ଧୂସର ଦୁର୍ଗ

                ସେ କାପାଳିନୀର ଏଭଳି କଥା ଶୁଣି ଚନ୍ଦ୍ରବର୍ମାଙ୍କ ହୃଦୟ ତା’ପ୍ରତି ସହାନୁଭୂତିରେ ଭରିଗଲା । କେତେଦିନ ଧରି କାପାଳିନୀ ସେ ଯାଦୁ ଶଂଖ ପାଇବାକୁ ଚେଷ୍ଟା କରି ଚାଲିଥିଲା । ଆଜି ତାହା ହାତକୁ ଆସି ମଧ୍ୟ ଖସି ଚାଲିଗଲା । ପୁଣି ସେ ଚନ୍ଦ୍ରବର୍ମାଙ୍କୁ ତାଙ୍କ ରାଜ୍ୟ ଫେରି ପାଇବା ଦିଗରେ ସହାୟତା କରି ଋଣ ପରିଶୋଧ କରିବାକୁ ଇଚ୍ଛା କରୁଥିଲା । ମାତ୍ର ତାହା ବି ହୋଇ ପାରିଲା ନାହିଁ । ତେଣୁ ସେ କାପାଳିନୀ ଦୁଃଖରେ ଭାଙ୍ଗି ପଡିବା ତ ସ୍ୱାଭାବିକ । ଚନ୍ଦ୍ରବର୍ମା ତା’ ଦୁଃଖ ଠିକ୍ ଭାବରେ ଅନୁଭବ କଲେ ।

                ଚନ୍ଦ୍ରବର୍ମା କହିଲେ, “କାପାଳିନୀ! ମୋ ପାଇଁ ତମେ ଆଉ ଦୁଃଖ କର ନାହିଁ । ମୁଁ ଯେତେବେଳେ ନଦୀରେ ଭାସି ଆସି ବଣ ଭିତରେ ପହଁଚିଲି, ସେତେବେଳେ ଚତୁର୍ଦ୍ଦିଗର ଅବସ୍ଥା ଦେଖି ପ୍ରାଣର ଆଶା ମୁଁ ଛାଡି ଦେଇଥିଲି । ତୁମ ସହ ଦେଖା ହେବାରୁ ମୋ ଭିତରେ ନୂତନ ଆଶାର ସଂଚାର ହେଲା । ମୁଁ ଯେ ନୂତନ ଉତ୍ସାହରେ ଏତେ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିଛି, ଏହା କ’ଣ କମ୍ କଥା? ସେକଥା ଛାଡ । ବର୍ତ୍ତମାନ ଆମର କର୍ତ୍ତବ୍ୟ କ’ଣ, ତାହା ହିଁ ନିରୂପଣ କରିବା?”

                ତହୁଁ କାପାଳିନୀ କହିଲା, “ଚନ୍ଦ୍ରବର୍ମା! ବର୍ତ୍ତମାନ ଆମକୁ ଅଲଗା ଅଲଗା ପନ୍ଥା ଧରିବାକୁ ହେବ । ମୁଁ ଆଉ କୁଆଡେ ଯିବାକୁ ଚାହୁଁ ନାହିଁ । ଏଇ ଅଂଚଳରେ କୌଣସି ଶାନ୍ତିପୂର୍ଣ୍ଣ ସ୍ଥାନଟିଏ ବାଛି ନେଇ ଶେଷ ଜୀବନ ବିତାଇବି ।”

                ଚନ୍ଦ୍ରବର୍ମା ପଚାରିଲେ, “ବେଶ୍ ଉତ୍ତମ କଥା । କାଳ ନାଗର ସହାୟତାରେ ମୁଁ ତମପାଇଁ ତେବେ ଏ ପାହାଡ ଶୀର୍ଷରେ ଗୋଟିଏ କୁଡିଆ ବନାଇ ଦେବି । କ’ଣ ପାହାଡ ଉପରକୁ ଯାଇ ଦେଖିବା?”

