ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମୁଁ ଘାତକିନୀ ରାଜ ଜେମା

ରାଜ କୁମାର ସେପରି କଥା ଶୁଣିବା ପରେ ମୁଣ୍ଡଟା ତାଙ୍କର ବୁଲାଇ ଦେଲା । ତହୁଁ ସେଠାରୁ ପଳାଇ ଯାଇ ରାଜ ଉଦ୍ୟାନରେ ଥିବା ପୁଷ୍କରିଣୀରୁ ଜଳ ପାନ କରି ଉଦ୍ୟାନରେ ଥିବା ଏକ ଚମ୍ପା ଫୁଲ ବୃକ୍ଷ ତଳେ ବିଶ୍ରାମ ନେଲେ । ରାଜ କନ୍ୟାଙ୍କର କଥା ମନେ ପକାଇ ଆଖିରୁ ଧାର ଧାର ହୋଇ ଲୋତକ ଝରି ଯାଉଛି । ଠିକ୍ ଏତିକି ବେଳେ ରାଜ କୁମାରୀ ଛଇଳା ଖୁବ୍ ସୁନ୍ଦର ବଧୂ ବେଶରେ ରାଜ ରାଣୀ ସଦୃଶ ନିଜର ଦାସୀମାନଙ୍କ ସହତ ଆସି ସେହି ଉଦ୍ୟାନରେ ପହଁଚିଲେ ।

ଯୋଗ ଦେଖ, ରାଜ କୁମାର ଯାହାଙ୍କୁ ଏତେ ବିକଳ ହୋଇ ଖୋଜୁ ଥିଲା ସେ ବଳେ ବଳେ ଆସି ତାଙ୍କରି ଆଖି ଆଗରେ ଦେଖା ଦେଲେ । ଯେତେ ରାଜ ପୋଷାକରେ ଆବୃତ ହେଲେ ମଧ୍ୟ ରାଜ କୁମାର କି ନ ଚିହ୍ନି ପାରିବେ ନିଜର ପ୍ରାଣ ପ୍ରିୟା ଛଇଳାକୁ ।

ତାଙ୍କୁ ଦେଖିବା ମାତ୍ରେ ସେତେକି ରାଜ କୁମାରଙ୍କ ଜୀବନରେ ଆଉ ଏକ ନୂଆ ଜୀବନ ସ୍ଥାପିତ ହେଲା । ରାଜ କୁମାରଙ୍କ ମନରେ ବିଶ୍ୱାସ ଥିଲା ଯେ ରାଜ କୁମାରୀ ତାଙ୍କର ବିବାହିତା ସ୍ତ୍ରୀ । ସେ ତାଙ୍କୁ ଦେଖିବା ମାତ୍ରେ ନିଶ୍ଚୟ ଚିହ୍ନି ପାରି ତାଙ୍କ ପାଖକୁ ପଳାଇ ଆସି ମୋତେ କହିବେ, ମୋତେ ରକ୍ଷା କର ରାଜ କୁମାର । ମୋତେ ଯେତେ ଶୀଘ୍ର ପାରୁଛ ଏଠାରୁ ନେଇ ପଳାଇ ଚାଲ । ମୋତେ ୟେ ରାକ୍ଷାସ କବଳରୁ ବଂଚାଅ ।

ରାଜ କୁମାରୀଙ୍କୁ ଦେଖିବା ଠାରୁ ରାଜ କୁମାରଙ୍କ ମନରେ କେତେ ସୁଖ ଆଉ ଆନନ୍ଦ । ସେ ସଙ୍ଗେ ସଙ୍ଗେ ରାଜ କୁମାରୀଙ୍କ ପାଖକୁ ଧାଇଁ ଯାଇ କହିଲା – ତୁମକୁ ନପାଇ ମୁଁ କି ଦୁଃଖ ସନ୍ତାପରେ ସମୟ ଅତିବାହିତ କରୁଛି । ଉପାସ ଭୋକରେ ସମୟ ମୋର କିପରି ଯାଉଛି ତାହା ମୋତେ ଯେଉଁ ଲୋକ ମାନେ ବଂଚାଇ ରଖିଥିଲେ ସେହି ମାନେ କହିବେ । ଆଜି ରାସ୍ତା ପାଦରେ ଚାଲି ଚାଲି ଏଠାରେ ଆସି ପହଁଚିଲି । ଭଗବାନଙ୍କର କରୁଣା ହେଲାରୁ ତୁମକୁ ପାଇ ଗଲି । ରାଜ କୁମାରୀ ଏଥର ମୋ ମନରୁ ତୁମେ ସମସ୍ତ ଦୁଃଖକୁ ଦୂରେଇ ଦେଲ । ଆସ ପ୍ରିୟେ ଆମେ ଆମର ସ୍ୱରାଜ୍ୟକୁ ଫେରି ଯିବା ।

