ସାରା ଗାଁକୁ ଗୋଟାଏ ବିରାଟ ଅଗ୍ନିକୁଣ୍ଡ ବନାଇ କଟୁଆଳ ଓ ତା’ ଅନୁଚରମାନେ ଚାଲିଗଲେ । ଆଖପାଖ ଗାଁର ଲୋକେ ନିଆଁ ଲିଭାଇବା ପାଇଁ ଦୌଡି ଆସିଲେ । ବାଉଁଶ ଫାଟିବାର ଶବ୍ଦ ଓ ଲୋକଙ୍କ କୋଳାହଳ ଯେତିକି ବଢିଲା, କଟୁଆଳ ସେତିକି ଯୋରେ ହସି ହସି ସେ ଗାଁରୁ ଅଦୃଶ୍ୟ ହେଲା ।
ରାତି ଅଧାଅଧି । ସେତେବେଳେ ତ ମୃଦୁ ମୃଦୁ ବର୍ଷା ହେଉଥାଏ । ବଣର ଗୋଟିଏ ଦିଗରେ ଶାନ୍ତିପୁର ରାଜ୍ୟ । ବିପରୀତ ଦିଗରେ ଶାନ୍ତିପୁରର ପୂର୍ବରାଜା ଶାନ୍ତିଦେବଙ୍କ ଶ୍ୱଶୁର ଘର ରାଜ୍ୟ ଅମୃତପୁର । ବଣର ତୃତୀୟ ଦିଗରେ ଥାଏ ଗୋଟିଏ ଛୋଟିଆ ଅଂଚଳ, ଜୟନଗର । ସନ୍ନ୍ୟାସୀ ଦୟାନନ୍ଦ ସେହି ଜୟନଗର ଆଡେ ଚାଲିଥାନ୍ତି ।
ମନେହେବ, ସେ ଏକୁଟିଆ ବାଟ ଚାଲୁଥାନ୍ତି । କିନ୍ତୁ ତାହା ନୁହେଁ । ତାଙ୍କ ପଛେ ପଛେ ଚାଲିଥାଏ ତାଙ୍କର ଆଜ୍ଞାବହ ବାଘ – ଯାହାକୁ କି ସେ ବାଘା ବୋଲି ଡାକୁଥାନ୍ତି । ତାଙ୍କ କାନ୍ଧ ଉପରେ ବସିଥାଏ ଗୋଟିଏ ବୃହଦାକାର ଶୁଆ ।
ଜୟନଗର ସହର ନୁହେଁ, ବରଂ ଗୋଟିଏ ସୁନ୍ଦର ଗ୍ରାମ । କିନ୍ତୁ ତାହା ଗୋଟିଏ ଅତ୍ୟନ୍ତ ଛୋଟିଆ ରାଜ୍ୟର ରାଜଧାନୀ । ତା’ର ଶାସକ ହେଲେ ଶଙ୍କରବର୍ମା । ତାଙ୍କୁ ସର୍ଦ୍ଦାର ବୋଲି କୁହାଯାଉଥାଏ ।
ଛୋଟିଆ ହେଲେ ବି ଜୟନଗର ଗୋଟିଏ ସ୍ୱାଧୀନ ରାଜ୍ୟ । ତା’ର ଗୋଟିଏ ପ୍ରାନ୍ତ ଶାନ୍ତିପୁରର ସୀମାନ୍ତକୁ ଲାଗିଥାଏ । ଆଉ ତା’ର ଅନ୍ୟ ସୀମାନ୍ତରେ ସମୁଦ୍ର । ଆଉ ଦୁଇ ପାଖ ବ୍ୟାପି ରହିଥାଏ ବିସ୍ତୃତ ବଣ । ଅନେକ ପୁରୁଷ ଆଗେ ଥରେ ଜୟନଗରର ସର୍ଦ୍ଦାର ଶାନ୍ତିପୁରର ରାଜାଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ । ସେହି ଦିନଠାରୁ ଜୟନଗରର ସ୍ୱାଧୀନତା ରକ୍ଷା କରିବାର ଦାୟିତ୍ୱ ଶାନ୍ତିନଗର ଉପରେ ନ୍ୟସ୍ତ ଥିଲା । ଶାନ୍ତିପୁର ଭିତରଦେଇ ନଗଲେ କାହାରି ପକ୍ଷରେ ଜୟନଗର ଆକ୍ରମଣ କରିବା ସମ୍ଭବପର ନଥିଲା । ଶାନ୍ତିପୁର ବି କୌଣସି ଆକ୍ରମଣକାରୀକୁ ଜୟନଗର ଯିବାକୁ ବାଟ ଦେବାର ପ୍ରଶ୍ନ ହିଁ ଉଠୁ ନଥିଲା ।
ସନ୍ନ୍ୟାସୀ ଦୟାନନ୍ଦଙ୍କର ଶିଷ୍ୟ ସଂଖ୍ୟା ଖୁବ୍ କମ୍ । କିନ୍ତୁ ସେହି ମୁଷ୍ଟିମେୟ ଶିଷ୍ୟଙ୍କ ଭିତରୁ ଜଣେ ହେଲେ ଶଙ୍କରବର୍ମା ।
ଜୟନଗର ରାଜ୍ୟ ଆରମ୍ଭରେ ଗୋଟିଏ ମନ୍ଦିର । ସନ୍ନ୍ୟାସୀ ବାଘାକୁ କହିଲେ, “ମୁଁ ଲେଉଟି ଆସିବା ଯାଏଁ ତୁ ଏଇଠି ରହ ।” ତା’ପରେ ନିଜ କାନ୍ଧରୁ ଶୁଆକୁ ଉଠାଇ ଆଣି ସେ କହିଲେ, “ମଲ୍ଲି! ତୁ ଆଗ ଉଡିଯାଇ ବାବୁକୁ ମୋ ଆସିବା ଖବର ଦେଇ ଦେ ।”
ଶୁଆ ସିଟି ମାରି ଉଡି ଚାଲିଗଲା ।