ଦୁଇ ବିଦ୍ୟାର୍ଥୀ

ଆନନ୍ଦ ଓ ବିଦ୍ୟାଶୀଳ ଆସି ପ୍ରଜ୍ଞାସାଗରଙ୍କ ଆଶ୍ରମର ଅତିଥିଶାଳାରେ ରହିଲେ । ଦୁଇଦିନ ପରେ ଆନନ୍ଦ ପ୍ରଜ୍ଞାସାଗରଙ୍କ ଶିଷ୍ୟତ୍ୱ ଗ୍ରହଣ କରିବାକୁ ସ୍ଥିର କରି ତାଙ୍କୁ ସେକଥା କହିଲେ ।

ପ୍ରଜ୍ଞାସାଗର କହିଲେ, “ବର୍ତ୍ତମାନ ମୁଁ ସିଦ୍ଧାନ୍ତ କରିଛି, ଯିଏ ସେ ପଥୁରିଆ ସ୍ଥାନରେ ଗୋଟାଏ କୂଅ ଖୋଳିବ, କେବଳ ସେ ହିଁ ମୋ ଶିଷ୍ୟ ହେବ ।”

ଏଭଳି କଥା ଶୁଣି ଆନନ୍ଦ ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ମହାଶୟ, ଏହା କିପରି କଥା? ମୁଁ ତ ନାଳନ୍ଦା ବିଶ୍ୱବିଦ୍ୟାଳୟରୁ ଉତୀର୍ଣ୍ଣ ହେବା ପରେ ସେହିଠାରେ ଅଧ୍ୟାପନା ମଧ୍ୟ କରିଛି । ମୋ ଛାତ୍ରମାନେ ସୁନାମ ଅର୍ଜନ କରି ସାରିଲେଣି – ମୋ ନିଜ କଥା ମୁଁ ଆଉ କଣ ବା କହିବି! ଆପଣଙ୍କଠାରୁ କେତେକ ବିଶେଷ ବିଷୟରେ ଜ୍ଞାନ ଅର୍ଜନ କରିବାକୁ ମୁଁ ଚାହୁଁଥିଲି । ପଥର ଚଟାଣ ଉପରେ ସେଥିପାଇଁ କୂଅ ଖୋଳିବି କାହିଁକି?”

                “ତାହାହିଁ ମୋର ସର୍ତ୍ତ ।” ପ୍ରଜ୍ଞାସାଗର ଏହା କହି ଅନ୍ୟ କାମରେ ମନ ଦେଲେ ।

                ଏହାପରେ ଆନନ୍ଦ ଅତିଥିଶାଳାକୁ ଆସି ବିରକ୍ତ ହୋଇ ବିଦ୍ୟାଶୀଳଙ୍କୁ କହିଲେ, “କଥା କ’ଣ ମୁଁ ଜାଣେ । ପ୍ରଜ୍ଞାସାଗରଙ୍କ ଭୟ ହେଉଛି, ମୁଁ ଅଧିକ ବିଦ୍ୟାର୍ଜନ କରି ତାଙ୍କଠୁଁ ଅଧିକ ଜଣାଶୁଣା ହୋଇଯିବି! ସେଥିପାଇଁ ସେ ଏଭଳି ଅଦ୍ଭୁତ ସର୍ତ୍ତ ରଖିଲେ । ଚାଲ, ବହୁତ ହେଲା ।”

                ବିଦ୍ୟାଶୀଳ ଶାନ୍ତ କଣ୍ଠରେ କହିଲେ, “ମୁଁ ଭାବୁଛି, ମୁଁ ଏଠାରେ ରହି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିବି ।”

                ତାଙ୍କ କଥା ଶୁଣି ଆନନ୍ଦ ଆଶ୍ଚର୍ଯ୍ୟ ହୋଇ ପଚାରିଲେ “କ’ଣ କହୁଛ ତମେ! ପଥର ଚଟାଣ ଖୋଳି କୂଅ ବନାଇବ?”

                ବିଦ୍ୟାଶୀଳ କହିଲେ, “ଚେଷ୍ଟା କରିବି ।”

                ଆନନ୍ଦ ଏହା ଶୁଣି ଖାଲି ଏତିକି କହିଲେ, “ବୋଧ୍ହୁଏ ତମ ମୁଣ୍ଡ ଖରାପ ହେଲାଣି ।” ଏହା କହି ସେ ସେଠାରୁ ଚାଲିଗଲେ ।

                ପାଞ୍ଚବର୍ଷ ପରେ ଆନନ୍ଦ କୌଣସି ସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବା ପଥରେ ସେ ଆଶ୍ରମରେ ରାତ୍ରି ଯାପନ କରିବାକୁ ଆସି ଦେଖିଲେ, ବିଦ୍ୟାଶୀଳ ସେଠାରେ ତାଙ୍କ ଅଧ୍ୟୟନ ଶେଷ କରିବାକୁ ବସିଲେଣି । ଆନନ୍ଦଙ୍କୁ ଦେଖି ବିଦ୍ୟାଶୀଳ ଖୁସି ହେଲେ । ଆନନ୍ଦ ବିଦ୍ୟାଶୀଳଙ୍କୁ ଏକାନ୍ତରେ ପଚାରିଲେ, “ତମେ କଣ କୂଅ ଖୋଳି ପାରିଲ?”

                ତାଙ୍କ କଥା ଶୁଣି ବିଦ୍ୟାଶୀଳ ହସି ହସି କହିଲେ, “ନା, କୂଅ ଖୋଳିବା ଦରକାର ହୋଇ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