ଗୋପାଳ ଏହା କହି ଚାଲି ଗଲା । ମାଳି ଦୁହେଁ ତାଙ୍କ କଥାକୁ ବିଶ୍ୱାସ କରି ଖାଲ ପୋତିବା ପାଇଁ ମାଟି ଗୁଡିକ ଆଣି ଖାଲ କରିଥିବା ଜାଗାଟିକୁ ପୋତି ଦେଲେ ପୁଣି ଏଠୁ ମାଟି ନେଇ ସେଠି ପକାଇଲେ । ଏହି ପରି ତାଙ୍କର ଗୋଟିଏ ଓଳି କଟି ଗଲା । ଉପରଓଳି ଗୋପାଳ ଭାଣ୍ଡ ରାଜ ସଭାକୁ ଯିବା ମାତ୍ରେ ରାଜା ତାଙ୍କୁ ଧରି ମାଟି ଖୋଳା ଦେଖିବାକୁ ଆସିଲେ । ସେତେ ବେଳକୁ ମାଳି ଦୁଇ ଜଣ କାମ ଛାଡି ଯାଇ ନଥାନ୍ତି, ଏ ଖାଲ ମାଟି ସେ ଖାଲକୁ ଆଉ ସେ ଖାଲ ମାଟି ଏ ଖାଲକୁ ବୋହୁ ଥାନ୍ତି । କିନ୍ତୁ ଖାଲ ପୂରୁ ନଥାଏ ।
ରାଜା ଏସବୁ ଘଟଣା ଦେଖି ମାଳି ଦୁଇ ଜଣଙ୍କ ଉପରେ ବିରକ୍ତ ହୋଇ ପଚାରିଲେ – ଏ ସବୁ କ’ଣ କରୁଛ? ମାଳି ଦୁହେଁ ହାତ ଯୋଡି କହିଲେ ଆଜ୍ଞା ଖାଲକୁ ପୋତୁଛୁ । ରାଜା ଆହୁରି ରାଗି ଯାଇ କହିଲେ – ତୁମକୁ ତ ସେହି ଖାଲଟା ପୋତିବାକୁ କହିଥିଲି, ତୁମେ ପୁଣି ସେଠୁ ମାଟି ଆଣି ଏଠି ପକାଉଛ କାହିଁକି? ତୁମକୁ ଏ କଥା କହିଲା କିଏ? ରାଜାଙ୍କର କୋପ ଦେଖି ମାଳି ମାନେ ଡରି ଡରି ଉତ୍ତର ଦେଲେ – ଏହି ଭାଣ୍ଡେ କହିଲେ ଆଜ୍ଞା । ସେ କହିଲେ ରାଜା ସମାନ କରିବାକୁ କହୁଛନ୍ତି ତୁମେ ଗୋଟିଏ ଜାଗା ଖାଲ କରି ଗୋଟିଏ ଜାଗା ପୋତୁଛ କାହିଁକି? ସେହି ମାଟିକି ଓଲଟ ପାଲଟ କର ଯେ, ମାଟି ଫୁଲି ଯାଇ ଦୁଇଟି ଯାକ ଗାତ ପୋତି ହୋଇ ଯିବ । ଆମେ ତାଙ୍କର କଥା ଅନୁଯାଇ ସକାଳୁ ଏତେ ବେଳ ଯାଏଁ ସେହି କାମରେ ଲାଗିଛୁ । ହେଲେ କ’ଣ ହେବ ଏତେ ବେଳ ଯାଏଁ ମାଟି ଫୁଲୁନି କି ଖାଲ ପୋତା ସରୁନି ।
ମାଳି ଦୁଇ ଜଣଙ୍କର କଥା ଶୁଣି, ରାଜା ଗୋପାଳ ଭାଣ୍ଡକୁ ଚାହିଁ କହିଲେ – ଗୋପାଳ! ତୁମେ ୟାଙ୍କୁ ପୋତିବା ଜାଗାରୁ ମାଟି ଆଣି ଖୋଳିବା ଜାଗାରେ ପକାଇବାକୁ କହିଛ? ଭାଣ୍ଡ ଉତ୍ତର ଦେଲା, ଆଉ କ’ଣ କହି ଥାନ୍ତି ଆଜ୍ଞା । ଆପଣ ତ ଖାଲ ଜାଗାକୁ ସମାନ କରିବାକୁ କହି ଥିଲେ । ସେ ଖାଲଟା ସମାନ ହେଲା ପରେ, ଏମାନେ ମୋତେ ପଚାରିବାରୁ ମୋ ଆଖିକି ତ ଖାଲ କରି ଥିବା ଜାଗା ଛଡା ଆଉ କେଉଁଠି ଖାଲୁଆ ଦେଖା ଗଲାନି, ପୁଣି ସେଇଆକୁ ପୋତିବାକୁ କହିଲି । ଏଥିରେ ମୋର ଭୁଲ୍ ହେଲା କ’ଣ?
ଲୋକେ କହିଲା ଭଳି – “ଆପଣ କଥାକୁ ଆପେ ନ ଚିହ୍ନି ସରଗ ମାପୁଛି ଆଙ୍ଗୁଳି ଘେନି ।” ଏଥିରେ ମୁଁ ଅଧିକ ଆଉ କ’ଣ କରିବି? ଆପଣ ଯାହା କହିଥିଲେ ମୁଁ ସେଇଆ କହିଲି । ଏ କଥା ଶୁଣି ରାଜା ଗୋପାଳକୁ ଆଉ କିଛି କହି ନପାରି କାମ ବନ୍ଦ କରି ଦେଇ ସେଠାରୁ ଚାଲି ଗଲେ । ଗୋପାଳ ମନେ ମନେ ହସି ତାଙ୍କର ପଛେ ପଛେ ଗଲା ।