                କାପାଳିନୀ ଏଥିରେ ସମ୍ମତ ଦେଲା । ଚନ୍ଦ୍ରବର୍ମା ଆଗେ ଆଗେ ପାହାଡ ଉପରକୁ ଚାଲିଲେ । ତାଙ୍କୁ କାଳନାଗ ଓ କାପାଳିନୀ ଅନୁସରଣ କଲେ ।

                ସେମାନେ ଉପରେ ପହଁଚିବା ପରେ, ଯେଉଁ ସ୍ଥାନରୁ ସେମାନେ ଶଂଖୁକୁ ଟାଣି ତଳେ ପକାଇ ଦେଇଥିଲେ, ଚନ୍ଦ୍ରବର୍ମା ସେଠାରୁ ତଳକୁ ଅନାଇଲେ । ହଠାତ୍ ତାଙ୍କ ମୁହଁରେ ବିସ୍ମୟ ଫୁଟି ଉଠିଲା । ସେ ଦେଖିଲେ ଶଂଖୁ କିଛି ତଳେ ଗୋଟିଏ ପଥର ଉପରେ ପଡିଛି । ତା’ ମୁହଁ ତଳଆଡକୁ ରହିଛି । ତା’ ଦେହରେ ଜୀବନ ଅଛି ବୋଲି ମନେ ହେଉଥିଲା । ଚନ୍ଦ୍ରବର୍ମା ଏକ ଧ୍ୟାନରେ ତାକୁ କିଛି ସମୟ ପର୍ଯ୍ୟନ୍ତ ନିରୀକ୍ଷଣ କଲେ ।

                ସେ ବୁଝିପାରିଲେ ନାହିଁ, ତାକୁ ସେହିପରି ଅବସ୍ଥାରେ ଛାଡିଦେଇ ଚାଲିଯିବେ ନା ତାକୁ ଖତମ୍ କରିବାର ବ୍ୟବସ୍ଥା କରିବେ । ଶଂଖୁ ତା’ ଜୀବନକାଳ ଭିତରେ ଅସଂଖ୍ୟ ଲୋକଙ୍କର କ୍ଷତି କରିଛି । ନିଜର କ୍ଷମତା ବୃଦ୍ଧି ପାଇଁ ସେ କେତେ ଲୋକଙ୍କୁ ହତ୍ୟା କରିଛି, ପ୍ରତିହିଂସା ପାଇଁ କେତେ ଲୋକଙ୍କୁ କଲବଲ ବି କରିଛି । ଏସବୁ ବିଷୟ ତ ଚନ୍ଦ୍ରବର୍ମା କାପାଳିନୀ ପାଖରୁ ଶୁଣିଥିଲେ । ତେଣୁ ଶଂଖୁକୁ ଟାଣି ତଳେ ପକାଇଦେବା ଦିଗରେ ତାଙ୍କୁ କୌଣସି ସଙ୍କୋଚ ଲାଗି ନଥିଲା । କିନ୍ତୁ ବର୍ତ୍ତମାନ ଶଂଖୁ ଅଚେତ ହୋଇ ପଡିଥିବା ବେଳେ ତାକୁ ମାରି ପକାଇବା ନିର୍ମମତା ହେବ । ଅନ୍ୟ ପକ୍ଷରେ, ତାକୁ ଛାଡିଦେଲେ ସେ ଯଦି ପୁଣି ବଂଚି ରହିବ, ତେବେ ନିର୍ମମ ଭାବରେ ସେ ପ୍ରତିହିଂସାପରାୟଣ ହୋଇ କ’ଣ ଯେ କରିବ ସେକଥା କଳନା କରିବା ଏତେ ସହଜ ନୁହେଁ । ଏହିପରି କେତେକଥା ଭାବି ଚନ୍ଦ୍ରବର୍ମା ବଡ ଦ୍ୱନ୍ଦ୍ୱରେ ପଡିଲେ ।

                କାପାଳିନୀ ପଚାରିଲା, “କ’ଣ ଦେଖୁଛ?”

                ତହୁଁ ଚନ୍ଦ୍ରବର୍ମା କହିଲେ, “ତାନ୍ତ୍ରିକ ଶଂଖୁ ହ୍ରଦ ଗର୍ଭରେ ପଡି ଯାଇଛି ବୋଲି ଆମର ଯେଉଁ ଧାରଣା ଥିଲା ତାହା ଭୁଲ । ସେ ଏଇଠାରେ ହିଁ ପଡିଛି ।” ତା’ପରେ ସେ ଖଣ୍ଡିଏ ବଡ ପଥର ଅପସାରଣ କରି ତା’ ପାଖକୁ ଯିବାକୁ ଉଦ୍ୟତ ହେଲେ । କାପାଳିନୀ ତାଙ୍କୁ କିଛି କହିବାକୁ ଯାଉଛି, ଠିକ୍ ଏତିକିବେଳେ ସେ ପଥର ଗୁଡିକ ଭାରସାମ୍ୟ ହରାଇଲେ । ଶଂଖୁ ଯେଉଁ ପଥର ଉପରେ ପଡିଥିଲା, ସେ ପଥର ତଳକୁ ଖସି ଚାଲିଗଲା–ଶଂଖୁ ସମେତ ।


ଗପ ସାରଣୀ

ତାଲିକାଭୁକ୍ତ ଗପ