ରାମଙ୍କ ମୁଖରୁ ଏପରି ଆଶ୍ୱାସନାବାଣୀ ଶୁଣି ସୁଗ୍ରୀବ ଓ ତାଙ୍କର ମନ୍ତ୍ରୀଗଣ ବହୁତ ଆନନ୍ଦିତ ହେଲେ । ସୁଗ୍ରୀବ ରାମଙ୍କୁ କହିବାକୁ ଲାଗିଲେ, “ହେ ମିତ୍ର, ମୋ ଭାଇ ମୋ ପ୍ରତି ବଡ ଅନ୍ୟାୟ କରିଛନ୍ତି । ସେ ମୋର ପତ୍ନୀକୁ ମଧ୍ୟ ଅପହରଣ କଲେ । ମୁଁ ଭାବିପାରୁ ନାହିଁ ଯେ ମୁଁ ଏବେ କ’ଣ କରିବି । ମହାନ୍ ବଳଶାଳୀ ବାଳୀ ମୋତେ ରାଜ୍ୟଭ୍ରଷ୍ଟ କଲେ; ମୋତେ ପ୍ରାଣରେ ମାରିଦେବାକୁ ମଧ୍ୟ ବହୁତ ଚେଷ୍ଟା କରିଛନ୍ତି । ମୋତେ ମାରିବାକୁ ଯେଉଁ ବାନରମାନଙ୍କୁ ମୋ ପାଖକୁ ସେ ପଠାଇଥିଲେ, ସେମାନେ ସମସ୍ତେ ମୋ ହାତରେ ପ୍ରାଣ ଦେଇଛନ୍ତି । ମୁଁ ମୋର ନିଜ ଭାଇକୁ ଡରି ଏହି ପାହାଡରେ ଲୁଚି ଲୁଚି କୌଣସି ମତେ ବଂଚି ରହିଛି । ସେଥିପାଇଁ ମୁଁ ଆପଣଙ୍କ ନିକଟକୁ ନିଜେ ଯାଇ ପାରିନାହିଁ । ହନୁମାନ ଓ ଅନ୍ୟ ମନ୍ତ୍ରୀମାନେ ସଦାସର୍ବଦା ମୋତେ ରକ୍ଷାକରି ଚାଲିଛନ୍ତି । ମୁଁ ଯୁଆଡେ ଗଲେ ମଧ୍ୟ ଏମାନେ ମୋ ସହିତ ରହି ମୋର ସହାୟତା କରନ୍ତି । ମୁଁ ଆଉ ଏପରି କେତେଦିନ ମରି ମରି ଜିଇଁ ରହିବି? ଆପଣଙ୍କଠାରୁ ଆଶ୍ୱାସନା ପାଇ ମୁଁ ବଡ ସନ୍ତୁଷ୍ଟ ହେଲି । ତଥାପି ମଧ୍ୟ ମୋ ମନରେ ଏକ ଶଙ୍କା ଆସୁଛି । ଆପଣ ଯେତେ ସହଜ ଭାବୁଛନ୍ତି ବାଳୀଙ୍କୁ ବଧ କରିବା ସେତେ ସହଜ ନୁହେଁ, ଏପର୍ଯ୍ୟନ୍ତ ଆପଣ ତାଙ୍କର ପରାକ୍ରମ ବିଷୟରେ କିଛି ବି ଜାଣି ନାହାଁନ୍ତି । ତଥାପି ମଧ୍ୟ ଆପଣଙ୍କର ଆତ୍ମବିଶ୍ୱାସ ପ୍ରଶଂସନୀୟ । ଆପଣଙ୍କ ଶକ୍ତି ଉପରେ ମୋର ଯଥେଷ୍ଟ ବିଶ୍ୱାସ ଅଛି । ପୁନଶ୍ଚ ମୁଁ ଉତ୍ତମ ରୂପେ ଜାଣେ ଯେ ଆପଣ ଏତେ ବଡ କାର୍ଯ୍ୟ ତୁଲାଇବାର ଦାୟିତ୍ୱ ନିଜେହିଁ ନେଇଛନ୍ତି ଓ କରିବେ ମଧ୍ୟ ।”
ଏକଥା ଶୁଣି ରାମ କହିଲେ, “ମୁଁ ଗୋଟିଏ ତୀରରେ ବାଳୀକୁ ମାରିଦେଇ ପାରେ । ତାକୁ ଦେଖିବା ମାତ୍ରେ ମୁଁ ତାକୁ ମାରିବାକୁ ଚେଷ୍ଟା କରିବି । ଆମେ ଦୁହେଁ ସମଦୁଃଖୀ । ତେଣୁ ତୁମର ଦୁଃଖ ମୁଁ ଭଲରୂପେ ଅନୁଭବ କରି ପାରୁଛି । ତୁମେ ଆଶ୍ୱସ୍ତ ହୁଅ । ତମେ ମୋ ବାଣର ଶକ୍ତି ଏବେ ପର୍ଯ୍ୟନ୍ତ ଦେଖିନାହଁ । ଦେଖିଥିଲେ ତୁମ ମନରେ ଆଉ କୌଣସି ସନ୍ଦେହ ବା ଆଶଙ୍କା ରହନ୍ତା ନାହିଁ । ବାଳୀ ତୁମକୁ ବହୁତ କଷ୍ଟ ଦେଇଥିବାରୁ ତୁମ ମନରେ ଭୟ ହେବା ତ ସ୍ୱାଭାବିକ । ଏବେ ସେସବୁ ଭୁଲିଯାଅ । ଦେଖ ଆଗକୁ କ’ଣ ହେଉଛି ।”
