ଦୁନ୍ଦୁଭି ସେଠାରୁ ସିଧା କିସ୍କିନ୍ଧ୍ୟା ଆସିଲା । ଗର୍ଜ୍ଜନ କରି ବାଳୀଙ୍କୁ ଯୁଦ୍ଧକୁ ଆହ୍ୱାନ କଲା । ସେ ତା’ ଖୁରାରେ ସବୁ ଘରଦ୍ୱାର ଖୋଳି ପକାଇଲା । ସିଂଘରେ ନଗର ଦ୍ୱାର ତାଡି ପକାଇଲା । ବାଳୀ ସେତେବେଳେ ତା’ ସ୍ତ୍ରୀମାନଙ୍କ ସହିତ ଅନ୍ତଃପୁରରେ ଥିଲେ । ସେ ବାହାରକୁ ଆସି କହିଲେ, “ଆରେ ଦୁନ୍ଦୁଭି ତୋର କ’ଣ ହେଲା? ଏତେ ଚିତ୍କାର କରୁଛୁ । ସବୁ ଭାଙ୍ଗି ପକାଉଛୁ କ’ଣ ତୋର ନିଜ ଜୀବନ ପ୍ରତି ଟିକିଏ ହେଲେ ବି ମାୟା ନାହିଁ?”
ଏକଥା ଶୁଣି ଦୁନ୍ଦୁଭି ରାଗିଯାଇ କହିଲା, “ସ୍ତ୍ରୀମାନଙ୍କ ଆଗରେ ବୀରତ୍ୱ ଦେଖାଉଛୁ ବାଳୀ? ତତେ ମୁଁ ସମୟ ଦେଲି କାଲି ସକାଳ ପର୍ଯ୍ୟନ୍ତ । ଯେତେ ଯାହା ଇଚ୍ଛା ଅଛି ପୂର୍ଣ୍ଣ କରି ପକା ଓ ସମସ୍ତ ଆତ୍ମୀୟଜନଙ୍କଠାରୁ ଶେଷ ବିଦାୟ ନେଇ ଆସିଯା ମୋ ସହିତ ଯୁଦ୍ଧ କରିବାକୁ । ତୋର ଦର୍ପ ମୁଁ ପୂର୍ଣ୍ଣ କରିବି ।”
ଦୁନ୍ଦୁଭି କଥା ଶୁଣି ବାଳୀ କ୍ରୋଧରେ ଅନ୍ଧ ହୋଇଗଲେ । ଦେବେନ୍ଦ୍ରଙ୍କଠାରୁ ପ୍ରାପ୍ତ କାଂଚନମାଳା ପିନ୍ଧି ସେ ଦ୍ୱନ୍ଦଯୁଦ୍ଧକୁ ବାହାରି ପଡିଲେ । ଘମାଘୋଟ ଦ୍ୱନ୍ଦଯୁଦ୍ଧ ହେଲା । ବହୁତ ସମୟ ଧରି ହାତାହାତି ଯୁଦ୍ଧ ହେଲା । ପୁଣି ପଥର ଓ ଗଛସବୁ ଧରି ଦୁହେଁ ଯୁଦ୍ଧ କଲେ । ଶେଷରେ ବାଳୀ ପିଟି ପିଟି ଦୁନ୍ଦୁଭିକୁ ତଳେ କଚାଡି ମାରିଦେଲେ । ତା’ର ମୁହଁରୁ ରକ୍ତସ୍ରୋତ ବହୁଥାଏ । ଏପରି ଅବସ୍ଥାରେ ବାଳୀ ତା’ର ରକ୍ତାକ୍ତ ମୃତ ଶରୀରକୁ ଧରି ଏକ ଯୋଜନ ଦୂରକୁ ଫିଙ୍ଗି ଦେଲେ । ସେତେବେଳେ ତାହା ମାତଙ୍ଗ ମୁନିଙ୍କ ଆଶ୍ରମ ଉପର ଦେଇ ଗଲା ଓ ଅନେକ ଗଛ ମଧ୍ୟ ଭାଙ୍ଗିଗଲା ଓ ଆଶ୍ରମର ଅନେକ ସ୍ଥାନରେ ଦୁନ୍ଦୁଭିର ରକ୍ତ ସବୁ ପଡିଲା । ଏସବୁ ଦେଖି ସେ ମୁନି ବହୁତ ରାଗି ଗଲେ କାରଣ ତାଙ୍କ ଆଶ୍ରମକୁ ଦୁନ୍ଦୁଭିର ରକ୍ତ ଅପବିତ୍ର କଲା । ତେଣୁ ସେ ବାଳୀଙ୍କୁ ଶାପ ଦେଲେ ଯେ ସେ ଯଦି ଆଶ୍ରମର ଏକ ଯୋଜନ ଚାରିପାଖରେ ପାଦ ଦେବ ତେବେ ତ ସେ ମରିଯିବେ । ଏହି ଘଟଣା ପରେ ଅନ୍ୟ ବାନରମାନଙ୍କୁ ମଧ୍ୟ ସେ ସ୍ଥାନ ଛାଡି ଚାଲିଯିବାକୁ ମୁନି ଆଦେଶ ଦେଲେ ।
