ଧୂସର ଦୁର୍ଗ

                ଚନ୍ଦ୍ରବର୍ମାଙ୍କ ଦ୍ୱନ୍ଦ୍ୱ ଦୂର ହେଲା । ଯାହା ହେବାର କଥା, ତାହା ବଳେ ବଳେ ହୋଇଗଲା । ତଥାପି ସେ ଯେ ଖୁସି ହେଲେ, ତାହା ନୁହେଁ ।

                ଏହାପରେ ସେ ତିନିହେଁ ପୁଣି ଉପରକୁ ଉଠିଲେ । ପାହାଡ ଉପରେ ଯେଉଁଠାରେ ସକାଳ ପର୍ଯ୍ୟନ୍ତ ଶଂଖୁର ମନ୍ତ୍ର-ଗୃହ ଠିଆ ହୋଇଥିଲା, ସେହି ସ୍ଥାନ କାପାଳିନୀ ସକାଶେ ଗୃହ ନିର୍ମାଣ ନିମନ୍ତେ ଉପଯୁକ୍ତ ମନେ ହେଲା ।

କାପାଳିନୀ କହିଲା, “ଚନ୍ଦ୍ରବର୍ମା! ତମକୁ ଭୋଖ ଲାଗିନାହିଁ? ମୋତେ ତ ଭୀଷଣ ଭୋଖ ଲାଗିଲାଣି!”

ଏକଥା ଶୁଣି ଚନ୍ଦ୍ରବର୍ମା କୁଣ୍ଠିତ ଭାବରେ କହିଲେ, “କିଛି ଫଳମୂଳ ସଂଗ୍ରହ କରିବା ନିମନ୍ତେ ତଳକୁ ଯିବାକୁ ପଡିବ ।”

“ତୁମକୁ ଆଉ ସେଭଳି ପରିଶ୍ରମ କରିବାକୁ ପଡିବ ନାହିଁ ।” ଏହା କହି କାପାଳିନୀ କାଳନାଗକୁ ଡାକି କହିଲା, “ବର୍ତ୍ତମାନ ମୁଁ ତୋତେ ତୋ ନିଜ ରୂପ ଫେରାଇ ଦେବି । ଏଣିକି ତୁ ସ୍ୱାଧୀନ । ଯାହା ଇଚ୍ଛା ତାହା କରିପାରୁ ।”

ଏହା କହି କାପାଳିନୀ ସେ କାଳନାଗ ଉପରେ କିଛି ମନ୍ତ୍ର ପାଣି ଛିଟିକାଇ ଦେଲା । ଚାହୁଁ ଚାହୁଁ କାଳନାଗ ଗୋଟିଏ ବଳବାନ୍ ଯୁବକରେ ପରିଣତ ହେଲା । ସେ କାପାଳିନୀକୁ ଜୁହାର ହୋଇ କହିଲା, “ତମର ଦୟା ପାଇଁ ଧନ୍ୟବାଦ । ସ୍ୱାଧୀନତା ପାଇବା ସତ୍ତ୍ୱେ ମୁଁ ତମର ଅନୁଗତ ହୋଇ ରହିବି ।”

ଏହା ପରେ ସେ ଯୁବକ ଚନ୍ଦ୍ରବର୍ମାଙ୍କୁ ଅଭିବାଦନ ଜଣାଇ କହିଲା, “ଯୁବରାଜ! ତୁମ ପ୍ରତି ମୁଁ ବହୁତ କୃତଜ୍ଞ ।”

ଚନ୍ଦ୍ରବର୍ମା କହିଲେ, “ଯୁବକ, ତୁମର ଅସଲ ନାମ କ’ଣ ମୁଁ ତ ତାହା ଜାଣେନା । ମୋର ଜଣେ ଶତ୍ରୁ ଅଛି । ତା’ ନାମ ସର୍ପକେତୁ । ମୁଁ ତୁମକୁ କାଳକେତୁ ଡାକିବି ବୋଲି ଭାବୁଛି ।”

“ବେଶ୍, ଯୁବରାଜ, ବେଶ୍ । ମୋତେ କାଳକେତୁ ବୋଲି ହିଁ ଡାକନ୍ତୁ । ଦିନେ ହୁଏତ ଆପଣଙ୍କ ଶତ୍ରୁକୁ ଦମନ କରିବା ଦିଗରେ ମୁଁ ଆପଣଙ୍କ ସହାୟତା ଅବଶ୍ୟ କରିବି ।”

