ନାନ୍ଦୁରା କାନ୍ଦୁରା ଚନ୍ଦରା

                ଦିନକର ଘଟଣା, କଟକ ସହରରେ ତ ବାଲିଯାତ୍ରା ଉତ୍ସବ । ଆଉ ପୁଣି ସେ କଟକ ସହର ବାଲିଯାତ୍ରା ବିଖ୍ୟାତ । ବହୁ ଯାତ୍ରୀ ସମାବେଶ । ଲୋକ ଗହଳି । ତିନି ଭାଇ ସେଦିନ ଭଲ ପଇସା ରୋଜଗାର କଲେ । ପଇସା ନିଶା ମଦ ନିଶାରେ କୌଣସି ଭାଇ ସହିତ କୌଣସି ଭାଇର ଆଉ ଦେଖା ନାହିଁ । ସକାଳ ପହରୁ ଆସି ସଂନ୍ଧ୍ୟା ହେଲା । କାନ୍ଦୁରା – ଚନ୍ଦରା ଦୁହେଁ ସୂର୍ଯ୍ୟାସ୍ତ ସମୟରେ ଭେଟାଭେଟି ହେଲେ । କିନ୍ତୁ ବଡ ଭାଇ ନାନ୍ଦୁରାର ଦେଖା ନାହିଁ । ନାନ୍ଦୁରା ସେଦିନ ଦିନସାରା ରିକ୍ସା ଟାଣି ସଂନ୍ଧ୍ୟାରେ ରିକ୍ସା ଟାଣିବା ବନ୍ଦ କଲା । ସଂନ୍ଧ୍ୟାରେ ଘରକୁ ଫେରିବା କଥା । ଭାଇ କାନ୍ଦୁରା – ଚନ୍ଦରାଙ୍କର ଦେଖାନାହିଁ । ତିନି ଭାଇ ସର୍ବଦା ଏକାଠି ଘରକୁ ଫେରନ୍ତି । ନାନ୍ଦୁରା ମଦ ପିଇ ସିନେମା ଦେଖିଲା । ଏଣେ ଏ କାନ୍ଦୁରା ଚନ୍ଦରା ସଂନ୍ଧ୍ୟା ଛଅଟା ବେଳକୁ ଗୋଟିଏ ନିଛାଟିଆ ଜାଗାରେ ବସିଥା’ନ୍ତି । ସାଙ୍ଗରେ ମଧ୍ୟ ମଦ ନେଇ ଯାଇଥା’ନ୍ତି । ଖୁସି ଗପ ହେଉ ଥାଆନ୍ତି କେତେ କ’ଣ ଗପ । ବୁଢୀ ଅସୁରୁଣୀ, ପାତାଳ ଗୁଣିଆ ଏମିତି କେତେ ଗପ । ଦିଲ୍ଲୀରୁ ଦୌଲତାବାଦ ପର୍ଯ୍ୟନ୍ତ କଥା ଲମ୍ବି ଚାଲିଥାଏ । କିଛି ସମୟ ପରେ କାନ୍ଦୁରା ଚନ୍ଦରାକୁ ମଦ ନିଶା ଟିକେ ଭଲ ଭାବରେ ଝୁଙ୍କେଇ ଦେଲା । ହଠାତ୍ ସେ କାନ୍ଦୁରା ଚନ୍ଦରାକୁ କହିଲା ଆବେ ଚନ୍ଦରା – କହିଲୁ ଦେଖିବା ପଶୁ ରାଇଜରେ ସବୁଠାରୁ ବଡ ଜୀବ କିଏ?

