ପ୍ରକୃତ ଶୁଭେଚ୍ଛୁ

                ପାନ୍ଥନିବାସର ମାଲିକ ସନ୍ଦେହ ପ୍ରକାଶ କରି କହିଲା “ମୁଁ ତୁମ କଥା ବହୁତ ଶୁଣିଛି ସେଇଥିପାଇଁ ତ ହସୁଛି । ଦୁର୍ଭାଗ୍ୟ ହେଉ ବା ସୌଭାଗ୍ୟ ହେଉ ମହାକବି ସନ୍ଦୀପନ ଆଜି ତୁମ ଆଗରୁ ଆସି ଏଠାରେ ରହିଛନ୍ତି । ନହେଲେ ତୁମ ମିଛକଥାରେ ମୁଁ ବିଶ୍ୱାସ କରିଥା’ନ୍ତି ।”

                ଏକଥା ଶୁଣି ସନ୍ଦୀପନ ଭାବିଲେ କୌଣସି ବ୍ୟକ୍ତି ତାଙ୍କ ନାମ କହି ଲୋକମାନଙ୍କୁ ଠକାଉଛି । ତେଣୁ ସେ କୌତୁହଳୀ ହୋଇ ପଚାରିଲେ, “ଅନ୍ୟ ସନ୍ଦୀପନଟି କିଏ ମୋତେ ଟିକିଏ ଦେଖାଅ ତ?”

                ପାନ୍ଥନିବାସର ମାଲିକ କହିଲା “ଏଇ ପାଖ ପ୍ରକୋଷ୍ଠରେ ତ ସେ ରହୁଛନ୍ତି ଓ ବର୍ତ୍ତମାନ ସାହିତ୍ୟପ୍ରେମୀମାନଙ୍କୁ ନେଇ ସାହିତ୍ୟଚର୍ଚ୍ଚା କରୁଛନ୍ତି । ତମେ ଯଦି ସେ ମହାକବିଙ୍କୁ ଦେଖିବାକୁ ଚାହଁ ତ ଚୁପ୍ଚାପ୍ ଯାଇ ଦେଖିଆସ; ଯମା ଗୋଳମାଳ କରନାହିଁ ନହେଲେ ସମସ୍ତେ ତୁମକୁହିଁ ଧରିବେ ।”

                ସନ୍ଦୀପନ ଚୁପ୍ଚାପ୍ ଯାଇ ବାହାର ପଟରୁ ଝରକା ଭିତର ଦେଇ ଦେଖିଲେ ଜଣେ ଯୁବକ ଠିକ୍ ତାଙ୍କରି ପରି ପୋଷାକ ପିନ୍ଧି ବଡ ମଧୁର ଭାବରେ ତାଙ୍କରି କବିତା ସବୁ ଆବୃତି କରୁଛି ଓ ସେସବୁକୁ ଅତି ସହଜ ଭାବରେ ସେ ବୁଝାଇ ଦେଉଛି । ବହୁତ ଲୋକ ସପ୍ରଶଂସ ଦୃଷ୍ଟିରେ ତାକୁ ଦେଖୁଛନ୍ତି । ସେ ମଧ୍ୟ ଅତ୍ୟନ୍ତ ନମ୍ର ଭାବରେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଉଛି ।

ବହୁତ ସମୟ ଧରି ଦେଖିବାରୁ ସେ ବୁଝିପାରିଲେ କି କିଛିଦିନ ପୂର୍ବରୁ ଭୂଷଣ ନାମକ ଯେଉଁ ଯୁବକଟି ତାଙ୍କ ଘରକୁ ଆସିଥିଲା ଇଏ ହେଉଛି ସେଇ । ଏସବୁ ଘଟଣା ଦେଖି ସନ୍ଦୀପନ ଖୁବ୍ ରାଗିଗଲେ । ସେ ଦେଖିଲେ କବିତା ସଭା କ୍ରମେ ଶେଷ ହେଲା ଓ କବିତାପ୍ରେମୀମାନେ ସେହି ଯୁବକକୁ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନ ଦେଖାଇ ତାଙ୍କଠାରୁ ବିଦାୟ ନେଲେ । ଏଣେ ଏ ସନ୍ଦୀପନ ମନେ ମନେ ରାଗରେ ନିଆଁ ହୋଇ ଗଲେଣି । ସେ ପ୍ରକୋଷ୍ଠ ମଧ୍ୟକୁ ପ୍ରବେଶ କରି କହିଲେ, “ତୁମେ ମୋ ପୋଷାକରେ ମୋ ନାମରେ ଓ ମୋ କବିତାକୁ ନେଇ ଲୋକଙ୍କୁ ଠକୁଛ? ତୁମର ଏଇ ଅପରାଧ ପାଇଁ ରାଜାଙ୍କୁ କହି ମୁଁ ତୁମକୁ କଠିନ ଦଣ୍ଡ ଦିଆଇବି ।”

