଡ ଚାପୁଡାଟାଏ ଥୋଇଦେଲା ଯେ ସେ ଲୋକଟାର ମୁଣ୍ଡ ବୁଲାଇ ଦେଲା । ତା’ପରେ ସେ ତଳେ ପଡିଗଲା ।

ବାରମ୍ବାର ସେ ଜବର୍ସେନ୍ ଏକହିଁ ପ୍ରଶ୍ନର ପୁନରାବୃତି କରିବାକୁ ଲାଗିଲା । ତାହା ହେଲା, “ଡାକୁ ପ୍ରତିମାଟି ନେଇଯିବା ସମ୍ଭବପର ହେଲା କିପରି?”

ମୁଖ୍ୟ ସୈନିକଟିର ଅପମାନର କୌଣସି ସୀମା ନଥାଏ । ତେଣେ ପ୍ରତିମା ତୋଳିନେବା ବେଳେ ଡାକୁ ତାକୁ ଗୋଇଠା ମାରିଥିଲା । ବର୍ତ୍ତମାନ ଜବର୍ସେନ୍ଠୁଁ ମିଳିଲା ଚାପୁଡା । ଅବଶ୍ୟ ସେ ପଚାରିପାରିଥାନ୍ତା କି ଯଦି ଏତେ ସୈନ୍ୟ ଥାଉଁ ଥାଉଁ ଡାକୁ ପ୍ରତିମା ଧରି ପଳାଇ ଯିବାରେ ବିଚିତ୍ର କିଛି ନାହିଁ, ତେବେ ପ୍ରତିମା ଉଠାଇ ନେବାଟା ଏଡେ ଆଶ୍ଚର୍ଯ୍ୟଜନକ ମନେହେବ କାହିଁକି? କିନ୍ତୁ ସେ ପ୍ରଶ୍ନ କଲାଭଳି ସାହସ ତା’ର ନଥିଲା । ସେ ପ୍ରକୃତିସ୍ଥ ହେବା ପରେ କହିଲା, “ହଜୁର୍! ଗୋଟାଏ ହାତରେ ସେତେ ଓଜନ୍ଦାର ପ୍ରତିମା ଉଠାଇ ନେଇଯିବା କ’ଣ କୌଣସି ମଣିଷ ପକ୍ଷରେ ସମ୍ଭବପର?”

ଏପରି କଥା ଣୁଣି ଜବର୍ସେନ୍ ପ୍ରଶ୍ନ କଲା, “ତେବେ?”

ତା’ପରେ ମୁଖ୍ୟ ସୈନିକଟି ଉତ୍ତର ଦେଲା, “ହଜୁର୍! ସିଏ ମଣିଷ ନୁହେଁ, କୌଣସି ଅଶରୀରୀ ଶକ୍ତି କିମ୍ବା ପିଶାଚ ।”

ଜବର୍ସେନ୍ ସେ ସୈନିକର ଉତ୍ତର ଭିତରେ ପାଇଲା ଘଟଣାର ଗୋଟିଏ ନୂତନ ବ୍ୟାଖ୍ୟା । ସେ ଆଶ୍ୱସ୍ତ ହେଲା ଓ କହିଲା, “ତମେ ଏକଥା ରାଜା ବୀରସିଂହ ଆଗରେ କହିବ ।”

ବୀରସିଂହ ଆଗରେ ସେ ସୈନିକ ଓ ତା’ ସହକର୍ମୀମାନେ ତା’ଠୁଁ ଆହୁରି ଅଧିକ କହିଲେ । ହଠାତ୍ କୁଆଡେ ଅନ୍ଧକାର ଅଧିକ କିଟିମିଟି ହୋଇ ଉଠିଲା, ମେଘ ଭିତରୁ ଖସି ଆସିଲା କୁଆଡେ ଗୋଟାଏ ଭୀଷଣ ପିଶାଚ! ପ୍ରତିମା ଉଠାଇ ନେଇ, ଅଟ୍ଟହାସ୍ୟ କରି ସେ କୁଆଡେ ସେଇ ନୌକା ଉପରେ ଠିଆ ହୋଇ ଥାଉଁ ଥାଉଁ ଅଦୃଶ୍ୟ ହୋଇଗଲା । ସେ ବ୍ୟାପାର ସମ୍ପୂର୍ଣ୍ଣ ଭୂତପ୍ରେତମାନଙ୍କ ଦ୍ୱାରା ଘଟିତ, ମଣିଷଙ୍କ ଦ୍ୱାରା ତ ମୋଟେ ନୁହେଁ, ଇତ୍ୟାଦି ।

