କିନ୍ତୁ କୁମରସିଂହ ତା ବାପା କଥାରେ ଆଦୌ କାନ ଦେଉ ନଥିଲା । ସେ ଖାଲି କହୁଥାଏ, “ବାପା, ତମେ ତ ବୁଢା ହେଲଣି । ଏଥର ଖାଇ ପିଇ ହରିନାମ କରି ଶୋଇଥାଅ । ତମର ଏତେ ସବୁ ବିଷୟରେ ମୁଣ୍ଡ ଖେଳାଇବା କ’ଣ ଦରକାର? ମୁଁ ତ ଏସବୁ ଯାହା କିଛି ବି କରୁଛି, ତାହା ବେପାର ବଣିଜ, ମହାଜନୀ କାରବାର । ସେସବୁର ନିୟମ ମାନି ହିଁ ମୁଁ କରୁଛି । ସେସବୁର ନିୟମ ସହିତ ତମ ନୀତି ନିୟମ, ଧର୍ମକର୍ମର କୌଣସି ବି ସମ୍ପର୍କ ନାହିଁ ।”
ତା’କଥା ଶୁଣି ବୀରସିଂହ ଦୀର୍ଘନିଃଶ୍ୱାସ ଛାଡି କହେ “ପୁଅ, ତୁ ଭୁଲ୍ କହୁଛୁ । ଧର୍ମ ବା ନୀତି ସହ ସମ୍ପର୍କ ନଥିବା କାମ ଜୀବନରେ ଆଉ କିଛି ବି ନାହିଁ ।” କୁମରସିଂହ ସେସବୁ କଥା ଶୁଣିକିବି ନ ଶୁଣିଲା ପରି ରହେ ।
ଦିନେ ବୃଦ୍ଧ ବୀରସିଂହ ଜଣେ ମହାପୁରୁଷଙ୍କ ବିଷୟ ଶୁଣିଲା । ସେ ଗୋଟିଏ ବଣ ଭିତରେ ରହୁଥିଲେ । ଯେ କୌଣସି ଲୋକ ଉପରେ ସେ ମନ କଲେ ଅଦ୍ଭୁତ ପ୍ରଭାବ ବିସ୍ତାର କରି ପାରୁଥିଲେ । ସୁତରାଂ ବୀରସିଂହ ଯାଇ ତାଙ୍କ ପାଖରେ ପହଁଚିଲେ ଓ ତାଙ୍କୁ ନିଜ ମନୋବେଦନା ଜଣାଇଲେ ।
ତହୁଁ ସେ ମହାପୁରୁଷ କହିଲେ, “କୁମରସିଂହ ଯେ କେବଳ ନିଜେ ଅନ୍ୟାୟ କରୁଛି; ତାହା ନୁହେଁ, ବରଂ ସେ ଅନ୍ୟମାନଙ୍କୁ ବି ଅନ୍ୟାୟ କରିବାକୁ ଶିଖାଉଛି । କାରଣ ସେ ଅନ୍ୟାୟ ମାର୍ଗରେ ଧନ ଉପାର୍ଜନ କରିବାର ଦେଖି ଅନ୍ୟମାନେ ଭାବୁଛନ୍ତି ଯେ ସେମାନେ ବି ଠିକ୍ ସେହିପରି କଲେ ଚଳିବ । ଭଲ ଲୋକର ଉଦାହରଣ ତ ଖୁବ୍ କମ୍ ଲୋକେ ଅନୁସରଣ କରନ୍ତି, କିନ୍ତୁ ଖରାପ ଲୋକଙ୍କ ଉଦାହରଣରେ ବେଶି ଲୋକ ପ୍ରଭାବିତ ହୁଅନ୍ତି । ତେଣୁ ତୁ ଗୋଟିଏ କାମ କର! ତୋ ପୁଅକୁ ତୁ ମୋ ପାଖକୁ ପଠାଇ ଦେ । ମୁଁ ତାକୁ ଭଲ ବାଟକୁ ଆଣିବା ନିମନ୍ତେ ଚେଷ୍ଟା କରିବି ।”
ଏହା ଶୁଣି ବୀରସିଂହ ମହାପୁରୁଷଙ୍କୁ ବହୁତ ଧନ୍ୟବାଦ ଦେଇ ନିଜ ଘରକୁ ଲେଉଟି ଆସିଲା ଓ ପୁଅକୁ ତାଙ୍କ ପାଖକୁ ଯିବାକୁ କହିଲା । ସେ ମହାପୁରୁଷ ତ ଅନେକ ବିଭୂତି କରିପାରନ୍ତି ଏହା ଜାଣି କୁମରସିଂହ ତାଙ୍କ ପାଖକୁ ଯିବାକୁ ଖୁସିରେ ରାଜି ହେଲା ।
କୁମରସିଂହକୁ ଦେଖି ମହାପୁରୁଷ ତାକୁ ପଚାରିଲେ, “କିରେ ବାପା, ତୋର କ’ଣ କିଛି ମାଗୁଣି ଅଛି?”
ଏକଥା ଶୁଣି କୁମରସିଂହ ତରତରରେ କହିଲା, “ଆଜ୍ଞା ହଁ, ଅଛି । ଆପଣ ଯଦି ମୋତେ କିଛି ଦେବାକୁ ଚାହାଁନ୍ତି, ତାହେଲେ ଧନସମ୍ପତ୍ତି ଦିଅନ୍ତୁ ।”
ତା’ର ଅଭିଳାଷ ବିଷୟରେ ଶୁଣି ମହାପୁରୁଷ ହସିଲେ ଓ କହିଲେ, “ବେଶ୍ । ତେବେ ଉତ୍ତର ଦିଗରେ ଯେଉଁ ପାହାଡ ଦିଶୁଛି, ତହିଁରେ ଗୋଟିଏ ଗୁମ୍ଫା ଅଛି । ସେ ଗୁମ୍ଫା ଭିତରେ ପରଶ ପଥର ମିଳିବ । ତାକୁ ତୁ ଯେ କୌଣସି ଧାତୁରେ ଲଗାଇ ଦେଲେ ସେ ଧାତୁ ସେହିକ୍ଷଣି ସୁନା ହୋଇଯିବ ।”
ମହାପୁରୁଷଙ୍କ କଥା ଆଗ୍ରହରେ ଶୁଣି କୁମରସିଂହ କହିଲା “ସତେ? ତାହେଲେ ମୁଁ ଯାଉଛି । ଆଣିବି । ତାକୁ ମୁଁ କିପରି ଚିହ୍ନିବି?”
ମହାପୁରୁଷ କହିଲେ “ତୁ ଏକା ଗଲେ କିଛି ବି ଦେଖି ପାରିବୁ ନାହିଁ । ତୁ ଯଦି ତୋ ସାଥିରେ ଜଣେ ଅତ୍ୟନ୍ତ ସାଧୁ, ପରୋପକାରୀ ଲୋକକୁ ନେଇଯିବୁ, ତେବେ ପରଶ ପଥର ତୋ ଆଖିକୁ ଅତ୍ୟନ୍ତ ଉଜ୍ଜ୍ୱଳ ଦିଶିବ ।”