                ଏ ପ୍ରକାର ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ଯାଇ ଚନ୍ଦରା କହିଲା, ପଶୁ ରାଇଜରେ ସବୁଠାରୁ ବଡ ଜୀବ ହେଉଛି ହାତୀ । ଏହା ଶୁଣି କାନ୍ଦୁରା କହିଲା ସାବାସ୍ ଚନ୍ଦରା, ତୁ ଏକଦମ୍ ଠିକ୍ କହିଛୁ । ତେବେ ଆଉ ଗୋଟିଏ ପ୍ରଶ୍ନ ପଚାରୁଛି କହ । ତହୁଁ ସେ ଚନ୍ଦରା କହିଲା ତେବେ ପ୍ରଶ୍ନଟି ଆଗ କ’ଣ କୁହ । କାନ୍ଦୁରା କହିଲା ହାତୀ ତ ଏତେ ବଡ ଜୀବ, କହିଲୁ ଦେଖି ହାତୀ ପିଲା ଜନ୍ମ କରେ ନା ଅଣ୍ଡା ଦିଏ? ଚନ୍ଦରା କହିଲା, ନା ହାତୀ ଅଣ୍ଡା ଦିଏ ନାହିଁ, ବରଂ ସେ ପିଲା ଜନ୍ମ କରେ । ଏକଥା ଶୁଣି କାନ୍ଦୁରା କହିଲା ନା – ହାତୀ ଅଣ୍ଡା ଦିଏ । ଏହିପରି ଭାବେ କେହି କାହାରି କଥାରୁ ବି ବାହାରିଲେ ନାହିଁ । ଏଣେ ଚନ୍ଦରା କହିଲା, ହାତୀ ପିଲା ଜନ୍ମ କରେ । ତେଣେ ସେ କାନ୍ଦୁରା କହିଲା ହାତୀ ଅଣ୍ଡା ଦିଏ । ଅଣ୍ଡା – ପିଲା । ପିଲା – ଅଣ୍ଡା । ଏମିତି କାନ୍ଦୁରା ଚନ୍ଦରାଙ୍କ ମଧ୍ୟରେ ଝଗଡା ହୋଇଗଲା । ସେତେବେଳକୁ ତ ରାତି ଆସି ଦଶଟା ହେଲାଣି । ନାନ୍ଦୁରା, କାନ୍ଦୁରା ଓ ଚନ୍ଦରାକୁ ଖୋଜି ଖୋଜି ହଠାତ୍ ସେମାନଙ୍କ ନିକଟରେ ଯାଇ ପହଁଚିଗଲେ । ସେ ନାନ୍ଦୁରା ତ ନାକ ପର୍ଯ୍ୟନ୍ତ ପିଇଛି । ଏ ଦୁଇ ଜଣଙ୍କଠାରୁ ବି ଅଧିକ ମଦ ପିଇଛି ନାନ୍ଦୁରା । କାନ୍ଦୁରା, ଚନ୍ଦରାଙ୍କ ଏଭଳି ପାଟିତୁଣ୍ଡ ଶୁଣି ସେ ନାନ୍ଦୁରା କହିଲା ଆବେ ହେ କାନ୍ଦୁରା ଚନ୍ଦରା କାହିଁକି ପାଟିତୁଣ୍ଡ କରୁଛୁ? ଚନ୍ଦରାର ତ ଚିକ୍କଣ କଥା । ତେଣୁ ଚନ୍ଦରା ଟିକେ ଗେହ୍ଲେଇ ହୋଇ କହିଲା, ନାନ୍ଦୁରା ଭାଇ, କାନ୍ଦୁରା ଭାଇ ମୋତେ ପଚାରିଲା ହାତୀ ପିଲା ଜନ୍ମ କରେ ନା ଅଣ୍ଡା ଦିଏ । ମୁଁ କହିଲି ହାତୀ ପିଲା ଜନ୍ମ କରେ । କିନ୍ତୁ କାନ୍ଦୁରା ଭାଇ କହୁଛି ହାତୀ ଅଣ୍ଡା ଦିଏ । ତମେ ତ ଆମର ବଡ ଭାଇ ତେଣୁ ତୁମେ ହିଁ କୁହ କାହାର ଭୁଲ୍ କାହାର ଠିକ୍ । ଏସବୁ ଶୁଣି ସେ ନାନ୍ଦୁରା କହିଲା, ଏଠି ହାତୀ ତ ନାହିଁ ହାତୀ ଥିଲେ କହିଥାନ୍ତା, ନହେଲେ ଆମେ ତାକୁ ପଚାରିଥାନ୍ତେ । ହାତୀ ସେ ତ ବଣରେ ଥିବ । ତେବେ ତୁମ ଦୁଇ ଜଣଙ୍କ କଥା ଭୁଲ୍ । ହାତୀ ହେଉଛି ବଣର ରାଜା । ତା’ ଇଚ୍ଛା ହେଲେ ସେ ଅଣ୍ଡା ଦେଇପାରେ । ତମେ କହିଲେ ସେ ପିଲା ଜନ୍ମ କରିବନି କି ତମେ କହିଲେ ସେ ଅଣ୍ଡା ବି ଦେବନି ବୁଝିଲ । ଏକଥା ଶୁଣି ଚନ୍ଦରା କହିଲା, ଭାଇ ତମେ ପୁରାପୁରି  ଠିକ୍ କହିଛ । ସବୁ ରଜାର ଇଚ୍ଛାରେ ଭାଇ ଆମେ ତ ଛାର ପ୍ରଜା । କିଏ ସେ ଅଛି ତାଙ୍କୁ କହିବାକୁ? ନାନ୍ଦୁରା କହିଲା, ଆବେ ଚନ୍ଦରା, କାନ୍ଦୁରା ମୋତେ ନିଦ ମାଡିଲାଣି ମୁଁ ରିକ୍ସା ଉପରେ ଶୋଇଗଲି ତା’ପରେ କାନ୍ଦୁରା ଚନ୍ଦରା ମଧ୍ୟ ଶୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