ତା’ପରେ ସୁଗ୍ରୀବ କହିଲେ, “ମୁଁ ଏବେ ବାଳୀଙ୍କର ପରାକ୍ରମ ବିଷୟରେ କହୁଛି ଆପଣ ଶୁଣନ୍ତୁ । ବାଳୀ ପ୍ରତ୍ୟୁଷାରୁ ଶଯ୍ୟାତ୍ୟାଗ କରି ସୂର୍ଯ୍ୟୋଦୟ ପୂର୍ବରୁ ଚାରିଦିଗକୁ ଯାଇ ସମୁଦ୍ର ସ୍ନାନ କରି ଫେରନ୍ତି । ପର୍ବତ ଶିଖରକୁ ଯାଇ ବଡ ବଡ ଶିଳାଖଣ୍ଡ ଶୂନ୍ୟକୁ ଫିଙ୍ଗି ପୁଣି ହାତରେ ଧରନ୍ତି । ବିରାଟ ଦ୍ରୁମ ସବୁ ଉପାଡି ପକାଇ ବୁଲାଇ ବୁଲାଇ ଫିଙ୍ଗନ୍ତି । ଏସବୁ କରି ସେ ତାଙ୍କର ମାଂସପେଶୀକୁ ଅଧିକ ଶକ୍ତିଶାଳୀ କରନ୍ତି । ହଜାର ହାତୀର ବଳ ଥିବା ଦୁନ୍ଦୁଭି ରାକ୍ଷସକୁ ମଧ୍ୟ ସେ ବଧ କରିଛନ୍ତି । ମୁଁ ନିଜ ଆଖିରେ ତାଙ୍କର ପରାକ୍ରମ ଦେଖିଛି । ମୁଁ ଜାଣେ ତାଙ୍କ ସହିତ ଯୁଦ୍ଧ କରିବା କେତେ କଠିନ କାମ । ଏସବୁ ସତ୍ତ୍ୱେ ଯଦି ଆପଣ ତାକୁ ବଧ କରିବେ ତେବେ ମୁଁ ଏତେଦିନର କଷ୍ଟ ଭୁଲିଯିବି ।”
ଦୁନ୍ଦୁଭି ଥିଲା ମହୀଷ ରୂପି ଏକ ବିରାଟକାୟ ରାକ୍ଷସ । ଦିନେ ସେ ସମୁଦ୍ର ସହିତ ଲଢିବାକୁ ଗଲା । ସମୁଦ୍ର ତା’ ସହିତ ଲଢିବା ପାଇଁ ନିଜର ଅସାମର୍ଥ୍ୟ ପ୍ରକାଶ କଲା ଓ ତାକୁ ହିମାଳୟଙ୍କ ନିକଟକୁ ପଠାଇ ଦେଲା । ଦୁନ୍ଦୁଭି ଭାବିଲା ପ୍ରକୃତ କଥା ସମୁଦ୍ର ତ ବିଚାରା ଲଢିବାକୁ ଭୟ କଲାଣି । ହିମାଳୟ ହିଁ ତା’ ସହିତ ଲଢିବାକୁ ଉପଯୁକ୍ତ ବୀର । ସେ ସେଠାରେ ପହଁଚି ପର୍ବତର ବିରାଟକାୟ ପ୍ରସ୍ତରଖଣ୍ଡ ସବୁ ସିଙ୍ଘରେ ତାଡି ପକାଇଲା ଓ ଗର୍ଜ୍ଜନ କରି ହିମବନ୍ତଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ କଲା ।
ହିମବନ୍ତ ତାକୁ କହିଲେ, “ଦୁନ୍ଦୁଭି ମୋତେ ଯୁଦ୍ଧ କଥା କହି କାହିଁକି ହଇରାଣ କରୁଛୁ? ମୋର ଯୁଦ୍ଧ ପ୍ରତି କୌଣସି ଆଗ୍ରହ ନାହିଁ । ମୋର ବାହୁଛାୟା ତଳେ ରହି ଅନେକ ଋଷିମୁନି ତପସ୍ୟା କରୁଛନ୍ତି । ତେଣୁ ଏହା ରଣଭୂମି ନୁହେଁ ତପୋଭୂମି । ଏଠାରେ ତୋର ଯୁଦ୍ଧବାସନା ପୂର୍ଣ୍ଣ ହେବନାହିଁ ।”
ଏକଥା ଶୁଣି ଦୁନ୍ଦୁଭି ବିକଟାଳ ରଡି କରି କହିଲା, “ତୁ ଭୀରୁ ସେକଥା ନ କହି ଏତେକଥା କ’ଣ କହୁଛୁ । ତୁ ଯଦି ଯୁଦ୍ଧ ନ କରି ନିଜେ ହାରିଗଲୁ ତ ମୋତେ କହିଦେ ମୁଁ ଯୁଦ୍ଧ ଆଉ କାହା ସହିତ କରିବି? କିଏ ମୋର ସମକକ୍ଷ ଯୋଦ୍ଧା?”
ତହୁଁ ସେ ହିମବନ୍ତ କହିଲେ, “ତୋର ଯଦି ଯୁଦ୍ଧ କରିବା ପାଇଁ ନିହାତି ଇଚ୍ଛା ହେଉଛି ତେବେ ତୁ କିସ୍କିନ୍ଧ୍ୟାଧିପତି ବାଳୀ ପାଖକୁ ଯାଇ ତାକୁ ଯୁଦ୍ଧକୁ ଆହ୍ୱାନ କର । ସେ ହିଁ ତୋର ସମକକ୍ଷ ଯୋଦ୍ଧା ।”