ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଦ୍ୟା – ଦାନ

ଚନ୍ଦ୍ରସେନ ଥିଲେ କାଂଚନପୁର ରାଜ୍ୟର ସବୁଠାରୁ ଦକ୍ଷ ଶାସକ । ତାଙ୍କ ପିତାଙ୍କ ଆକସ୍ମିକ ମୃତ୍ୟୁ ହେତୁ ସେ ଖୁବ୍ କମ୍ ବୟସରେ ରାଜସିଂହାସନ ଆରୋହଣ କରିଥିଲେ । ସେ ଯୁବକ ଓ ଶିକ୍ଷିତ ଥିଲେ । କେବଳ ଶାସନ-ପଦ୍ଧତି ନୁହେଁ, ବରଂ ସାମାଜିକ କ୍ଷେତ୍ରରେ ବି ସେ ଅନେକ ପରିବର୍ତ୍ତନ ଆଣିଲେ । ବିଦ୍ୟା ଶିକ୍ଷା କ୍ଷେତ୍ରରେ ମଧ୍ୟ କେତେକ ସଂସ୍କାର ଆଣିବା ପାଇଁ ତାଙ୍କ ମନରେ ତୀବ୍ର ଇଚ୍ଛା ଥିଲା । ରାଜା ଚନ୍ଦ୍ରସେନ ନିଜ ଇଚ୍ଛାକୁ ସାକାର ରୂପ ଦେବା ପାଇଁ ତାଙ୍କ ଦରବାରର ବିଦ୍ୱାନ, ରାଜଗୁରୁ, ପ୍ରମୁଖ ବିଜ୍ଞ ଓ ପଣ୍ଡିତମାନଙ୍କର ଏକ ସମାବେଶର ଆୟୋଜନ କଲେ । ସେମାନେ ସମସ୍ତେ ଏକତ୍ର ଆଲୋଚନା କରି ସ୍ଥିର କଲେ ଯେ ସମଗ୍ର ରାଜ୍ୟରେ ଗୋଟିଏ ପ୍ରକାରର ଶିକ୍ଷା ପ୍ରଣାଳୀ ପ୍ରଚଳିତ ହେବା ଆବଶ୍ୟକ । ବିଦ୍ୟାର୍ଥୀ ଯେଉଁ ବିଷୟ ପ୍ରତି ଆଗ୍ରହ ପ୍ରକାଶ କରେ, ତାକୁ ସେଇ ବିଷୟ ଶିଖିବା ପାଇଁ ଅନୁମତି ପ୍ରଦାନ କରାଯିବା ଉଚିତ୍ । ରାଜନୀତି ଓ ସାମାଜିକ ଶାସ୍ତ୍ର ସମ୍ପର୍କରେ ଶିକ୍ଷା ସେମାନଙ୍କୁ ପ୍ରଦାନ କରାଯିବ । ସଙ୍କଟ ସମୟରେ ଆତ୍ମରକ୍ଷା ହେଉଛି ମୁଖ୍ୟ କଥା । ତେଣୁ ରାଜ୍ୟର ଯୁବକମାନଙ୍କର ଶାରିରୀକ ଦୃଢତା ପାଇଁ ବ୍ୟାୟାମ୍, ଅସ୍ତ୍ରବିଦ୍ୟା ଇତ୍ୟାଦି ଅବଶ୍ୟ ଶିକ୍ଷା ଦିଆଯିବା ପାଇଁ ସ୍ଥିର କରାଗଲା ।

                ସେମାନଙ୍କର ଏହି ଯୋଜନାର ସଫଳ ରୂପାୟନ ପାଇଁ ଦକ୍ଷ ଦିଗ୍ଦର୍ଶକ ନିଯୁକ୍ତି ପାଇଁ ମଧ୍ୟ ସେମାନେ ମତ ପୋଷଣ କଲେ । ସେହି ମୁଖ୍ୟ ଦିଗ୍ଦର୍ଶକଙ୍କ ଅଧ୍ୟକ୍ଷତାରେ ସାରା ରାଜ୍ୟର ଗୁରୁକୁଳମାନଙ୍କର ପ୍ରାମାଣିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରାଯିବ ।

