ଭାଣ୍ଡର ଲଢେଇ

ବର୍ଦ୍ଧମାନ ରାଜା କହନ୍ତି, ଗୋପାଳ ବୁଦ୍ଧିମାନ । ତାର ଉପସ୍ଥିତ ବୁଦ୍ଧି ଅଛି । କିନ୍ତୁ ପେଟ ଦୋଷ ନ ଦେଇ ସେ କଦାପି ଘୋଡା ଉପରେ ଚଢି ରାଜ କଟକ ପ୍ରଦକ୍ଷିଣ କରି ଆଗେ ଆସି ପାରିବ ନାହିଁ । ତେଣୁ ସେ ନିଜ ଭାଣ୍ଡର ଟେକ ରଖିବା ପାଇଁ ଏହି ବୁଦ୍ଧିଟି ବାହାର କରି ଦୁହିଁଙ୍କି କହିଲେ । ଭାଣ୍ଡ ଦୁହେଁ ରାଜାଙ୍କର ହୁକୁମ ପାଇବା ମାତ୍ରେ ଉଠି ଛିଡା ହେଲେ । ରାଜାଙ୍କର ନିର୍ଦେଶରେ ସଇସ ଘୋଡା ଦୁଇଟି ଆଣି ସେଠାରେ ପହଁଚାଇ ଦିଆ ଗଲା । ଘୋଡା ଦେଖି ବର୍ଦ୍ଧମାନ ଭାଣ୍ଡ ତତ୍କ୍ଷଣାତ୍ ଦଉଡି ଯାଇ ତା ଉପରେ ଚଢି ତାକୁ ବିଜୁଳି ପରି ଛୁଟାଇ ଦେଲେ । ରାଜା କୃଷ୍ଣ ଚନ୍ଦ୍ର ଭାବିଲେ ଗୋପାଳକୁ ତ ଘୋଡା ଚଢି ଆସେନି । ସେ ଏଥରକ ନିଶ୍ଚୟ ଠକି ଯିବ । ମୁଁ ଅପମାନରେ ମୁହଁ ଟେକି ପାରିବିନି ।

ଗୋପାଳର ଯିବା ପାଇଁ ଡେରି ହେବା ଦେଖି ବର୍ଦ୍ଧମାନ ରାଜା କହିଲେ – କିହୋ ଗୋପାଳ! ତୁମେ ତ ଗଲନି ଏବାର କ’ଣ ହାରି ଯିବ? ଗୋପାଳ କହିଲା – ହାରିବା ଜିତିବା ଛାମୁ ବିଚାର କରିବେ । ମୁଁ ଭାଣ୍ଡ ହେଲେ ମଧ୍ୟ ମୋର ଟିକିଏ କାଣ୍ଡ ଜ୍ଞାନ ଅଛି । ସମାନ୍ୟ ଟଙ୍କା ଦିଟା ପାଇଁ ମୁଁ କଦାପି ଆପଣଙ୍କ ଘୋଡା ଚଢି ପାରେନା କେବଳ ଆପଣଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ପାଦ ଗତିରେ ଖାଲି ରାଜଧାନୀ କ’ଣ ରାଜ୍ୟ ସାରା ବୁଲି ଆସିବି । ହଁ, ଖାଲି ଆପଣଙ୍କ ରାଜ୍ୟ ବୁଲିଲେ ଆମ ରାଜାଙ୍କୁ ଅପମାନ ହେବ, ତେଣୁ ମୁଁ ଯିବାକୁ ଇଚ୍ଛା କରୁନି । ଆପଣ ଯଦି ମୋତେ ଦୁଇଟି ଯାକ ରାଜ୍ୟ ବୁଲିବାକୁ ହୁକୁମ୍ ଦେବେ ତେବେ ମୁଁ ଏଇ ସାଙ୍ଗେ ସାଙ୍ଗେ ଯିବି ।

