ଥମ୍ବଲୀନା

ଶସ୍ୟକ୍ଷେତ୍ରର ଶସ୍ୟସବୁ କଟା ହୋଇଯିବାପରେ ମୂଷାଗାତ ପାଖରେ ବହୁତ ଆଲୋକ ପଡୁଥିଲା ଓ ସୂର୍ଯ୍ୟ ମଧ୍ୟ ଦେଖାଯାଉଥିଲେ । ଥମ୍ବଲୀନା ସୂର୍ଯ୍ୟଙ୍କଠାରୁ ବିଦାୟମାଗି ଚୁଚୁନ୍ଦ୍ରାର ସେ ଅନ୍ଧାରୁଆ ଘରକୁ ଯିବାକୁ ପ୍ରସ୍ତୁତ ହେଲା ।

ଥମ୍ବଲୀନା ଗୋଟିଏ ଫୁଲ ଗଛ ପାଖକୁ ଯାଇ ସେ ଗଛରେ ଫୁଟୁଥିବା ଗୋଟିଏ ଲାଲ୍ ଫୁଲଠାରୁ ବିଦାୟ ମାଗି କହିଲା ‘ହେ ଫୁଲରାଣୀ ମୋର ପ୍ରିୟ ଘରଚଟିଆ ପକ୍ଷୀକୁ ଦେଖିଲେ ମୋର ସ୍ନେହ ତାକୁ ଜଣାଇ ଦେବ ।’

ଠିକ୍ ଏହି ସମୟରେ ଘରଚଟିଆ ପକ୍ଷୀ କିଚିର ମିଚିର ଶବ୍ଦକରି ସେଠାରେ ଆସି ପହଁଚିଲା । ଥମ୍ବଲୀନା ଘରଚଟିଆକୁ ଦେଖି ଖୁବ୍ ଖୁସି ହୋଇଗଲା । ତା’ପରେ ସେ ଥମ୍ବଲୀନା ଘରଚଟିଆକୁ ତାର ସମସ୍ତ ଦୁଃଖ କଥା କହିଲା । ସେ କିପରି ବାଧ୍ୟ ହୋଇ ଚୁଚୁନ୍ଦ୍ରାକୁ ବିବାହ କରିବାକୁ ଯାଉଛି ସେ କଥା ମଧ୍ୟ କହିଲା । ଏ କଥା କହୁକହୁ ଥମ୍ବଲୀନା କାନ୍ଦି ପକାଇଲା ।

ଘରଚଟିଆ ଥମ୍ବଲୀନାର ଏ ଦୁଃଖ କଥାଶୁଣି କହିଲା ‘ଏବେ ତ ଶୀତଦିନ ଆସିଲା ମୁଁ ବର୍ତ୍ତମାନ ଅନ୍ୟ ଦେଶକୁ ଉଡିଯିବି । ତୁମେ ମୋ ସାଙ୍ଗରେ ଯିବ କି? ତୁମେ ଯଦି ଚାହିଁବ ତେବେ ମୋ ପିଠି ଉପରେ ବସି ଅନ୍ୟ ଗ୍ରୀଷ୍ମଦେଶକୁ ଉଡିଯିବ । ସେଠାରେ ସୂର୍ଯ୍ୟ ଖୁବ୍ ଉଜ୍ଜ୍ୱଳ କିରଣ ଦିଅନ୍ତି । ସେଠାରେ ବର୍ତ୍ତମାନ ବସନ୍ତ ଋତୁ ଓ ସୁନ୍ଦର ସୁନ୍ଦର ଫୁଲ ଫୁଟିଛି । ତୁମେ ଆସ ମୋ ସହିତ ସେଠାକୁ ଉଡିଯିବ ।’