ଭୂଷଣ ମହାକବିଙ୍କୁ ଏପରି ଧୂଳିମଳି ଅବସ୍ଥାରେ ଦେଖି ପ୍ରଥମେ ଭାରି ଆଶ୍ଚର୍ଯ୍ୟ ହେଲା ଓ ପରେ ଭକ୍ତିର ସହିତ ସେ ତାଙ୍କୁ ପ୍ରଣାମ କଲା । ତା’ପରେ ସେ ଅତ୍ୟନ୍ତ ନମ୍ରତା ସହକାରେ କହିଲା, “ମୋର ଏ ବ୍ୟବହାର ଦେଖି ଆପଣ ଆଶ୍ଚର୍ଯ୍ୟ ହେବାଟା ତ ସ୍ୱାଭାବିକ୍ । ମୁଁ ଏପରି କରିଛି ବୋଲି ମୋତେ କ୍ଷମା କରନ୍ତୁ । କିନ୍ତୁ ଏହାର ପଶ୍ଚାତରେ ମୋର ସେଭଳି କୌଣସି ମନ୍ଦ ଉଦ୍ଧେଶ୍ୟ ନାହିଁ । ମୋ କଥା ଶାନ୍ତିପୂର୍ବକ ଶୁଣନ୍ତୁ ଯଦି କିଛି ଦୋଷ ଦେଖିବେ ତେବେ ମୋତେ ଦଣ୍ଡ ଦେବେ ।

ମୁଁ ଆପଣଙ୍କ ସହିତ ଦେଖା କରିବା ପରେହିଁ ଏପରି କରିବା ପାଇଁ ମନସ୍ଥ କଲି । ଆପଣଙ୍କର ନିନ୍ଦା ମୁଁ ଶୁଣି ଦେଖା କରିବାକୁ ଗଲି ଏବଂ ଉପଲବ୍ଧି କଲି ଯେ ଲୋକମାନେ ଯାହା କହୁଛନ୍ତି ସେସବୁ ସତ୍ୟ । ଏକଦିଗରେ ଆପଣଙ୍କ କବିତାର ଭୁରି ଭୁରି ପ୍ରଶଂସା ଓ ଅନ୍ୟ ଦିଗରେ ଆପଣଙ୍କ କ୍ରୋଧ, କଠୋରତା ଓ ଅହଂକାରର ନିନ୍ଦା ଏ ଦୁଇଟା ମୁଁ ଶୁଣିଲି । ମୁଁ ଆପଣଙ୍କ କବିତାର ଅନୁରାଗୀ ବୋଲି ଏପରି କଲି । କେବଳ ଲୋକମାନଙ୍କ ମନରେ ଆପଣଙ୍କ ପ୍ରତି ଆଦରଭାବ ଉତ୍ପନ୍ନ କରିବା ପାଇଁ ମୁଁ ଆପଣଙ୍କ ଭୂମିକାରେ ଅଭିନୟ କରୁଥିଲି । ମୁଁ ଲୋକମାନଙ୍କୁ ଆପଣଙ୍କ କବିତା ଶୁଣାଉଛି ଏବଂ ବିନୟତାପୂର୍ବକ ସେମାନଙ୍କୁ ବୁଝାଉଛି ଓ ପ୍ରଶ୍ନୋତ୍ତର ବି କରୁଛି । ଯେଉଁ ଗୁଣ ଆପଣଙ୍କ ଭିତରେ ନାହିଁ ସେଗୁଡିକହିଁ ମୁଁ ଅଭିନୟ କରିବା ଦ୍ୱାରା ଆପଣଙ୍କ ଯଶ ଚାରିଆଡେ ବ୍ୟାପୀ ଯାଉଛି । ଆପଣଙ୍କୁ ଦର୍ଶନ ନ କରିଥିବା ଲୋକଙ୍କ ମନରେ ଆପଣଙ୍କ ବିଷୟରେ ଆଙ୍କି ହୋଇଥିବା ଛବି ସୁନ୍ଦର ଓ ଚିରଜାଜୁଲ୍ୟମାନ ହୋଇ ରହିବ । ମୁଁ ନିଜେ ଏକଥା ଦେଖି ମଧ୍ୟ ଖୁବ୍ ଖୁସି ହୋଇଛି ।”

ଏପରି ଏକ ଶୁଭେଚ୍ଛୁ ଲୋକ ଦେଖି ସନ୍ଦୀପନଙ୍କ ହୃଦୟ ହଠାତ୍ ତରଳି ଗଲା । ସେ ମୁଗ୍ଧ ହୋଇ କହିଲେ, “ତମେ କେବଳ ମୋର ଜଣେ ପ୍ରଶଂସକ ନୁହଁ ମାର୍ଗଦର୍ଶକ ମଧ୍ୟ । ମୁଁ ଯେ ତମକୁ ଚିହ୍ନିବାରେ ଭୁଲ୍ କରିଥିଲି ସେଥିପାଇଁ ମୁଁ ଅତ୍ୟନ୍ତ ଲଜ୍ଜିତ, ତମେ ଆଜି ମୋ ଆଖି ଖୋଲି ଦେଇଛ । ଆଉ ଏ ନାଟକ କରିବାକୁ ପଡିବ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