ଦସ୍ୟୁରାଜକୁମାର

ସୁକନ୍ୟା ତା’ବାବାଙ୍କ ପାଖକୁ ଲାଗିଯାଇ କହିଲା, “ବାବା! ମୋର କାହିଁକି ମନେ ହୁଏ, କନକଦୂର୍ଗା ଦିନେନା ଦିନେ ଆମ ପାଖକୁ ନିଶ୍ଚୟ ଲେଉଟି ଆସିବେ!”

ଏହି କଥାରେ ଶଙ୍କର ବର୍ମାଙ୍କ ମୁହଁରେ କରୁଣ ହସ ଫୁଟି ଉଠିଲା । ସୁକନ୍ୟା ସେ ଦିବ୍ୟ ପ୍ରତିମାକୁ କେଡେ ଭଲ ପାଉଥିଲା, ସେକଥା ତ ସେ ଠିକ୍ ଜାଣିଥିଲେ । ଯେଉଁ ଉତ୍ସବର ଆୟୋଜନ ହେଉଥିଲା, ତାହା କେବଳ ସୁକନ୍ୟାଙ୍କ ଉତ୍ସାହରେ ହିଁ ହେଉଥିଲା । ଏଥିରେ ସେ ସବୁଠୁଁ ଅଧିକ ଆଘାତ ପାଇଥିବା ତ ସ୍ୱାଭାବିକ, କିନ୍ତୁ ସେ ଆସି ବାବାଙ୍କୁ ସାନ୍ତ୍ୱନା ଦେଉଥିଲେ ।

ସବୁ ଶୁଣି ଶଙ୍କର ବର୍ମା କିଛି ବି କହିଲେ ନାହିଁ । ଖାଲି ଝିଅକୁ କୁଣ୍ଢାଇ ପକାଇ ତା’ ମୁଣ୍ଡ ଆଉଁସି ଦେଲେ । କଷ୍ଟ କରି ସେ ନିଜ ଅଶ୍ରୁ ରୋଧ କରୁଥାନ୍ତି ।

ଠିକ୍ ଏତିକିବେଳେ କିଏ ଡାକିଲେ, “ବାବୁ!”

ଶଙ୍କର ବର୍ମା ଅବାକ୍ ହୋଇ ଅନାଇଲେ । ତାଙ୍କ ଅନୁମାନ ଠିକ୍ । ସନ୍ନ୍ୟାସୀ ଜୟାନନ୍ଦଙ୍କ ଦୂତ, ଶୂଆ ମଲ୍ଲି ଆସି ଗୋଟିଏ ସ୍ତମ୍ଭ ଉପରେ ବସିଥାଏ ।

ଶଙ୍କର ବର୍ମା ଠିଆ ହୋଇ ପଡିଲେ । ମଲ୍ଲି ତାଙ୍କ ଆଡେ ଅନାଇ ଉଡିଯାଇ ଗୋଟିଏ ଝାଡଲଣ୍ଠନକୁ ଧରି ଝୁଲି ପଡିଲା ଓ ପୁଣି ତାଙ୍କ ଆଡେ ଅନାଇଲା । ଏହାର ଅର୍ଥ ସେ ଚାହୁଁଥିଲା ଶଙ୍କର ବର୍ମା ତାକୁ ଅନୁସରଣ କରନ୍ତୁ ।

ଶଙ୍କର ବର୍ମା ଶୂଆକୁ ଅନୁସରଣ କଲେ । ସୁକନ୍ୟା ବି ତାଙ୍କ ପଛେ ପଛେ ଗଲେ । ପକ୍ଷୀଟି ପ୍ରାସାଦରୁ ବାହାରି ଚନ୍ଦ୍ରାଲୋକ-ପ୍ଳାବିତ ବଗିଚା ଭିତରକୁ ଚାଲିଗଲା । ଶଙ୍କର ବର୍ମା ଓ ସୁକନ୍ୟା ବି ସେଠି ଯାଇ ପହଁଚିଲେ । ସେ ପକ୍ଷୀଟି ଗୋଟିଏ ଡାଳିମ୍ବ ଗଛ ଶାଖାରେ ଯାଇ ବସିଲା । ଶଙ୍କର ବର୍ମା ସେହି ପକ୍ଷୀଟି ଉପରେ ଦୃଷ୍ଟି ନିବଦ୍ଧ କରି ସେ ଗଛ ପାଖରେ ପହଁଚିବା ବେଳକୁ ସୁକନ୍ୟା ଉତ୍ଫୁଲ୍ଲ ଓ ଅଧୀର କଣ୍ଠରେ କହିଲେ, “ବାବା! ବାବା! କନକଦୁର୍ଗା ଫେରି ଆସିଛନ୍ତି ।”

ବାସ୍ତବିକ୍, ସେ ଗଛ ତଳେ ଥୁଆ ହୋଇଥିଲା ପ୍ରତିମା । ସୁକନ୍ୟା ବସିପଡି ସେହି ପ୍ରତିମାକୁ କୁଣ୍ଢାଇ ଧରିଲେ । ତାଙ୍କ ଆଖିରୁ ଝରି ପଡୁଥାଏ ଅଶ୍ରୁ । ସେ ବାରମ୍ବାର କହୁଥାନ୍ତି “ବାବା! ପ୍ରତିମା ନିଶ୍ଚେ ଆମ ପାଖକୁ ଫେରିଆସିବେ ବୋଲି ମୁଁ କହୁଥିଲି ନା ନାହିଁ ।”

ଶଙ୍କର ବର୍ମା ନିର୍ବାକ ରହିଥାନ୍ତି । ବାସ୍ତବିକ ପ୍ରତିମା ଫେରି ଆସିଛି । କିନ୍ତୁ ଏହାର ତ ପୁଣି କିଛି ନା କିଛି ସ୍ଥୁଳ ବ୍ୟାଖ୍ୟା ଥିବ! କ’ଣ ତାହା? ତା’ପରେ ସେ ମଲ୍ଲିଆଡେ ଅନାଇଲେ । ହୁଏତ ପକ୍ଷୀଟି ଯୋଗୁଁ କିଛି ସୂତ୍ର ମିଳିବ!

ଦେଖିବା ବେଳକୁ ମଲ୍ଲି ତଳକୁ ଡେଇଁପଡି ଜଣେ ଯୁବକର କାନ୍ଧରେ ବସିଛି । ଗଛ ଆଢୁଆଳରୁ ବାହାରି ଆସିଲେ ସେ ଯୁବକ ।

ଶଙ୍କର ବର୍ମାଙ୍କୁ ଅଭିବାଦନ ଜଣାଇ ଯୁବକ କହିଲେ, “ମହାଶୟ, ଆପଣ ମୋତେ ଜାଣନ୍ତି ନାହିଁ; କିନ୍ତୁ ମୁଁ ଆପଣଙ୍କୁ ଠିକ୍ ଜାଣେ । ମୋ ଗୁରୁ ସନ୍ନ୍ୟାସୀ ଜୟାନନ୍ଦ ଆପଣଙ୍କ ବିଷୟରେ କେତେ କଥା କହନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