ବାବୁ ବଳରାମ ବଳ କଲିକତା ବଡବଜାରର ଜଣେ ଗଦିଆନା ମହାଜାନ । ଉତ୍କଳର ସମସ୍ତ ବେପାରୀଙ୍କର ସେ ଦଣ୍ଡିଦାର । ସମସ୍ତ ମାଲ ଆମଦାନି-ରପ୍ତାନି ତାଙ୍କ ହାତବାଟେ ହେଉଥିଲା । ଲକ୍ଷ ଲକ୍ଷ ଟଙ୍କାର କାରବାର । ଢେର୍ ବର୍ଷ ତଳର କଥା । ସେତେବେଳେ ରେଳ ନାମ ତ କେହି ବି ଶୁଣି ନ ଥିଲେ, ଇଷ୍ଟିମାର ମଧ୍ୟ ଚଳୁ ନ ଥିଲା । ବାଲେଶ୍ୱର ଜାହାଜରେ ମାଲ ଆମଦାନି ରପ୍ତାନି ହୁଏ । କଲିକତା ଆମଦାନି ମାଲ ମଧ୍ୟରେ ଧୂଆଁପତ୍ର ପ୍ରଧାନ । କଲିକତାରୁ ମାଲ ଆସି ବାଲେଶ୍ୱର ବନ୍ଦରରେ ଜାହାଜରୁ ଘାଟ ଭିଡେ । ସେ ସ୍ଥାନରୁ ଶଗଡରେ ସମସ୍ତ ମାଲ ଉତ୍କଳକୁ ଚଲାଣ ହୁଏ । ଏଥିପାଇଁ ସମସ୍ତ ଉତ୍କଳରେ କଲିକତୀ ଧୂଆଁପତ୍ରର ନାମ ବାଲେଶ୍ୱରୀ । ହେଲେ, ବାଲେଶ୍ୱରୀ ଲୋକେ ଧୂଆଁପତ୍ର ଗଛ କେବେ ବି ଦେଖି ନାହାଁନ୍ତି ।
ଧୂଆଁପତ୍ର କାରବାର ବଡ କଠିନ । ଘୋଡାଚଢା ମହାଜନ କଥାପଦକେ ଘାସ କାଟେ – ଘାସକଟା ଘୋଡା ଚଢେ । ମହାଜନେ ବୋଲନ୍ତି, ‘ଦୋକ୍ତା’ କାରବାର ଆଉ ଗୋଖର ସାପ ଖେଳାଇବା ଏକା କଥା । ବାସନାରେ ରଙ୍ଗରେ ମାଲ ସମାନ । କୋଉଠି ସେହି ମାଲ ମହଣ କୋଡିଏ ତ ଆଉ କୋଉଠି ସେହି ମାଲ ମହଣ ଚାଳିଶ ଟଙ୍କା । ଚିହ୍ନରା ଦଣ୍ଡିକାର ନ ଧରି ଲୋକେ ଧୂଆଁପତ୍ର କିଣିବାକୁ ଭରସନ୍ତି ନାହିଁ । ବଳରାମ ତ ବଳେ ଜଣେ ଭଲ ଚିହ୍ନରା, ଏଥିପାଇଁ ସାରା ଓଡିଶାରେ ତାଙ୍କର ଖୁବ୍ ନାମ ଡାକ ।
ସେ ମହାଜନଙ୍କ ଘର ଯାଜପୁର ଅଂଚଳରେ । ଗ୍ରାମ ନାମ ଜଣା ନାହିଁ । ମହାଜନ ଥରେ ସେ ଗ୍ରାମକୁ ଆସିଥିଲେ । ଦଶ ବାର ବର୍ଷର ଛେଉଣ୍ଡ ପିଲା ଗୋପାଳିଆ ଗାଁରେ ବୁଲୁଥିଲା । ଜାତିପୁଅଟା ଅନାସ୍ଥା ହୋଇ ବୁଲୁଛି, ତେଣୁ ମହାଜନ ଦୟାକରି ତାକୁ ନିଜ ସାଙ୍ଗରେ ଘେନିଗଲେ । ଗୋପାଳ ଗଦିରେ ଥାଏ । ଖାଉଛି ତ ଖାଉଛି, ଅଛି ତ ଥାଉ, ତାକୁ ବା ଦେଖୁଛି