ଭୂତ ଅନୁଭୂତି

ମଶାଣୀ ପାଖ କିଆ ବଣ । ଚାରି ଆଡେ ନିର୍ମଳ କିନ୍ତୁ ଦେଖା ଯାଉ ଥାଏ । ଚନ୍ଦ୍ରଙ୍କର କିରଣ ଚାରି ଆଡେ ବିଛୁଡି ହୋଇ ପଡି ଥାଏ । କିଆ ବଣ ଗଛ ତଳ ଅନ୍ଧକାର ଦେଖା ଯାଉ ଥାଏ । ମଝିରେ ମଝିରେ ବିଲୁଆର ହୁକେ ହୋ ଡାକ ଓ କୁକୁରର ଭାଉଁ ଭାଉଁ ଶବ୍ଦ ନିଶୁନତାକୁ ଭଗ୍ନ କରି ସେଠାରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁ ଥାଏ । ଗୁଣିଆଁ ମଧୁ ବାବୁଙ୍କୁ ସେଠାରେ ଛାଡି ଚାଲି ଗଲା ସେ ଅନ୍ଧାରୁଆ ଗଛ ମୂଳକୁ ।

ମଧୁ ବାବୁ ଆଗେଇ ଗଲେ ଆଗକୁ । ପୋତା ଶବକୁ କୁକୁର ବିଲୁଆ ଟାଣି କାଢି ଆଣି ଖାଉ ଥାଆନ୍ତି । ମଧୁ ବାବୁଙ୍କୁ ଦେଖି କୁକୁର ଭାଉଁ ଭାଉଁ ହୋଇ ଗୋଡେଇ ଆସିଲା । ମଧୁ ବାବୁ ନଇଁ ତଳେ ପଡି ଥିବା କୋକେଇ ବାଉଁଶ ଖଣ୍ଡେ ହାତରେ ଧରିଲେ । କୁକୁର ମଧୁ ବାବୁଙ୍କ ହାତରେ ବାଡି ଦେଖି ସେଠାରୁ ଚାଲି ଗଲା । ବିଲୁଆ କେତେଟା ମଧ୍ୟ ଚାଲି ଗଲେ ସିଧା କିଆ ବଣ ତଳକୁ । ସେତେ ବେଳକୁ ଗୁଣିଆଁ ମଧୁ ବାବୁଙ୍କୁ ଡରାଇବା ପାଇଁ ବିଭିନ୍ନ ପ୍ରକାର ଶବ୍ଦ କରୁ ଥାଏ । ହେଲେ ମଧୁ ବାବୁ କି ଡରିବା ଲୋକ । ଶବଟାକୁ ବିକୃତ କରି ଖାଇ ଯାଇ ଥାନ୍ତି ସେହି କୁକୁର ବିଲୁଆ । ସେଇ ପାଖରେ କୁକୁର ମାନେ ଠିଆ ହୋଇ ଥାଆନ୍ତି ।

ସେଦିନ ମଧୁ ବାବୁଙ୍କ ଅସିମ ସାହାସ ପାଖରେ ଗୁଣିଆଁ ହାର ମାନିଲା । ମଧୁ ବାବୁଙ୍କୁ ଧରି ଗ୍ରାମକୁ ଦୁହେଁ ଫେରିଲେ । ଆଉ ଦିନେ ଆଉ ଗୋଟିଏ ଘଟଣା ମଧ୍ୟ ଘଟି ଥିଲା ସେହି ମଧୁ ବାବୁଙ୍କ ଜୀବନରେ । ସେତେବେଳେ ସେ ପୁରା ଜୁଆନ୍ । ଗାଁରେ ବାଦି ପାଲା କାର୍ଯ୍ୟକ୍ରମ ଚାଲି ଥାଏ । ସେତେ ବେଳେ ବାଦି ପାଲାର ଗୋଟେ ମହତ୍ୱ ଥିଲା । ଆଖ ପାଖ ଗାଁରୁ ସେହି ବାଦି ପାଲା ଦେଖିବାକୁ ଅନେକ ଲୋକ ଏକାଠି ହେଉ ଥିଲେ । ସେତେବେଳେ ବର୍ତ୍ତମାନ ପରି ବିଦ୍ୟୁତ୍ ଆଲୁଅ ସବୁ ଗ୍ରାମରେ ତ ନଥିଲା । ପେଟ୍ରୋମାକ୍ସ ଲାଇଟ୍ ହିଁ ସବୁ ଉତ୍ସବ ପାଇଁ ଯଥେଷ୍ଟ ଥିଲା । ଆଜି ରଙ୍ଗ ବେରଙ୍ଗ ଆଲୋକ ମାଳା ତଳେ ଯଦି ବାଦି ପାଲା ହୁଏ ହାତ ଗଣତି କେତୋଟି ଲୋକ ହେଉ ଛନ୍ତି । ଯିଏ ମାନସିକ ପାଲା କରୁ ଛନ୍ତି ତାଙ୍କ କଥା ତ ଛାଡ ଖାଇବା ପାଇଁ ନିମନ୍ତ୍ରିତ ହୋଇ ହଜାର ହଜାର ଲୋକ ଆସୁ ଛନ୍ତି ହେଲେ ପାଲା ବାଲାଙ୍କ ପାଖରେ କେହି ବସି ଧର୍ମ ଶାସ୍ତ୍ର ଶୁଣିବାକୁ ନାରାଜ । ଛାଡ ସେକଥା ଆମେ ଏ ବିଷୟରେ କିଛି କହିଲେ କି ଲେଖିଲେ ତାର କୌଣସି ପରିବର୍ତ୍ତନ ହେବନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