ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାବୁ କହିଥିଲେ

କପାଟ ମୁଣ୍ଡାର ସପନି । ଜାତିରେ ସେ ଗୋପାଳ । ପଲେ ମଇଁଷି, ଚାରିଛ’ଟା ଗାଈ ତାର ଥାଏ । ଏଇ ତା’ର ସମ୍ବଳ । ଦୁଧ ଦହି ବିକି ସେ ତା’ ପେଟ ପୋଷେ । ନଅରେ ନଥାଏ କି ଛଅରେ ନଥାଏ ସେ । ଶାଗ କହିଲେ ହଁ ତ ମୁଗ କହିଲେ ହଁ । “ଦହି ନବ ଦହି” … ଏହା କହି ଏ ଗାଆଁରୁ ସେ ଗାଆଁ ଏଘରୁ ସେଘର ହୋଇ ସକାଳଠାରୁ ସଞ୍ଜଯାଏଁ ସେ ବୁଲୁଥାଏ । ପିଲାଠାରୁ ବୁଢାଯାଏଁ ସମସ୍ତେ ତାକୁ ଭାରି ଭଲ ପାଆନ୍ତି । ତା ପାଟି ଶୁଣିଲେ ପିଲାମାନେ ଗ୍ଲାସ, ଗିନାଧାରି ଧାଇଁ ଆସନ୍ତି । ସେ ବି କାହାକୁ ନିରାଶ କରେନି । ଚାମଚେ ଅଧଚାମଚେ ସେମାନଙ୍କ ହାତରେ ପକାଇଦିଏ । ଘରଣୀମାନେ ଦୁଧ, ଦହିନେଲା ବେଳେ ସପନି କାହାକୁ କେମିତି କିଛି ଅଧିକ ବି ଦେଇଦିଏ । ସେ ଜମାରୁ ଦୁଧରେ ପାଣି ମିଶାଏ ନାହିଁ ବୋଲି ଭାରି ଗର୍ବକରେ । ଅବଶ୍ୟ ପହ୍ନା ଧୋଇଦେବାପାଇଁ ଦୁଧ ଦୁହିଁବା ସମୟରେ କିଛି ପାଣି ସେ ନେଇଥାଏ । କିନ୍ତୁ ଅନ୍ୟମାନଙ୍କ ଭଳି ଦୁଧରେ ସେ ମୋଟେ ପାଣି ମିଶାଏ ନାହିଁ । ତା ଦୁଧରେ ଝୋଟି ଲେଖିହେବ । ତା ଦହି ଗାମୁଛାରେ ବାନ୍ଧିନେଇହେବ । “କେଉଟ ଧରେ ମାଛ, ଖାଏ କଙ୍କଡା” ଭଳି ସପନି ଦୁଧ ଦହି କାରବାର କରେ ସିନା, କେବେ କିନ୍ତୁ ଖାଏ ନାହିଁ କି ନିଜ ପିଲାଙ୍କୁ ବି ଦିଏନାହିଁ । ପଇସା ରୋଜଗାର କରି ସେ କିପରି ବଡଲୋକ ହେବ, ଏଇଚିନ୍ତାରେ ସର୍ବଦା ସେ ଥାଏ । ଖରା, ବର୍ଷା, ଶୀତ କାକରକୁ ମୋଟେ ଖାତିର କରେନା ସେ, କେବଳ ନିଜ କାରାବାରରେ ଲାଗିଥାଏ, ଦୁଇଓଳି ଗରାଖଙ୍କୁ ଦୁଗ୍ଧ ଯୋଗାଏ । ବନ୍ଧୁବାନ୍ଧବଙ୍କ ଘରକୁ ବି ସେ ସପନି କେବେ କେମିତି ଯାଇଥାଏ ।

ଥରେ ସେ ସପନିର ଦେହ ବହୁତ ଖରାପ ହେଲା । ତେଣୁ ସେ ଗାଆଁର ଧଡି କବିରାଜଙ୍କ ପାଖକୁ ଯାଇ ତାଙ୍କୁ ମୁଣ୍ଡିଆମାରି ତା’ରୋଗ କଥା କହିଲା । କବିରାଜ ପାଣି ଦେଖି ସବୁ କହିଦେବେ । ଧଡି କବିରାଜ ସେ ଖଣ୍ଡମଣ୍ଡଳରେ ନିଜକୁ ଧନ୍ୱନ୍ତରୀ ବୋଲି ଗର୍ବ କରନ୍ତି । ପାଣି ଦେଖି ବାତପିତ-କଫ ସବୁ ରୋଗର ଠିକଣା ସେ ଜାଣିପାରନ୍ତି । ଔଷଧ ଦେଇ ରୋଗର ମୂଳି ମାରି ଦିଅନ୍ତି । ସେ କବିରାଜ ସପନିକୁ କହିଲେ, “ବଡିଭୋଅରୁ ଉଠି ପ୍ରଥମ ପାଣି ଧରି ମୋ ପାଖକୁ ଆସିବୁ । ମୁଁ ପାଣି ଦେଖିବା ପରେ ଔଷଧ ତିଆରି କରିଦେବି ଯେ ଏକାଥରକେ ସବୁରୋଗ କୁଆଡେ ପଳାଇଯିବେ ।” ସପନି ଫେରି ଆସିଲା, ରାତିଯାକ ତାକୁ ଆଉ ନିଦ ହେଲାନି । କିପରି ସକାଳ ହେବ ଏବଂ ସେ ପାଣିନେଇ କବିରାଜଙ୍କ ପାଖକୁ ଯିବ । ତେବେ ସେ ଚିନ୍ତାରେ ପଡିଗଲା । କି ପାଣିନେବ? କୂଅ, ପୋଖରୀ, ନା ନଦୀ ପାଣି ନେବ? ବୋତଲରେ, ଠେକିଏ, ଗିନାଏ କେତେ ନେବ? ଯେମିତି ସକାଳ ହୋଇଛି କେହି ଉଠିବା ଆଗରୁ ମହାନ୍ତିଘର ଗଡିଆରୁ ବୋତଲେ ପାଣିଧରି ସେ ସପନି ଯାଇ କବିରାଜଙ୍କ ପାଖରେ ହାଜର ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