କିଏ, ପଚରାପଚରିର ଦରକାର କ’ଣ? ଦିନେ ରାତିରେ କଣ ହେଲା କି, ମହାଜନ ଜଣେ ସଉଦାଗର ପାଖରୁ ପାଂଚଟା ଆକବରୀ ମୋହର କିଣିଲେ । ତେଣୁ ସେ ବାବୁଙ୍କ ମନ ଭାରି ଖୁସି । ମିଳିବା ପଦାର୍ଥ ନୁହେଁ, ବାକ୍ସରେ ରଖି ତାକୁ ପୂଜା କରିବେ । ମୋହର ପୁଟୁଳାଟି ଧରି ସେ ବସିଥାନ୍ତି, କେତେବେଳେ ଯେ ସେ ତାକୁ ତଳେ ରଖିଦେଲେଣି । ପାଇକାର ମହାଜନ, ମୋଟିଆ, ମଜୁରିଆ, ହିସାବପତ୍ର ଛିଡିବାକୁ ରାତି ଛ’ଘଡି । ବାବୁଙ୍କର ଆଉ ହୋଷ ନାହିଁ; ଗଦି ବନ୍ଦ କରି ସେ ଉଠିଗଲେ । ତହିଁ ଆରଦିନ ସକାଳେ ଗୋପାଳ ଯିମିତି ଉଠିଛି, ଗଦିରେ ଥିବା ମୋହର ପୋଟଳା ଉପରେ ହଠାତ୍ ତା’ର ନଜର ପଡିଗଲା, ତା’ପରେ ଗୋପାଳ ତାକୁ ଧରି ସିଧା ବାବୁଙ୍କ ପାଖକୁ ଧାଇଁଲା । କୁକୁଡା ଡାକ ଆଗରୁ କଲିକତାରେ ଯିମିତି ତୋପ ପଡେ; ଗଦିଆନ୍ ଧାର୍ମିକ ହିନ୍ଦୁ ମହାଜନମାନେ ସେମିତି ଗଙ୍ଗାସ୍ନାନକୁ ବାହାରିଯା’ନ୍ତି । ଢେର୍ ଜାଗାରେ ଠାକୁର-ଠାକୁରାଣୀ ଦର୍ଶନ କରି ଗଦିକୁ ବାହୁଡିବାବେଳେ ବେଳ ଦୁଇଘଡି । ଧର୍ମକାର୍ଯ୍ୟ କରିବାକୁ ସେଇଟା ହେଲା ଅସଲ ବେଳ । ଦିନଯାକ ଆଉ ଫୁରୁସତ୍ ବା କାହିଁ? ବାବୁଙ୍କୁ ନ ଭେଟି ଗୋପାଳ ତାଙ୍କ ପଲଙ୍କ ତକିଆ ତଳେ ସେହି ପୋଟଳାଟି ଥୋଇଦେଲା । ତା’ପରେ ତାହାର ବି ସେକଥା ଆଉ ମନରେ ନାହିଁ । ବାବୁ ସ୍ନାନ ସାରି ଆସିବା ବେଳକୁ ତାଙ୍କ ଚାକର ବିଦିଆ ବାରିକ ଗଦି ଝାଡିଝୁଡି କରି ସବୁଆଡେ ଗଙ୍ଗାଜଳ ସିଂଚି ଗୁଳ୍ଗୁଳ୍ ଧୂଆଁ ଜାଳଦେଇ ସାରିଛି । ବାବୁ ବଡ ମାଣ୍ଡିଟାକୁ ଆଉଜି ବସି ରୁପାବନ୍ଧା ହୁକାରେ ଭଡର ଭଡର କରି ଗୁଡାଖୁ ପିଇବାକୁ ବସିଲେ । ଆଗରେ ଦୁଇ କଡା କଣା କଉଡି ବନ୍ଧା ବ୍ରାହ୍ମଣ ହୁକା, କାୟସ୍ଥ ହୁକା, ନବଶାଖା ହୁକା, କଂସା ବୈଠକରେ ଥୁଆହୋଇଛି । ଏଇଟା ହେଲା କଲିକତା ସବୁ ଗଦିର ଦସ୍ତୁର ।