                କିନ୍ତୁ ଏହି ଦିଗ୍ଦର୍ଶକ ପଦବୀ ଏକ ସାଧାରଣ ପଦବୀ ନୁହେଁ, ଏହି ପଦବୀରେ ଏପରି ଜଣେ ଉଚ୍ଚକୋଟୀର ବିଦ୍ୱାନଙ୍କୁ ନିଯୁକ୍ତି ମିଳିବା ଆବଶ୍ୟକ, ଯାହାର ନେତୃତ୍ୱରେ କି ରାଜ୍ୟରେ ଶିକ୍ଷା-କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସି ପାରିବ । ରାଜଗୁରୁ ମହେନ୍ଦ୍ର ଭଟ୍ଟଙ୍କୁ ଏହି ଗୁରୁ ଦାୟିତ୍ୱ ଅର୍ପଣ କରାଗଲା ।

                ଏହି ପଦବୀ ପାଇଁ ରାଜ୍ୟର ବିଦ୍ୱାନ ଯୁବକ ମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଗଲା । କାରଣ ଏହା ଏକ ଉଚ୍ଚପଦବୀ ଥିଲା ଓ ଏଥିପାଇଁ ଉତ୍ତମ ପାରିତୋଷିକ ଓ ରାଜାନୁଗ୍ରହ ପ୍ରାପ୍ତି ହେବାର ବହୁ ସୁଯୋଗ ଥିଲା । ସମଗ୍ର ରାଜ୍ୟରୁ ଅନେକ ଯୁବକ ସେମାନଙ୍କର ଭାଗ୍ୟ ପରୀକ୍ଷା ପାଇଁ ରାଜଧାନୀ ଆସିଲେ । ରାଜଗୁରୁ ମହେନ୍ଦ୍ର ଖୁବ୍ ବୁଦ୍ଧିମାନ୍ ଓ ଅଭିଜ୍ଞ । ସେ ପ୍ରାର୍ଥୀମାନଙ୍କର ବ୍ୟକ୍ତିତ୍ୱର ପରୀକ୍ଷା ନେବା ପରେ ସେମାନଙ୍କର ବୌଦ୍ଧିକ ପରୀକ୍ଷା କଲେ । କିନ୍ତୁ ଅନେକ ପ୍ରାର୍ଥୀ ଅସଫଳ ହୋଇ ବିଦାୟ ନେଲେ ।

                ସୁନ୍ଦରପୁର ଗ୍ରାମରେ ଇନ୍ଦ୍ରଦତ ନାମକ ଜଣେ ଯୁବକ ବାସ କରୁଥିଲା । ସେ ବାଲ୍ୟକାଳରୁ କାଶୀ ଯାତ୍ରା କରି ଗୁରୁଙ୍କ କୃପାରୁ ଅନେକ ଶାସ୍ତ୍ର ଶିକ୍ଷା କରିଥିଲା । ସେ ନିଜର ଜ୍ଞାନକୁ ଉତ୍ତମ ମାର୍ଗରେ ନିୟୋଜିତ କରିବା ପାଇଁ ଚାହୁଁଥିଲା । ଏହି ସମୟରେ ରାଜାଙ୍କ ଘୋଷଣା ସେ ଶୁଣିବାକୁ ପାଇଲା । ତେଣୁ ସେ ତୁରନ୍ତ ରାଜଧାନୀରେ ଯାଇ ପହଁଚିଲା ।

                ରାଜଧାନୀରେ ସେ ଏକ ଧର୍ମଶାଳାରେ ଅବସ୍ଥାନ କଲା । ଦୁଇଦିନ ସେ ରାଜଧାନୀ ମଧ୍ୟରେ ଭ୍ରମଣ କରି ଅନେକ କଥା ଜାଣିବାକୁ ପାଇଲା । ସେ ଜାଣିଗଲା ଯେ ଅନେକ ଯୁବକ ନିଜ ନିଜର ପ୍ରଜ୍ଞା ଓ ମେଧା ପ୍ରଦର୍ଶନ ପାଇଁ ବ୍ୟାକୁଳ ଅଛନ୍ତି ।

                ତୃତୀୟ ଦିନ ପ୍ରଭାତ କାଳରେ ଇନ୍ଦ୍ରଦତ ରାଜଗୁରୁଙ୍କୁ ସାକ୍ଷାତ କରିବାକୁ ଗଲା । ସେତେବେଳେ ଅନ୍ତିମ ପର୍ଯ୍ୟାୟର ପ୍ରତିଯୋଗୀ ଭାବେ ସେନାପତିଙ୍କ ପୁତ୍ର ଦୁର୍ଜୟ ଓ କୋଷାଧ୍ୟକ୍ଷଙ୍କ ପୁତ୍ର ବିକ୍ରମ ସେଠାରେ ଉପସ୍ଥିତ ଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