ଗୋପାଳର ଅସମ୍ଭବ କଥା ଶୁଣି ବର୍ଦ୍ଧମାନ ରାଜା କହିଲେ – ଗୋପାଳ ତୁମକୁ ହୁକୁମ୍ ଦେଲି, ମୋର ଭାଣ୍ଡ ଆସିବା ଆଗରୁ ତୁମେ ଦୁଇଟି ରାଜ୍ୟ ବୁଲି ଆସିଲେ ଏହି ଦଶ ହଜାର ଟଙ୍କା ଅପେକ୍ଷା ଆହୁରି ବେଶୀ ପୁରସ୍କାର ପାଇବ, ଏଥର ଯାଅ ।

ହୁକୁମ୍ ପାଇ ଗୋପାଳ ହାତ ଯୋଡି ରାଜା ଦୁହିଁଙ୍କି ନମସ୍କାର କଲା । ପର ମୁହୂର୍ତରେ ସେ ବାହାରକୁ ଆସି ଖୁବ୍ ଧିର ସ୍ଥିର ଓ ନମ୍ରତା ଭାବେ ବର୍ଦ୍ଧମାନ ରାଜାଙ୍କ ଓ କୃଷ୍ଣ ଚନ୍ଦ୍ର ରାଜାଙ୍କ ବସି ଥିବା ସିଂହାସନର ଚାରି ପାଖରେ ତିନି ବାର ବୁଲି ଆସି ରାଜା ଦୁହିଁଙ୍କୁ ନମସ୍କାର କରି ଯଥା ସ୍ଥାନରେ ବସିଲା ।

ଦୁଇ ଘଂଟା ପରେ ବର୍ଦ୍ଧମାନ ରାଜାଙ୍କ ଭାଣ୍ଡ ରାଜଧାନୀରୁ ବୁଲି ଆସି ଘୋଡା ଉପରୁ ଉତୁରି ରାଜା ଦୁହିଁଙ୍କୁ ନମସ୍କାର କରି କହିଲା – ଆଜ୍ଞା ଗୋପାଳ ଯାଇନି ମୁଁ ଏକା ରାଜଧାନୀ ବୁଲି ଆସିଲି । ଏହା ବିଚାର କରି ପୁରସ୍କାରଟି ମୋତେ ଦିଅନ୍ତୁ ।

ବର୍ଦ୍ଧମାନ ଭାଣ୍ଡର କଥା ଶୁଣି ଗୋପାଳ ଭାଣ୍ଡ କହିଲା – ମହାରାଜ ଆପଣଙ୍କର ଭାଣ୍ଡ ସିନା ଖାଲି ଆପଣଙ୍କର ରାଜଧାନୀଟି ବୁଲି ଆସିଛି, କିନ୍ତୁ ଆପଣଙ୍କର ଆଜ୍ଞା ଶିରୋଧାର୍ଯ୍ୟ କରି ଆପଣଙ୍କ ରାଜ୍ୟ ସାରା ଓ ଆମ ରାଜାଙ୍କ ରାଜ୍ୟ ସାରା ତିନି ବାର ବୁଲି ଆସି ଅନେକ ବେଳୁ ହଜୁର୍ଙ୍କ ଆଗରେ ବସିଛି ।