ରାଜ କୁମାର ଏପରି ବ୍ୟାକୁଳ ପ୍ରାୟ ରାଜ କୁମାରୀଙ୍କୁ କହନ୍ତେ ରାଜ କୁମାରୀ ଛଇଳା କହିଲା – ହଁ ରାଜ କୁମାର, ମୁଁ ତୁମର ସମସ୍ତ ଦୁଃଖକୁ ଅନୁଭବ କରୁଛି ହେଲେ କ’ଣ କରିବି । ମୁଁ ଏବେ ଅସହାୟ ନାଚାର । କାରଣ ଯିଏ ମୋତେ ବଂଚାଇ ରଖିଲେ ମୁଁ ତାଙ୍କର ଦୁଃଖକୁ ସହ୍ୟ କରି ପାରିଲି ନାହିଁ । ଅନେକ ଚିନ୍ତା କଲା ପରେ ଭାବିଲି ଯେ – ମୋର ଜୀବନକୁ ଯିଏ ବଂଚାଇ ରଖିଲା ତାଙ୍କୁ ହିଁ ମୋର ପ୍ରାଣକୁ ସମର୍ପିତ କରିବି । ସେଥି ଲାଗି ଏ ଦେଶର ରାଜା ଚାହିଁବାରୁ ମୁଁ ତାଙ୍କୁ ବିବାହ କଲି । ମୁଁ ଏବେ ଏ ଦେଶର ରାଣୀ । ମୁଁ ଆଉ ତୁମର ସ୍ତ୍ରୀ ହୋଇ ରହି ନାହିଁ ।

ରାଜ କୁମାର କହିଲେ – ତୁମେ ମୋର ପ୍ରାଣ ପ୍ରିୟା, ତୁମ ବିନା ମୁଁ ଯେ ଗୋଟିଏ ମୁହୂର୍ତ୍ତ ବଂଚି ପାରିବି ନାହିଁ । ତୁମକୁ ଯେମିତି ହେଉ ମୋ ସାଥିରେ ଯିବାକୁ ହେବ ।

ରାଜ କୁମାରର ଏ କଥା ଶୁଣି ରାଜ କୁମାରୀ ଛଇଳା କହିଲା – ତୁମେ କ’ଣ ପାଗଳ ହୋଇ ଯାଇଛ । ତୁମକୁ ସାବଧାନ କରି ଦେଉଛି ମୋରି ଉଦ୍ୟାନ ମଧ୍ୟରେ ଥାଇ ମୋ ପାଖରେ ଆଉ ସେ ପାଗଳାମୀ କର ନାହିଁ । ଆରେ ତୁମ ପରି ବୋକା ମନୁଷ୍ୟ ମୁଁ କେବେ କେଉଁ ଠାରେ ଦେଖି ନଥିଲି । ତୁମେ କ’ଣ ଜାଣି ପାରିଲ ନାହିଁ । ବର୍ତ୍ତମାନ ମୁଁ ଏହି ରାଜ୍ୟର ରାଣୀ । ତୁମ ପରି ଭିକାରୀ ପରି ଘୁରି ବୁଲୁ ଥିବା ପୁରୁଷର ସ୍ତ୍ରୀ ହେବା ମୋ ପକ୍ଷେ ଅସମ୍ଭବ ।

ତୁମେ ପରା ପୁରୁଷ । ତୁମେ ଏହି ସାଧାରଣ ସ୍ତ୍ରୀଙ୍କ ପାଇଁ ପାଗଳ ପରି ହେଉଛ । ତୁମର ଧୈର୍ଯ୍ୟ ଧାରଣର ଶକ୍ତି ନାହିଁ । ତୁମେ ପୁଣି ରାଜ କୁମାରଙ୍କର ପରିଚୟ ଦେଉଛ । ଶୁଣ ! ମୋର ସାନକୁହା କଥା ମାନ । ଆଉ ଭାବ ଯେ ତୁମ ଜୀବନକୁ ମୋ ପରି ଜଣେ ରାଜ ଜେମା ସ୍ତ୍ରୀ ଭାବରେ କେବେ ଆସି ନଥିଲେ କି ଆସିବେ ନାହିଁ । ସେଥି ଲାଗି କହୁଛି ଯେତେ ଶୀଘ୍ର ପାର ତୁମେ ଏହି ଉଦ୍ୟାନ ଛାଡି ଚାଲି ଯାଅ ।

ରାଜ କୁମାର ରାଜ କୁମାରୀ ଛଇଳାଙ୍କ ଠାରୁ ଏପରି କଥା ଶୁଣି ଭୋ ଭୋ ହୋଇ କାନ୍ଦିବାକୁ ଆରମ୍ଭ କରି ଦେଲାରୁ ରାଜ କନ୍ୟା ଆଉ ନିଜର କ୍ରୋଧ ସମ୍ଭାଳି ନପାରି କହିଲେ ଆରେ କିଏ ଅଛ ଖୁବ୍ ଶୀଘ୍ର ମୋର ଉଆସରୁ ତରବାରୀ ଧରି ଆସିଲ । ମୁଁ ଏହି ପାପିଷ୍ଠ ଅମଣିଷଟାକୁ ହତ୍ୟା କରି ନିଷ୍କଂଟକ ହୋଇ ଯାଏ ।

ରାଜ କୁମାର ରାଜ କୁମାରୀଙ୍କର ମୁଖରେ ଏପରି ଘାତକିନୀର କଥା ଶୁଣି ନିଜର ଆତ୍ମରକ୍ଷା କରିବାକୁ ଯାଇ ନିଜ ଦେଶକୁ ଫେରି ଗଲା । ଏଥର ଶୁଣିଲୁତ ଶାରୀ ତମ ମାଇପି ଜାତିଙ୍କର ନିଷ୍ଠୁର ପଣ କିପରି ।


ଗପ ସାରଣୀ

ତାଲିକାଭୁକ୍ତ ଗପ