ଅତ୍ୟାଚାରୀ ବୀରସିଂହ ରାଜସିଂହାସନ ମାଡି ବସିବା ପରେ ପ୍ରବୀଣ ମନ୍ତ୍ରୀଙ୍କୁ ମାରିଦେବା ପାଇଁ ସେ ଆତତାୟୀ ନିଯୁକ୍ତ କଲା । ବସନ୍ତ ନାମକ ଜଣେ ଯୁବକ ରାଜା ଶାନ୍ତିଦେବଙ୍କର କ’ଣ ହେଲା ବୋଲି ପ୍ରଶ୍ନ ଉଠାଇବାରୁ ତାକୁ ମଧ୍ୟ ସେ ପ୍ରାଣଦଣ୍ଡର ଆଦେଶ ଦେଲା । କିନ୍ତୁ କୌଣସି ରହସ୍ୟମୟ ବ୍ୟକ୍ତି ଉଭୟ ମନ୍ତ୍ରୀ ଓ ବସନ୍ତକୁ ରକ୍ଷା କଲେ । ତା’ପରେ…
ସେ ରହସ୍ୟମୟ ବ୍ୟକ୍ତି ଏଡେ ସାହସ ଦେଖାଇ କଟୁଆଳ କବଳରୁ ବସନ୍ତକୁ ମୁକୁଳାଇନେଇ ଚାଲିଗଲେ, ଏ ସମ୍ବାଦରେ ବୀରସିଂହ କ୍ରୋଧାନ୍ଧ ହେଲା । ଫଳରେ ସେ କିଛି ସମୟ ପର୍ଯ୍ୟନ୍ତ ଆଉ କଥା କହିପାରିଲା ନାହିଁ ।
ସହକାରୀ କଟୁଆଳ ବୀରସିଂହକୁ କହିଲା “ମହାରାଜ! କଟୁଆଳ ଆପଣଙ୍କ ଆଗରେ ନିଜ ମୁହଁ ଦେଖାଇବାକୁ ଲଜ୍ଜା ଅନୁଭବ କରୁଛନ୍ତି!” କେବଳ ସେଇଥିପାଇଁ କଟୁଆଳ ନିଜେ ନଆସି ତା’ ସହକାରୀକୁ ପଠାଇଥିଲା । ପୂର୍ବରୁ ବୀରସିଂହର ସ୍ୱାର୍ଥ ପାଇଁ କଟୁଆଳ ଅନେକ ବର୍ବରୋଚିତ କାମ କରିଥିଲା । ତେଣୁ କଟୁଆଳର ଆଶା ଥିଲା ଯେ, ବୀରସିଂହ ତା’ର ତୃଟି ମାର୍ଜନା କରିଦେବ । ଆଉ କହିବ, “ଆଚ୍ଛା, ଆଚ୍ଛା, ଠିକ୍ ଅଛି । କଟୁଆଳ ମୁହଁ ଦେଖାଇବାରେ କିଛି କ୍ଷତି ନାହିଁ!” କିନ୍ତୁ ସେଭଳି କୌଣସି ମୃଦୁ ବାକ୍ୟ ନ କହି ବୀରସିଂହ କହିଲା, “କଟୁଆଳ ପୁଙ୍ଗବର ମୁହଁ ଦେଖିବା ନିମନ୍ତେ ଆମର ତିଳେ ବି ଆଗ୍ରହ ନାହିଁ । ବରଂ ତାଙ୍କ ପିଠି ଦେଖିଲେ ଆମର ସନ୍ତୋଷ ହେବ । ଅର୍ଥାତ୍, ସେ ଆମ ରାଜ୍ୟ ଛାଡି ଏହିକ୍ଷଣି ବାହାରିଯାଉ । ଆମ୍ଭେ ଆଜିଠାରୁ ତୁମକୁ କଟୁଆଳ ପଦରେ ନିଯୁକ୍ତ କଲୁଁ ।”
ଏହା ଶୁଣି ସେ ସହକାରୀ କଟୁଆଳ ଆନନ୍ଦରେ ଡେଇଁ ପଡିବାକୁ ମନ କରୁଥିଲା । କିନ୍ତୁ ନିଜକୁ ସମ୍ଭାଳି ସେ ବୀରସିଂହ ଆଗରେ ସାଷ୍ଟାଙ୍ଗ ପଡିଗଲା ଏବଂ ତା’ ପାଦ ଚୁମ୍ବନ କରି କହିଲା, “ମଣିମା, ଆପଣଙ୍କର ଏ ଦାସାନୁଦାସ ଆପଣଙ୍କ ପାଇଁ ପ୍ରାଣପାତ କରିବାକୁ ମଧ୍ୟ ପ୍ରସ୍ତୁତ ।”
ତା’ପରେ ବୀରସିଂହ ଗମ୍ଭୀର କଣ୍ଠରେ କହିଲା “କଟୁଆଳ! ଆମେ ସେଥିରେ ବିଶେଷ ଆଶ୍ୱସ୍ତ ହେବାର କାରଣ ନାହିଁ । ତମେ ଚଟାପଟ ପ୍ରାଣପାତ କଲେ ଆମକୁ ପୁଣି ଆଉ କାହାକୁ କଟୁଆଳ ରୂପେ ନିଯୁକ୍ତ କରିବାକୁ ହେବ ।”
ନୂଆ କଟୁଆଳ ଉତ୍ସାହରେ କହିଲା “ମଣିମା! ଆପଣ ମୋ ଆଖି ଖୋଲି ଦେଲେ । ମୁଁ ମୋ ନିଜ ପ୍ରାଣ ଦେବା ଅପେକ୍ଷା ବରଂ ଆପଣଙ୍କ ବିରୋଧୀମାନଙ୍କର ପ୍ରାଣଟିମାନ ନେବା ନମନ୍ତେ ଅଧିକ ତତ୍ପର ହେବି ।”
ରାଜା କହିଲେ “ଠିକ୍ । ସେଇଆ ହିଁ ହେଉ ।”
ପୁରୁଣା କଟୁଆଳ ତୁଳନାରେ ଏ ନୂଆ କଟୁଆଳ ଅଧିକ ନିର୍ମମ ଥିଲା । ବୀରସିଂହଠୁଁ ବାହାଦୁରୀ ନେବା ପାଇଁ ମଧ୍ୟ ସେ କମ୍ ଉତ୍ସୁକ ନଥିଲା । ସେ ଅବିଳମ୍ବେ ବସନ୍ତର ଗାଁରେ ସଦଳବଳେ ଯାଇ ପହଁଚିଗଲା ଓ ବସନ୍ତର ବାପା ମାଆ ଓ ସାନଭାଇ ଓ ଭଉଣୀଙ୍କୁ ଘର ଭିତରୁ ଓଟାରି ଆଣି ଗାଁ ଦାଣ୍ଡରେ ଠିଆ କରାଇଲା । ଭୟଭୀତ ଗ୍ରାମବାସୀମାନେ କ୍ରମେ ଅଦୂରରେ ଜମା ହେଲେ ।