ରନ୍ଧା ଖୁବ୍ ସ୍ୱାଦିଷ୍ଟ ହୋଇଥିଲା । ଲୋକମାନେ ସେ ଭୋଜିର ବହୁତ ପ୍ରଶଂସା କଲେ । ଧର୍ମରାଜ, ମାରୁତିକୁ ତାର ପ୍ରାପ୍ୟ ଅପେକ୍ଷା ଯଥେଷ୍ଟ ଅଧିକ ପାରିଶ୍ରମିକ ଦେଲେ । କିନ୍ତୁ ମାରୁତିର ଖରାପ ବ୍ୟବହାର ବିଷୟରେ ସମସ୍ତେ ଜାଣିଗଲେ । ତେଣୁ ସେମାନେ ଧର୍ମରାଜଙ୍କ ସହିଷ୍ଣୁତା ବିଷୟ ଶୁଣି ତାଙ୍କୁ ଖୁବ୍ ପ୍ରଶଂସା କଲେ ।
କିଛିଦିନ ପରେ ଭୀମ ମରିଗଲା । ଏବେ ମାରୁତି ବଡ କଷ୍ଟରେ ପଡିଲା । ତା’ର ଗର୍ବ ଯୋଗୁଁ କେହି ବି ତାକୁ କାମପାଇଁ ଡାକନ୍ତି ନାହିଁ । ଦିନେ ସେ ଯାଇ ଧର୍ମରାଜଙ୍କୁ କହିଲା, “ମହାଶୟ ମନେ ହେଉଛି ଆପଣଙ୍କର ରାନ୍ଧୁଣିଆ ଦରକାର । ମୋତେ ରଖି ନିଅନ୍ତୁ ।”
ଧର୍ମରାଜ ଚିନ୍ତା କରି କହିଲେ, “ମୋର ସ୍ତ୍ରୀ ଅସୁସ୍ଥ । ତେଣୁ କିଛି ଦିନ ପାଇଁ ରୋଷେଇଆ ଦରକାର । କିନ୍ତୁ ଏଥିପାଇଁ ମୁଁ ଅଧିକା ବେତନ ଦେଇ ପାରିବି ନାହିଁ । ବରଂ ତୁମେ ଜମିଦାରଙ୍କ ଘରେ ଚାକିରି କଲେ ଅଧିକ ପଇସା ପାଇବ । ତେଣୁ ତୁମେ ସେଠାକୁ ଯାଅ ଭଲ ହେବ ।”
ମାରୁତି କହିଲା, “ମୁଁ ମଧ୍ୟ ଶୁଣିଛି ସେଠାରେ ରାନ୍ଧୁଣିଆ ଦରକାର । କିନ୍ତୁ ଭୁଲ୍ ହେଲେ ସେମାନେ ବହୁତ ଶାସ୍ତି ଦିଅନ୍ତି । ତେଣୁ ମୁଁ ସେଠାକୁ ଯିବାକୁ ଭୟ କରୁଛି ।”
ଧର୍ମରାଜ କହିଲେ, “ଭୁଲ୍ କଲେ ସମସ୍ତେ ତ ଦଣ୍ଡ ଦେବେ । ତମେ ବରଂ ଭୁଲ୍ ନ କରିବାକୁ ଚେଷ୍ଟା କର ।”
ମାରୁତି କହିଲା “କଥା ହେଲା ମୋର କହିବା ଭଙ୍ଗୀ ବଡ କଡା । ମାତ୍ର ଏସବୁ ତ ଆଉ ସେଠାରେ ଚଳିବ ନାହିଁ ।”
ଧର୍ମରାଜ କହିଲେ, “ଜମିଦାର ଭାରି ଭଲ ମଣିଷ । ବିନା କାରଣରେ ସେ କାହାକୁ କେବେବି ଗାଳି ଦିଅନ୍ତି ନାହିଁ । ସେ ସମସ୍ତ ଗରିବ ଓ ଧନୀକୁ ସମାନ ଆଖିରେ ଦେଖନ୍ତି । ତୁମେ ତ ଜାଣ ମୁଁ ମଧ୍ୟ କଟୁକଥା କହେ । ତୁମେ ଏକଥା ସହି ପାରନ୍ତ?”