ଘରଚଟିଆର ଏକଥାରେ ରାଜି ହୋଇ ଥମ୍ବଲୀନା ଯାଇ ଘରଚଟିଆର ପିଠି ଉପରେ ବସିଲା । ଘରଚଟିଆ ଥମ୍ବଲୀନାକୁ ପିଠିରେ ବସାଇ ବଣ ପାହାଡ ଉପରେ ଦେଇ ସେ ଉଡିବାକୁ ଲାଗିଲା । କେତେ ବଣ ପାହାଡ ଓ ସାଗର ଦେଇ ସେ ଉଡି ଉଡି ଯିବାକୁ ଲାଗିଲା ଓ ଘରଚଟିଆ ସମୁଦ୍ର ଉପରେ ଉଡୁଥିବା ବେଳେ ଥମ୍ବଲୀନା ଘରଚଟିଆର ପର ମଧ୍ୟରେ ଜାକିଜୁକି ହୋଇ ବସିଲା । ଥମ୍ବଲୀନା ଘରଚଟିଆ ପର ମଧ୍ୟରେ ନିଜ ଦେହକୁ ଲୁଚାଇ ମୁଣ୍ଡଟେକି ପୃଥିବୀର ସବୁ ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖି ଖୁବ୍ ପ୍ରଶଂସା କରିବାକୁ ଲାଗିଲା ।

ସେମାନେ ଏକ ଗ୍ରୀଷ୍ମ ପ୍ରଧାନ ଦେଶ ଉପରେ ଉଡିବାକୁ ଲାଗିଲେ । ଥମ୍ବଲୀନା ସେଠାରେ ଉଜ୍ଜ୍ୱଳ ସୂର୍ଯ୍ୟ କିରଣ, ନିର୍ମଳ ଆକାଶ ଓ ବଣର ପାଚିଲା ଅଙ୍ଗୁର ପେନ୍ଥାମାନଙ୍କୁ ଦେଖି ଖୁବ୍ ଖୁସିହେଲା । ଥମ୍ବଲୀନା ତଳକୁ ଚାହିଁ ଦେଖିଲା ତଳେ ତୋଟାମାନଙ୍କରେ ପାଚିଲା କମଳା ଲେମ୍ବୁମାନ ଝୁଲୁଛି ଓ ଝରଣାରେ ନିର୍ମଳ ଜଳ ବହିଯାଉଛି । ପିଲାମାନେ ସବୁ ସୁନ୍ଦର ସୁନ୍ଦର ପ୍ରଜାପତିମାନଙ୍କ ପଛରେ ଦୌଡୁଥିବାର ଦେଖିଲା । ମାତ୍ର ଘରଚଟିଆଟି ପୁଣି ଆଗକୁ ଆଗକୁ ଉଡିଯାଉଥିଲା ।

ଶେଷରେ ଘରଚଟିଆଟି ଥମ୍ବଲୀନାକୁ ନେଇ ନୀଳ ଜଳପୂର୍ଣ୍ଣ ହ୍ରଦ କୂଳରେ ଥିବା ଗୋଟିଏ ଶଙ୍ଖମଲମଲ ପଥରରେ ତିଆରି ଦୁର୍ଗ ପାଖରେ ପହଁଚିଲା । ସେ ଦୁର୍ଗର ଶଙ୍ଖମଲମଲ ପଥର ଖୁମ୍ବରେ ଅଙ୍ଗୁରଲତା ସବୁ ମାଡିଥିଲା ଓ ସେଠାରେ ଅନେକ ଘରଚଟିଆ ପକ୍ଷୀଙ୍କର ବସା ଝୁଲୁଥିଲା । ସେଇ ବସାମାନଙ୍କ ମଧ୍ୟରୁ ଏ ଘରଚଟିଆର ଗୋଟିଏ ବସାଥିଲା ।

ଘରଚଟିଆ ଥମ୍ବଲୀନାକୁ କହିଲା ‘ଏଇଠି ମୋର ବସା । ମୋର ଏ ବସାଟି ଖୁବ୍ ଅପରିଷ୍କାର ଅଛି ତେଣୁ ମୁଁ ତୁମକୁ ନେଇ ଏଇ ତଳେ ଫୁଟିଥିବା ଗୋଟିଏ ସୁନ୍ଦର ଫୁଲ ପାଖୁଡା ମଧ୍ୟରେ ରଖିଦେବି ।’


ଗପ ସାରଣୀ

ତାଲିକାଭୁକ୍ତ ଗପ