ରାଜାଙ୍କ ଦ୍ୱାରା ଆୟୋଜିତ ଉତ୍ସବ ଦେଖିବାକୁ ହରିପୁରରୁ ଅନେକ ଲୋକ ମଧ୍ୟ ଆସିଥା’ନ୍ତି । ତାଙ୍କ ମଧ୍ୟରେ ଜମିଦାର ସତ୍ୟପ୍ରକାଶ ବି ଥା’ନ୍ତି । ଦରବାର ସଭାରେ ରାଜା ଘୋଷଣା କଲେ କି ଧର୍ମବୀରଙ୍କ କାର୍ଯ୍ୟରେ ସେ ବହୁତ ଖୁସି; ତେଣୁ ତାଙ୍କୁ ପୁରସ୍କାର ଦିଆଯାଇ ସମ୍ମାନିତ କରିବାକୁ ସେ ମନସ୍ଥ କରିଛନ୍ତି ।”
କିନ୍ତୁ ଧର୍ମବୀର ନିଜ ସ୍ଥାନରେ ଥାଇ କହିଲେ, “ମହାରାଜ ମୁଁ ଏହି ସମ୍ମାନ ପାଇଁ ଆଦୌ ଯୋଗ୍ୟ ନୁହେଁ । ତେଣୁ ମୁଁ ଏହା କଦାପି ମଧ୍ୟ ସ୍ୱୀକାର କରୁନାହିଁ, ଏଣୁ ଆପଣ ମୋତେ କ୍ଷମା କରିବେ । ଆପଣ ଆଜି ମୋତେ ପୁରସ୍କାର ଦେଇଛନ୍ତି ଯେ ମୁଁ ଜଣେ ସଚ୍ଚା ବିଚାରପତି । କିନ୍ତୁ ଜମିଦାର ସତ୍ୟପ୍ରକାଶ ଏହାଠାରୁ ଅଧିକ ମୌଳିକ ଭାବରେ ଜନସେବା କରନ୍ତି ଯିଏ କି ଏ ସଭାରେ ଉପସ୍ଥିତ ଅଛନ୍ତି ମୁଁ ଚାହେଁ ମୋ ସ୍ଥାନରେ ତାଙ୍କୁ ସମ୍ମାନିତ କରାଯାଉ ।”
ଏକଥା ଶୁଣି ସାରା ଦରବାରର ଲୋକ ଓ ସତ୍ୟପ୍ରକାଶ ନିଜେ ମଧ୍ୟ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ରାଜା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଧର୍ମବୀରଙ୍କ ଆଡେ ଚାହିଁଲେ । ଧର୍ମବୀର କହିଲେ, “ମୁଁ ଯାହା କିଛି କହୁଛି ତାହା ସମ୍ପୂର୍ଣ୍ଣ ସତ୍ୟ ।” ତା’ପରେ ରାମ ବିଷୟରେ ଯାହା ସବୁ ଘଟିଥିଲା ସେ ସମସ୍ତ ବୃତାନ୍ତ ସେ ଦରବାରରେ ଗୋଟି ଗୋଟି ବିସ୍ତାର କରି କହିଲେ । ତା’ପରେ ସେ କହିଲେ, “ବିଚାରପତି ଭାବରେ ମୁଁ ନ୍ୟାୟ ବିଚାର କରୁଛି ସତ, କିନ୍ତୁ ଲାଂଚ ନେଇ କର୍ମଚାରୀମାନେ ମୋର ସେ ଆଦେଶକୁ କାର୍ଯ୍ୟକାରୀ କରୁ ନାହାଁନ୍ତି । ଏପରି ଅବସ୍ଥାରେ ଦୀନଦୁଃଖିମାନଙ୍କର ସେବା ଜମିଦାର ସତ୍ୟପ୍ରକାଶହିଁ କରୁଛନ୍ତି । ଆମର ନ୍ୟାୟାଳୟ ସହିତ ତାଙ୍କର କିଛିବି ସମ୍ପର୍କ ନାହିଁ । ଅଥଚ ନିଜର ଶକ୍ତି ଅନୁସାରେ ସେ ନୀରବରେ ଜନସେବା କରି ଚାଲିଛନ୍ତି ।”
ରାଜା କହିଲେ, “ଧର୍ମବୀର, ଆପଣଙ୍କ ପ୍ରସ୍ତାବ ମୁଁ ସ୍ୱୀକାର କରୁଛି । ସତ୍ୟପ୍ରକାଶଙ୍କ କାର୍ଯ୍ୟ ଅତୀବ ପ୍ରଶଂସନୀୟ । ତାଙ୍କର ସମ୍ମାନ ଆମେ ମଧ୍ୟ କରିବା । ସେଥିସହିତ ନ୍ୟାୟ ଓ ସତ୍ୟ ପାଇଁ ଆପଣଙ୍କୁ ମଧ୍ୟ ପୁରସ୍କାର ଦିଆଯିବ ଓ ସମ୍ମାନିତ ମଧ୍ୟ କରାଯିବ ।” ତା’ପରେ ରାଜା ଉଭୟଙ୍କୁ ବଡ ଆଦର ଅଭ୍ୟର୍ଥନା ସହିତ ପୁରସ୍କାର ଦେଇ ସମ୍ମାନିତ କଲେ । ଲାଂଚ ନେଉଥିବା କର୍ମଚାରୀମାନେ କଡା ଦଣ୍ଡ ପାଇଲେ । ରାଜ୍ୟର ମଙ୍ଗଳ ପାଇଁ ଏହା ମହାନ୍ ଆଦର୍ଶ ଥିଲା ।