ପରର ସ୍ତ୍ରୀ ରାଜକନ୍ୟା

ଏହି ସମୟରେ ସମୁଦ୍ର ତଟବର୍ତୀ ଗ୍ରାମର ଲୋକମାନେ ସମୁଦ୍ର କୂଳକୁ ମାଛ ଶିକାର କରିବାକୁ ଯାଉ ଥିଲେ । ସେମାନଙ୍କ ଆଖିରେ ରାଜ କୁମାର ଏପରି ଅବସ୍ଥାରେ ପଡି ଥିବା ଦେଖି ତାଙ୍କୁ ପାଣିରୁ ଛାଣି ଆଣି ତା’ର ସେବା ଶୁଶ୍ରୁଷା କରି, ସାଷ୍ଟାଙ୍ଗ କରାଇଲେ ଓ ସାଙ୍ଗରେ ଗ୍ରାମକୁ ନେଇ ଯାଇ ରାଜ କୁମାରଙ୍କୁ ଖାଇବା ପିଇବାକୁ ଦେଇ ସବୁ ଦୁଃଖକୁ ଭୁଲି ଯିବା ଲାଗି କହିଲେ ।

ଗ୍ରାମ ବାସୀ ମାନଙ୍କର ଏପରି ସ୍ନେହ ଆଶ୍ୱାସନାରେ ରାଜ କୁମାରଙ୍କର ମନ ବଦଳି ଗଲା । ସେ ଖିଆ ପିଆ ସାରି ଦୁଇ ଚାରି ଦିନ ଗ୍ରାମରେ ରହିଲା । ଏହା ପରେ ଗ୍ରାମ ବାସୀ ମାନଙ୍କୁ ତାର ଘଟି ଯାଇଥିବା ସମସ୍ତ ଅତୀତ କଥାକୁ କହିଲା ।

ଏ କଥା ଶୁଣି ଗ୍ରାମବାସୀ ମାନେ ଦୁଃଖ ଅନୁଭବ କଲେ । ଯେ ଏ କଥା ଶୁଣିଲା ସେ ହାଇପ ସାଇପ ହେଲା । ଏହି ସମୟରେ ସେ ଗ୍ରାମର ଜଣେ ପୁରୁଣା ବୟସ୍କା ବୁଢି ମାଧିଆ ମାଇପ ରାଜ କୁମାରର ଏପରି ଅବସ୍ଥାକୁ ସହ୍ୟ କରି ପାରିଲା ନାହିଁ ।

ଗ୍ରାମବାସୀ ମାନଙ୍କୁ କହିଲା ଅରେ ୟେ ରାଜ ପୁଅ ତ ପାଣିରେ ଭାସି ଭାସି ଆସି ଜୀବନ ବଂଚାଇଲା, ବର୍ତ୍ତମାନ ସେ ସୁସ୍ଥ । ଯଦି ଭାଗ୍ୟରେ ବିଧାତା ବଂଚିବାକୁ ଲେଖିଥିବେ, ରାଜା ପୁଅ ପରି ରାଜ କୁମାରୀ ଯେବେ ବଂଚି ରହିଥାଏ, କେହି ଯଦି ତାଙ୍କୁ ପାଣିରୁ ଉଦ୍ଧାର କରି ବଂଚାଇ ରଖି ଥିବେ । ମୁଁ ଭାବୁଛି ରାଜ କୁମାରୀକୁ ବିଧାତା ବଂଚାଇ ରଖି ଥିବେ । ତେଣୁ ଆମ ଗ୍ରାମର ଜ୍ୟୋତିଷ ବୁଢାକୁ ଯାଇ କହିବା ସେ ଖଡି ପକାଇବ । ତାର କୋଉ କଥା ସତ ହୁଏ ନାହିଁ କୁହନା ।

ମାଧିଆ ମାଇପ ଯାହା କହିଲା ସତ କହିଲା – ତାଠାରୁ ଏ କଥା ଶୁଣି ଜ୍ୟୋତିଷ ବୁଢା ପାଖକୁ ଗଲେ । ବୁଢା ଏ କଥା ଶୁଣି ସାରି ବହୁତ ଦୁଃଖ କଲା । ତାପରେ ମନ ଧ୍ୟାନ ଦେଇ ଖଡି ପକାଇଲା ।

ଖଡି ପକାଇବା ପରେ ସେ ଦୀର୍ଘ ନିଶ୍ୱାସଟିଏ ଦେଇ କହିଲା ଖଡି ମୋର ଡାକୁଛି ରାଜ କୁମାରୀ ଆଦୌ ମରି ନାହିଁ । ସେ ଆଉ ବିପଦ ମଧ୍ୟରେ ନାହିଁ । ଯେଉଁ ଠାରେ ଅଛି ବେଶ୍ ସୁଖରେ ଅଛି ।

ରାଜ କୁମାରୀ ବଂଚିଛି ଶୁଣିବା ମାତ୍ରେ ଗ୍ରାମବାସୀଙ୍କ ମନରେ ଆନନ୍ଦ ଖେଳି ଗଲା । ସମସ୍ତେ କହିଲେ ହେ ଜ୍ୟୋତିଷ ମହାଶୟ ତମେ ଆଉ ଥରେ ଖଡି ପକାଇ କୁହ ଯେ, ରାଜ କୁମାରୀ ଯେବେ ବଂଚିଛନ୍ତି ତାହା ହେଲେ ସେ କେଉଁ ଦିଗରେ ଓ କିପରି ଅବସ୍ଥାରେ ଅଛନ୍ତି । ଏ କଥାର ସାମାନ୍ୟ ସୁରାକ୍ ପାଇଲେ ତ ଖୋଜିବାକୁ ଯିବା ।


ଗପ ସାରଣୀ

ତାଲିକାଭୁକ୍ତ ଗପ