ଗୋପାଳର ଅସମ୍ଭବ କଥା ଶୁଣି ବର୍ଦ୍ଧମାନ ରାଜା ମୁହଁଟିକୁ ବିକୃତ କରି କହିଲେ – ଗୋପାଳ ତୁମେ ଆମରି ସିଂହାସନ ଚାରି ପାଖ ତିନି ବାର ବୁଲି ଆସି ରାଜ୍ୟ ବୁଲିଲ କିପରି? ଗୋପାଳ ହାତ ଯୋଡି କହିଲା – ମହାରାଜ । ଶାସ୍ତ୍ର କହୁଛି, ରାଜା ଘେନି ରାଜ୍ୟ । ଆପଣ ଯେଉଁଠି, ରାଜ୍ୟ ସେଇଠି । ଆପଣ ଯେଉଁ ହୀରା ନୀଳା ଖଚିତ ସ୍ୱର୍ଣ୍ଣ ମୁକୁଟଟି ପିନ୍ଧି ଛନ୍ତି, ସେ ମୁକୁଟ ନୁହେଁ… ରାଜ୍ୟର ପୁର ଭାଗ ଓ ଆପଣ ଯେଉଁ ସିଂହାସନରେ ବସି ଛନ୍ତି, ସେ ସିଂହାସନ ନୁହେଁ ରାଜ୍ୟର ଆୟତନ ଆପଣ ବାକ୍ସିଦ୍ଧ ଓ ମାନବ ଇଚ୍ଛା କଲେ ରାଜ୍ୟକୁ ଧ୍ୱଂସ କରି ପୁଣି ଗଠନ କରି ପାରିବେ । ଗରିବକୁ ରତ୍ନ ସିଂହାସନ ଦେଇ ଧର୍ମୀଙ୍କୁ ଫାଶୀ ଖୁଂଟରେ ଝୁଲାଇ ଦେବେ । ବାସ୍ତବ ଶକ୍ତି ସ୍ୱରୂପ ରାଜ୍ୟ ଚାରି ପାଖରେ ପ୍ରଦକ୍ଷିଣ ନ କରି ଅବାସ୍ତବ ରାଜ୍ୟକୁ ବୁଲିବା ଲାଗି ଯାଇ ଥାନ୍ତି କାହିଁକି? ଆପଣ ଶିବ ପୁରାଣରୁ ଶୁଣି ଥିବେ, ହର ପାର୍ବତୀ ଓ ଗଣେଶ, କାର୍ତିକେୟ କଥା । କାର୍ତିକେୟ ମୟୁର ଉପରେ ଚଢି ପୃଥିବୀ ପର୍ଯ୍ୟଟନ କରିବାକୁ ବାହାରି ଗଲେ ଓ ଗଣେଶ ଇନ୍ଦୁର ଉପରେ ଚଢି ଶିବ ଶକ୍ତିଙ୍କ ଚାରି ପାଖରେ ବୁଲି ଆସି ତ୍ରିପୁରରେ ଅଗ୍ରଣୀ ହେଲେ । ଏହା ମିଛ ହେଲେ ମୋର ବି ସିଂହାସନ ଚାରି ପାଖରେ ବୁଲିବା ମିଛ ହେବ ।

ଗୋପାଳ ଏହା କହି ହାତ ଯୋଡି ଛିଡା ହେଲା । ଏ କଥା ଶୁଣି ସଭାରେ ଉପସ୍ଥିତ ଥିବା ଲୋକ ମାନେ ଧନ୍ୟ ଧନ୍ୟ କହି କରତାଳି ଦେଲେ । ବର୍ଦ୍ଧମାନ ରାଜା କହିଲେ – ଗୋପାଳର ଯେତେ ସୁନାମ ଆଜି ସବୁ ଜଣା ଗଲା । ସେ ଖାଲି ଭାଣ୍ଡାମି କରି ଲୋକଙ୍କୁ ହସାଏ ନାହିଁ । ଦରକାର ହେଲେ ବିଜ୍ଞତାର ପରିଚୟ ମଧ୍ୟ ଦିଏ । ରାଜା ଏହା କହି ଦଶ ହଜାର ଟଙ୍କା ସହ ଯୋଡେ ପାଟ ଲୁଗା ଦେଲେ । ଗୋପାଳ ସମସ୍ତଙ୍କ ଆଗରେ ରାଜାଙ୍କ ହୁକୁମ୍ ବଜାୟ ରଖି ବର୍ଦ୍ଧମାନ ଭାଣ୍ଡର ମୁହଁରେ କଦଳୀ ଗୁଞ୍ଜି ଦେଇ କୃଷ୍ଣ ଚନ୍ଦ୍ରଙ୍କ ସଙ୍ଗରେ ଜୟ ପତାକା ଉଡାଇ ଫେରିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