ବାନର ସେବକମାନଙ୍କୁ ଜଙ୍ଗଲରୁ ଦୌଡି ପଳାଇ ଆସୁଥିବାର ଦେଖି ବାଳୀ ପଚାରିଲେ, “କ’ଣ ହେଲା, ଏତେ ଭୟ କାହିଁକି? କୁଆଡେ ସବୁ ପଳାଉଛ? ପୁଣି କିଛି ବିପଦ ପଡିଲା କି?” ଅନୁଚର ବର୍ଗଙ୍କଠାରୁ ଅଭିଶାପ କଥା ଶୁଣି ବାଳୀ ବଡ ବ୍ୟସ୍ତ ହୋଇ ନିଜେ ଯାଇ ମାତଙ୍ଗ ମୁନିଙ୍କୁ ପ୍ରାର୍ଥନା କରି କହିଲେ, “ହେ ମୁନି ପୁଙ୍ଗବ, ମୋର କାର୍ଯ୍ୟ ନିଶ୍ଚୟ ଘୃଣ୍ୟ, କିନ୍ତୁ ତାହା ମୁଁ ଜାଣିଶୁଣି ବା ଇଚ୍ଛା କରି କରିନାହିଁ । ଏତେ ଟିକିଏ ଅପରାଧ ପାଇଁ ଏଡେ ଅଭିଶାପ ଆପଣ ମୋତେ ଦେଲେ? ଏବେ ଦୟାକରି ତାହା ଫେରାଇ ନିଅନ୍ତୁ ।”
ବାଳୀଙ୍କ ସବୁକଥା ଶୁଣି ଋଷି ଗୌତମ କହିଲେ, “ହେ ବାନର ଶ୍ରେଷ୍ଠ, କୌଣସି କାର୍ଯ୍ୟ କରିବା ପୂର୍ବରୁ ତୁମପରି ବିବେକୀ ଲୋକ ଭାବିଚିନ୍ତି କରିବା ଦରକାର । ମୁଁ ଦୁଃଖିତ ଯେ ଅଭିଶାପ ଆଉ ଫେରାଇ ନେଇ ହେବନାହିଁ । ହୁଏତ ତାହା ଅନ୍ୟ କାହାର ସାହାଯ୍ୟ କରିପାରେ ।”
ସୁଗ୍ରୀବ କହିଲେ, “ଶେଷରେ ତାହାହିଁ ମୋ ଜୀବନ ବଂଚାଇବା ପାଇଁ ଏକ ବରଦାନ ପରି କାର୍ଯ୍ୟ କଲା ।”
ସବୁକଥା ଶୁଣାଇବା ପରେ ସୁଗ୍ରୀବ ଅଦୂରରେ ପଡିଥିବା ଦୁନ୍ଦୁଭିର ଅସ୍ଥିକୁ ଶ୍ରୀରାମଙ୍କୁ ଦେଖାଇ କହିଲେ, “ଏହି ଦେଖନ୍ତୁ ଦୁନ୍ଦୁଭିର ଅସ୍ଥି; ଆହୁରି ଦେଖନ୍ତୁ ଏହି ସପ୍ତଶାଳ ବୃକ୍ଷ; ସେଥିମଧ୍ୟରୁ ଗୋଟିଏ ବୃକ୍ଷ ମଧ୍ୟଦେଇ ତୀର ଚଳାଇ ପାରନ୍ତି କେବଳ ବାଳୀ । ତେଣୁ ବାଳୀଙ୍କୁ ମାରିବା ବଡ ଦୁରୁହ ବ୍ୟାପାର ।”
ଏସବୁ ଦେଖି ଶୁଣି ଲକ୍ଷ୍ମଣ ଅଳ୍ପ ହସି କହିଲେ, “ଶ୍ରୀରାମ ଅବଶ୍ୟ ବାଳୀଙ୍କୁ ମାରିବେ । କିନ୍ତୁ ତା’ପୂର୍ବରୁ ଆପଣଙ୍କ ମନକୁ ନିଃସନ୍ଦେହ କରିବା ପାଇଁ ତାଙ୍କୁ କ’ଣ କରିବାକୁ ହେବ କୁହନ୍ତୁ ।”