ଏହା କହି କାଳକେତୁ ବିଜୁଳି ବେଗରେ ପାହାଡ ତଳକୁ ଅବତରଣ କରିଗଲା । ଅନେକ ଦିନ ପରେ ମଣିଷ ରୂପେ ବିଚରଣ କରିବାର ସ୍ୱାଧୀନତା ପାଇ ତା’ ଆନନ୍ଦ କହିଲେ ଆଉ ନ ସରେ । ଅଳ୍ପ ସମୟ ଭିତରେ ସେ ଅନେକ ଗୁଡିଏ ସୁସ୍ୱାଦୁ ଫଳମୂଳ ଧରି ଆସିଲା । ପାହାଡ ଉପରେ ହିଁ ଥିଲା ସ୍ୱଚ୍ଛ ଝରଣା । ସେମାନେ ସେଠାରେ କ୍ଷୁଧା ତୃଷ୍ଣା ନିବାରଣ କରି ଆନନ୍ଦିତ ହେଲେ ।

କାଳକେତୁ ଓ ଚନ୍ଦ୍ରବର୍ମା ଲାଗିପଡି ଗୋଟିଏ କୁଡିଆ ନିର୍ମାଣ କଲେ ।

କାଳକେତୁ କହିଲା, “ଯୁବରାଜ! ଦେଖନ୍ତୁ ଭାଗ୍ୟର ଏ କି ବିଡମ୍ବନା! ଆପଣ କାହିଁ ବିରାଟ ରାଜ-ପ୍ରସାଦରେ ରହିବା ଲୋକ । ଆଜି ରାତ୍ରି ଯାପନ ନିମନ୍ତେ ଆପଣଙ୍କୁ ନିଜ ହାତରେ କୁଡିଆଟିଏ ନିର୍ମାଣ କରିବାକୁ ପଡୁଛି ।” ଏକଥା ଶୁଣି ଚନ୍ଦ୍ରବର୍ମା ହସିଲେ ଓ କହିଲେ, “ସବୁ ପରିସ୍ଥିତିରୁ ମଣିଷର ବହୁତ କିଛି ଶିଖିବାର ଥାଏ ।”

ରାତିରେ ସେ ତିନିହେଁ କୁଡିଆରେ ଶୋଇଲେ କିନ୍ତୁ ଚନ୍ଦ୍ରବର୍ମାଙ୍କୁ ନିଦ ହେଲା ନାହିଁ । ସେ ଭାବୁଥିଲେ, ତାଙ୍କର ସୁନ୍ଦର ରାଜପ୍ରାସାଦ ଓ ଦୁର୍ଗ ବର୍ତ୍ତମାନ ଦୁଷ୍ଟ ସର୍ପକେତୁ ମାଡି ବସିଛି! ସେ କିପରି ସେଠାରେ ପହଁଚିବେ? କିପରି ବା ତା’ କବଳରୁ ନିଜ ରାଜ୍ୟ ମୁକ୍ତ କରିବେ?

ଏସବୁ ଭାବୁ ଭାବୁ ସେ କୁଡିଆ ବାହାରକୁ ଚାଲି ଆସିଲେ । ମୁକ୍ତ ଆକାଶ ତଳେ ସେ ଏଣେତେଣେ ଦୃଷ୍ଟିପାତ କରୁଥା’ନ୍ତି ଓ ନାନା କଥା ଭାବୁଥାନ୍ତି । କେତେବେଳେ କାଳକେତୁ ମଧ୍ୟ ଉଠି ଆସିଥାଏ ।

କାଳକେତୁ କହିଲା, “ଯୁବରାଜ! ଆପଣଙ୍କ ଚିନ୍ତାର କାରଣ ମୁଁ ଠିକ୍ ଅନୁମାନ କରି ପାରୁଛି । ଆପଣଙ୍କୁ ମୁଁ ବଣ ଭିତରୁ ବାହାରି ଯିବାର ବାଟ ବତାଇ ଦେଇପାରେ । କିନ୍ତୁ ମୋର ଦୁଃଖ ହେଲା, ମୁଁ ଆପଣଙ୍କ ସହ ଯାଇ ପାରିବି ନାହିଁ । କାରଣ କାପାଳିନୀ ଅତ୍ୟନ୍ତ ବୃଦ୍ଧା । ଆଉ ବେଶିଦିନ ସେ ବଂଚିବ, ସେ ଆଶା ନାହିଁ । ଏଭଳି ଅବସ୍ଥାରେ ତାକୁ ଛାଡିଦେଇ ମୁଁ ବା ଯିବି କିପରି?”