ସେମାନଙ୍କ କଥାରେ କେତେଦୂର ବିଶ୍ୱାସ କରାଯାଇପାରେ, ଜବର୍ସେନ୍ ଏହା ଠଉରାଇ ପାରିଲା ନାହିଁ । କିନ୍ତୁ ତା’ର ପରାଜୟ କଥା ସେ ମନରୁ ପୋଛିଦେଇ ପାରିଲା ନାହିଁ । ସତେ କ’ଣ କେହି ତା’ପ୍ରତି ଯାଦୁବିଦ୍ୟା ପ୍ରୟୋଗ କରୁଛି? ଯଦି ପ୍ରକୃତରେ ତାହା ହେଉଥାଏ,ତେବେ ତା’ର ନିରାକରଣ ସମ୍ଭବ କିପରି? ତା’ ତରଫରୁ ଶତ୍ରୁମାନଙ୍କ ଉପରେ ଯାଦୁ ପ୍ରୟୋଗ କରିପାରିଲା ଭଳି ଯାଦୁକରଟିଏ କାହୁଁ ଯୋଗାଡ ହେବ?

ସେତେବେଳେ ଜୟନଗର ଉପରେ ବିଷାଦ ଘୋଟି ଆସିଥିଲା  । ଲୋକେ କନକଦୂର୍ଗାଙ୍କର ପ୍ରତିଷ୍ଠା ଉତ୍ସବକୁ ଅପେକ୍ଷା କରି ରହିଥିଲେ । ହଠାତ୍ ଜବର୍ସେନ୍ ଆସି ପ୍ରତିମା ନେଇ ଚାଲିଯିବା ଦ୍ୱାରା ସେମାନେ ଯେଉଁ ଆଘାତ ପାଇଥିଲେ, ତାହା ଭୂଲିବା ଏତେ ସହଜ ନଥିଲା । ସୁମେଧ ରାଜ୍ୟ ଜଣେ ଦୁର୍ବୁତ ଦଖଲ କରି ନେଇଛି, ଏକଥା ତ ସମସ୍ତେ ଜାଣିଥିଲେ । କିନ୍ତୁ ତା’ର ଅତ୍ୟାଚାର ଦିନେ ଜୟନଗର ଭିତରକୁ ବ୍ୟାପ୍ତ ହେବ, ଏକଥା କେବେ କେହି କଳ୍ପନା ମଧ୍ୟ କରି ନଥିଲେ । ଜୟନଗରବାସୀମାନେ ହତବମ୍ବ ଅର୍ଥାତ୍ ନିରୂପାୟ ହୋଇ ଯାଇଥାନ୍ତି ।

ଶଙ୍କର ବର୍ମା ଚୁପ୍ଚାପ୍ ନିଜ କୋଠରୀ ଭିତରେ ବସିଥାନ୍ତି । ତାଙ୍କ ଦୁଃଖର ଗଭୀରତା ବୁଝି କେହି ତାଙ୍କ ପାଖକୁ ଯିବାକୁ ସାହସ କରୁ ନଥାନ୍ତି । କିନ୍ତୁ ତାଙ୍କ ଅଲିଅଳ ଝିଅ ସୁକନ୍ୟା ଯାଇ ତାଙ୍କ ପାଖରେ ପହଁଚିଗଲେ । ନିଜର ଏହି ଏକମାତ୍ର ସନ୍ତାନ, ବୁଦ୍ଧିମତୀ ଓ ସୌମ୍ୟା ସୁକନ୍ୟାକୁ ସେ ତାଙ୍କ ପ୍ରାଣଠୁଁ ବି ବଳି ଭଲ ପାଉଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