ରାଜା ନରେନ୍ଦ୍ର ସିଂହ ଏପରି ଜଣେ କର୍ମଚାରୀ ନିଯୁକ୍ତ କରିବାକୁ ଚାହୁଁଥିଲେ, ଯିଏ କି ନିର୍ଲୋଭୀ ହୋଇଥିବ । ସେ କର୍ମଚାରୀ ତାଙ୍କ ରାଜ୍ୟ ସୀମାନ୍ତରେ ରହିବ ଏବଂ ସେଠାକାର ଆଦିବାସୀ ପ୍ରଜାଙ୍କଠାରୁ କର ଅସୁଲ୍ କରିବ । କଥା କ’ଣ କି, ସେ ସରଳ ପ୍ରଜାଙ୍କଠୁଁ ନିୟମଠୁଁ ବେଶି କର ସଂଗ୍ରହ କରି ଆତ୍ମସାତ୍ କରିବାର ଲୋଭୀ କର୍ମଚାରୀମାନଙ୍କୁ ଆଉ ସମ୍ବରଣ କରିପାରୁ ନଥିଲେ ।
ରାଜାଙ୍କର ଚାରିଜଣ ଅମାତ୍ୟ ଚାରିଜଣ ଯୁବକଙ୍କୁ ସେହି ପଦପାଇଁ ସୁପାରିସ୍ କଲେ । ମନ୍ତ୍ରୀ ସେମାନଙ୍କୁ ସହର ବାହାରେ ଗୋଟିଏ ପୁରୁଣା କୋଠାରେ ଦିନେ ସକାଳେ ହାଜର୍ ହେବାକୁ ଖବର ପଠାଇଲେ । ସେମାନେ କୋଠା ଆଗରେ ପହଁଚିଲେ । ମନ୍ତ୍ରୀ କୋଠା ଭିତରେ ଅଗଣାରେ ବସିଥିଲେ । କୋଠାର ଦ୍ୱାରଦେଶ ଓ ଅଗଣା ଭିତରେ ବେଶ୍ କିଛି ଦୂରତା ଥାଏ ।
ଦ୍ୱାରୀ ଜଣ ଜଣ କରି ଅଲଗା ଅଲଗା ଚାରିଜଣଙ୍କୁ ମନ୍ତ୍ରୀଙ୍କ ପାଖକୁ ପଠାଇଲା । ଚାରିଜଣ ଏକତ୍ର ହେବା ପରେ ମନ୍ତ୍ରୀ କହିଲେ, “ସୀମାନ୍ତରେ ଦରକାର ବେଳେ ଦୌଡିବାକୁ ପଡିବ । ମୋ ଚାରିପଟେ ଲମ୍ଫ ଦେଇ ଦେଇ ଦୌଡି ପାରିବ?”
ପ୍ରମଥ ନାମକ ଯୁବକ ଦୌଡିଲା । ଅନ୍ୟ ତିନିଜଣ ଗୋଡରେ ଯନ୍ତ୍ରଣା ହେଉଛି କହି ଠିଆ ହୋଇ ରହିଲେ । ମନ୍ତ୍ରୀ ପ୍ରମଥଙ୍କୁ ନେଇ ରାଜାଙ୍କ ଆଗରେ ଠିଆ କରାଇ କହିଲେ, “ମହାରାଜ, ଏହି ଯୁବକକୁ ରଖନ୍ତୁ ।”
ରହସ୍ୟ ହେଲା, କୋଠାର ଦ୍ୱାର ଦେଶ ଓ ଅଗଣା ଭିତରେ ଅନ୍ଧାରୁଆ ସ୍ଥାନ ମାନଙ୍କରେ ପ୍ରତିଥର ମନ୍ତ୍ରୀ କିଛି କିଛି ଚକ୍ ଚକ୍ ଟଙ୍କା ରଖି ଦେଉଥିଲେ । କେବଳ ପ୍ରମଥ ଛଡା ବାକି ତିନିଜଣଯାକ ସେ ଟଙ୍କା ଉଠାଇ ପକେଟ୍ରେ ପୁରାଇଥିଲେ । ଲମ୍ଫଝଂପ ଦେଲେ ସେସବୁ ଶବ୍ଦ କରିବ ବୋଲି ସେମାନେ ତାହା କଲେ ନାହିଁ ।