ଚନ୍ଦ୍ରବର୍ମା କହିଲେ, “ତୁମେ ଠିକ୍ କହୁଛ । କାପାଳିନୀକୁ ଏଭଳି ଅବସ୍ଥାରେ ଏ ଜନଶୂନ୍ୟ ଅରଣ୍ୟ ଭିତରେ ଏକାକୀ ଛାଡିଦେଇ ଯିବା ଆଦୌ ଠିକ୍ ହେବ ନାହିଁ । ସେ ଯେତେହେଲେ ବି ତୁମ ଉପରେ ବିଶ୍ୱାସ ରଖିଛି ।” ତା’ପରେ ସେ ବଣ ଭିତରୁ ଜନପଦ ଅଭିମୁଖେ ବାହାରି ଯିବାର ଉପାୟ ସବିଶେଷ କାଳକେତୁ ନିକଟରୁ ଜାଣିନେଲେ । ନିଜ କର୍ମ ଉପରେ ସବୁ ଛାଡି ଦେଇ ନିଜ ରାଜ୍ୟକୁ ଫେରିଯିବାକୁ ସେ ମନସ୍ଥ କଲେ ।

ସକାଳ ହେବା ମାତ୍ରେ ସେ ଯାଇ ସରୋବରରେ ସ୍ନାନ କଲେ ଓ ସେଠାରୁ ଆସି କାପାଳିନୀକୁ ନିଜ ଯୋଜନା ବିଷୟ କହିଲେ । କାପାଳିନୀ ତାଙ୍କୁ କିଛି ସାହାଯ୍ୟ କରି ପାରୁ ନଥିବାରୁ ପୁନରାୟ ମନସ୍ତାପ କଲା ଓ କହିଲା “ଚନ୍ଦ୍ରବର୍ମା! ମୋର ବିଶ୍ୱାସ ତୁମେ ଶତ୍ରୁ ଦମନ କରି ନିଜ ରାଜ୍ୟ ଓ ଦୁର୍ଗ ନିଶ୍ଚୟ ଉଦ୍ଧାର କରିବ ।”

ଚନ୍ଦ୍ରବର୍ମା କାଳକେତୁର  ନିର୍ଦ୍ଧେଶ ଅନୁସାରେ ଉତ୍ତର ଦିଗ ଅଭିମୁଖେ ଯାତ୍ରା କଲେ । ସାରା ଦିନ ଚାଲିବା ପରେ ସେ କ୍ଳାନ୍ତ ହୋଇ ଗୋଟିଏ ଗଛ ତଳେ ମାଟି ସମତଳ କରି ବିଶ୍ରାମର ଉଦ୍ୟମ କରୁଛନ୍ତି, ଠିକ୍ ଏତିକିବେଳେ ଅଦୂରରୁ ଶୁଭିଲା ଏକ ବିକଟ ରଡି । ସେ ଅନାଇ ଦେଖିଲେ, ଗୋଟିଏ ଭୀଷଣ ଡାହାଳ କୁକୁରଟିଏ ଢିପ ଉପରୁ ଅବତରଣ କରି ଆସୁଛି  । ସେ ତା’ପଛ ଗୋଡରେ ଠିଆ ହୋଇ ଆଗ ଗୋଡର ଭୟଙ୍କର ନଖମାନ ବାହାର କରି ତାଙ୍କ ଆଡକୁ ଝପଟି ଆସୁଥାଏ ।

ଏସବୁ ଦେଖି ଚନ୍ଦ୍ରବର୍ମା ଭାବିଲେ, “ଏଇଟା କଦାପି ସାଧାରଣ କୁକୁର ନୁହେଁ; କୌଣସି ରାକ୍ଷସ ନିଶ୍ଚୟ ।”

ହଠାତ୍ ତାଙ୍କ ଆଖିରେ ପଡିଲା ଖଣ୍ଡିଏ ଜଂଜିର । ସେ ବଣ ଭିତରକୁ ଜଂଜିର କିପରି ଆସିଲା ସେ ବୁଝିପାରିଲେ ନାହିଁ । କିନ୍ତୁ ସେ ଗୋଟିଏ ହାତରେ ତଲୁଆର ଓ ଅନ୍ୟ ହାତରେ ଜଂଜିର ଧରି ଠିଆ ହୋଇ ରହିଲେ । ଏଣେ ସେ ଡାହାଳ କୁକୁର ତା’ର ଗତି ବଢାଇ ମାଡି ଆସୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