ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଚନ୍ଦରା ଚନ୍ଦିରୀ ଫାର୍ସ

ସ୍ୱାମୀ ସ୍ତ୍ରୀ ଦୁଇ ଜଣ । ସ୍ୱାମୀ ନାଆଁ ଚନ୍ଦରା, ଓ ସ୍ତ୍ରୀ ନାଆଁ ଚନ୍ଦିରୀ । ଚନ୍ଦରା ବିଲ ବାଡିରେ କାମ ଧନ୍ଦା କରେ । କେବଳ ଏକମାତ୍ର କୃଷି ହିଁ ତା’ର ଜୀବିକା । ଧାନ, ମୁଗ, ବିରି ଆଦି ବିଭିନ୍ନ ଫସଲ କରି ଚନ୍ଦରା ସେ ଫସଲରୁ ଯାହାବି କିଛି ଉପାର୍ଜନ କରନ୍ତି ଆନନ୍ଦରେ ଚଳି ଯାଆନ୍ତି । କିଏ ବା ତାଙ୍କର ଅଛି ଖାଇବାକୁ? ମାମୁ ମାଇଁ ଦୁଇ ପ୍ରାଣୀ । ହଡା ମଲେ ଗୁହାଳ ଖାଲି । ଖ୍ୟାତନାମା ଚାଷୀ ଭାବରେ ଆଖ ପାଖ ସାତଖଣ୍ଡ ଗାଆଁରେ ସେ ଚନ୍ଦରାର ବହୁତ ନାଆଁ ଅଛି । ସେ ଚନ୍ଦରା ଚାଷରୁ ବି ଭଲ ଦୁଇ ପଇସା ଉପାର୍ଜନ କରେ । ତେଣୁ ଖୁବ୍ ଖୁସିରେ ଥାଏ ସେ ଚନ୍ଦରା ।

କିନ୍ତୁ ଅତି ଦୁଃଖର ବିଷୟ, ସେ ଚନ୍ଦରାର ପୁଅ ଝିଅ କିଛି ବି ନଥା’ନ୍ତି । ତେଣୁ ଜୀବନରେ ସେମାନେ ବାପା, ବୋଉ ହେଇପାରିଲେ ନାହିଁ । କେବଳ ଏତିକି ଦୁଃଖ । କରମ ଆଦରି ସେମାନେ ଥାଆନ୍ତି । ବାପା ବୋଉ ନ ହେବାର ଦୁଃଖକୁ ସେମାନେ ନିଜ ଭିତରେ ସମ୍ଭାଳି ନେଇଥାନ୍ତି । ତେଣୁ ଚନ୍ଦରା ଚନ୍ଦିରୀକୁ ଡାକେ ବୋଉ । ଆଉ ଚନ୍ଦିରୀ ଚନ୍ଦରାକୁ ଡାକେ ବାପା । ଏମିତି ବାପା, ବୋଉ ଡକା ଡକିରେ ପରସ୍ପର ଖୁବ୍ ଆନନ୍ଦ ପାଆନ୍ତି ।

ଦିନକର ଘଟଣା । ସେ ଚନ୍ଦିରୀ ତ ନଈକୁ ଗାଧୋଇ ଯାଇଥାଏ । ଆଉ ସେହି ନଈ ତୁଠରେ ସାଇ ମାଇପେ ଚନ୍ଦିରୀକୁ କହିଲେ, ଆଲୋ ଚନ୍ଦିରୀ ତୁ ଏଡେ ଅଲାଜୁକୀ । ତୋର ପୁଅ, ଝିଅ ନାହିଁ ସତ । ତୁମେ ଦୁଇ ଜଣ ସ୍ୱାମୀ, ସ୍ତ୍ରୀ ବାପା ବୋଉ ତ ହୋଇପାରିଲ ନାହିଁ । କେହି ସ୍ତ୍ରୀ କ’ଣ ତା’ ସ୍ୱାମୀକୁ ବାପା ବୋଲି ଡାକେ, ନା କେହି ସ୍ୱାମୀ ତା’ ସ୍ତ୍ରୀକୁ ବୋଉ ବୋଲି ଡାକେ । ତୁମେ ‘ସ୍ୱାମୀ’ ‘ସ୍ତ୍ରୀ’ ବାପା ବୋଉ ଡକାଡକି ହେଉଛ । ତୁ ଯେମିତି ଅଲାଜୁକୀ । ତୋ ସ୍ୱାମୀଟା ବି ଠିକ୍ ସେମିତି ଅଲାଜୁକ । ତୁମ ମୁହଁକୁ କ’ଣ ଟିକେ ଲାଜ ସରମ ନାହିଁ । ଏହିଭଳି ସାଇମାଇପେ ନଈ ତୁଠରେ ଚନ୍ଦିରୀକୁ ଜଣକ ପରେ ଜଣେ କହିଲେ । ଚନ୍ଦିରୀ ସେମାନଙ୍କୁ କ’ଣ ବା କହିବ? ଏପରି କଥା ଶୁଣି ସେ ଚନ୍ଦିରୀକୁ ଭାରି ଦୁଃଖ ଲାଗିଲା । ଦୁଃଖରେ ଚନ୍ଦିରୀ କହିଲା, ଆମର ପୁଅ କି ଝିଅ ନ ଥିବାରୁ ଆମେ ବାପା ବୋଉ ଡକା ଡକି ହେଉଛୁ । ସେ ଚନ୍ଦିରୀ ମୁହଁରୁ ଏତକ ଶୁଣି ଗାଆଁ ମୁଖିଆ ଗୌରାଙ୍ଗ ସାମଲର ସ୍ତ୍ରୀ ଚନ୍ଦିରୀକୁ କହିଲା, ବୁଝିଲୁ ଚନ୍ଦିରୀ ଏଗୁଡା ସବୁ ସମାଜ ବାହାର କଥା । ଯେ ଶୁଣିବ ସେ ହସିବ । ତାପରେ ସମସ୍ତେ କୁହାକୁହି ହୋଇ ଚାଲି ଆସିଲେ । ଚନ୍ଦିରୀ ସମସ୍ତଙ୍କ ପଛରେ ଘରକୁ ଆସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