ମାରୁତି କହିଲା, “ଆପଣ ପୁଣି କଟୁକଥା କୁହନ୍ତି? ମୁଁ ଏସବୁ କଥା ମୋଟେ ବିଶ୍ୱାସ କରୁ ନାହିଁ । ଆପଣଙ୍କର ଭୋଜିଦିନ ମୋର ସମସ୍ତ କଥା ଶାନ୍ତଭାବରେ ଆପଣ ମାନି ଯାଉଥିଲେ । ମୋର ସମସ୍ତ ଦାବି ପୂରଣ କଲେ । ସେତେବେଳେ ତ ମୋର ମନେ ହେଉଥିଲା ଆପଣ ଖୁବ୍ ସହନଶୀଳ । ନିମନ୍ତ୍ରିତ ସମସ୍ତ ଭଦ୍ରବ୍ୟକ୍ତି ଆପଣଙ୍କୁ ପ୍ରଶଂସା କରୁଥିଲେ? ମୁଁ କ’ଣ ଏକଥା କେବେବି ଭୁଲିଯିବି?”
ଧର୍ମରାଜ କହିଲେ, “ସେତେବେଳେ ତ ମୁଁ ତୁମର ସମସ୍ତ ଗର୍ବ ଓ ଅଭିମାନ ସହି ନେଉଥିଲି କାରଣ ପରିସ୍ଥିତି ସେପରି ଥିଲା । ଏବେ ମୋର କଟୁକଥା ସହ୍ୟ କରି ପାରିବ ତ ଆସ ମୋ ପାଖରେ ଚାକିରି କରିବ । ଏବେର ପରିସ୍ତିଥିରେ ମୁଁ ଆଉ କିଛି ବି ସହିବି ନାହିଁ ବରଂ ଅଧିକ ଗାଳି ଦେବି ।”
ମାରୁତି ହାତ ଯୋଡି କହିଲା, “ଆଜି ପର୍ଯ୍ୟନ୍ତ ମୁଁ ଅନ୍ୟମାନଙ୍କର ସଦ୍ଗୁଣ ପ୍ରତି ହେୟଜ୍ଞାନ କରିଛି । ମୁଁ ଜଣେ ମହାମୂର୍ଖ ପରି ବ୍ୟବହାର କରିଛି । ମୁଁ ଆପଣଙ୍କ ପ୍ରତି ବହୁତ ଖରାପ ବ୍ୟବହାର କରିଛି । ତଥାପି ମଧ୍ୟ ଆପଣ ମୋ ପ୍ରତି ସଦ୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଆପଣଙ୍କ ଘରେ ଆପଣ ମୋତେ କାମ ଦିଅନ୍ତୁ ବା ନ ଦିଅନ୍ତୁ, ମାତ୍ର ମୁଁ ଆପଣଙ୍କ ନିକଟରେ ଚିର ଋଣୀ । ଆପଣଙ୍କ ଉଦାର ସ୍ୱଭାବ ବିଷୟ ମୁଁ ସାରାଜୀବନ ପାଇଁ ମନେ ରଖିବି ।”
ମାରୁତିର ଏଭଳି ପରିବର୍ତ୍ତନ ଦେଖି ଧର୍ମରାଜ ବଡ ଖୁସି ହେଲେ । ତା’ପରେ ନିଜ ଘରେହିଁ ତାକୁ ସେ ଚାକିରୀ ଦେଲେ । ଏଣିକି ମାରୁତିର ବ୍ୟବହାର ଭଦ୍ର ଓ ସହନଶୀଳ ହୋଇଗଲା । ସମସ୍ତେ ତାକୁ ପ୍ରଶଂସା କରନ୍ତି । ସେ ନିଜର ଭୁଲ୍ ବିଷୟ ଉପଲବ୍ଧି କରି ସେହି ସ୍ୱଭାବ ଛାଡିଲା । ମୂଳରୁ ତ ସେ ରନ୍ଧନବିଦ୍ୟାରେ ଦକ୍ଷ ଥିଲା । କେବଳ ଗର୍ବଯୋଗୁଁ ସେ ସମସ୍ତଙ୍କର ଅପ୍ରିୟ ହୋଇଥିଲା । ଏବେ ଯଦି ସେତିକି ସେ ଛାଡିଲା ତେବେ ତ ସେ ସମ୍ପୂର୍ଣ୍ଣ ଭଲ । ସମସ୍ତିଙ୍କର ପ୍ରିୟ ହୋଇ ଏଣିକି ସେ ଆନନ୍ଦରେ ତା’ ଜୀବନ ବିତାଇଲା ।