ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଃସ୍ୱପ୍ନ

ଅନେକ ଦିନ ତଳର କଥା । ବର୍ମାର ଗୋଟିଏ ଛୋଟ ଗାଁରେ ଲୋବସାଙ୍ଗ୍ ଥାଏ । ତା’ର ବୃତି ହେଲା ଟଙ୍କା ଧାର୍ ଦେଇ ସୁଧ ନେବା । ସେ ସୁଧ ବହୁତ ନିଏ; ତା’ଛଡା ସେ ତା’ ଜୀବନରେ ବୋଧହୁଏ ଆଉ କିଛି ମଧ୍ୟ ଜାଣେନାହିଁ । ଥରେ ସେ ଏକ ଦୂରାରୋଗ୍ୟରେ ପୀଡିତ ହୋଇ ଭାବିଲା, “ମୃତ୍ୟୁ ତ ଅନିବାର୍ଯ୍ୟ; ତେଣୁ ମୁଁ ଯେତେଦିନ ବଂଚିବି, ଭଗବାନ ଓ ଭକ୍ତଙ୍କ କଥା ଶୁଣିଲେ ଅନ୍ତତଃ ମୋର କିଛିଟା ପୁଣ୍ୟ ହେବ ।”

                ତା’ପରେ ସେ ଲୋବସାଙ୍ଗ୍ ମନ୍ଦିରର ପୂଜକକୁ ଡାକି ନିଜର ଇଚ୍ଛା ପ୍ରକାଶ କଲା । ତାଙ୍କର ସବୁକଥା ଶୁଣି ପୂଜକ ତାଙ୍କୁ ପଚାରିଲେ, “ତମେ ମନ୍ଦିରକୁ କେବେଠାରୁ ଯାଇନାହଁ?”

                ଲୋବସାଙ୍ଗ୍ ଉତ୍ତର ଦେଲା “ଠିକ୍ ମନେ ପଡୁନାହିଁ ପଣ୍ଡିତ ମହାଶୟ–ତେବେ ଅନେକ ଦିନ ହେବ ମୁଁ ଯାଇନାହିଁ ।”

                “ତୁମର ଯଦି ଭଗବାନଙ୍କ ପ୍ରତି ଏହି ପ୍ରକାରର ଧାରଣା ଥାଏ ତେବେ ତାଙ୍କ ଲୀଳା ଶୁଣିଲେ ତୁମର ବିଶେଷ କିଛି ବି ଲାଭ ହେବନାହିଁ ।” ଏହି କଥା କହି ସେ ପୂଜକ ସେଠାରୁ ଚାଲିଗଲେ ।

                ତା’ପରେ ଚିକିତ୍ସା କରିବା ପରେ ଲୋବସାଙ୍ଗ୍ ଭଲ ହୋଇଗଲା । ଦିନେ ରାସ୍ତାରେ ତାକୁ ଦେଖି ପୂଜକ କହିଲେ, “ଆରେ, ତୁମେ ସେଇ ଭୟଙ୍କର ଅବସ୍ଥାରୁ ତ କ’ଣ ବଂଚିଗଲ ଦେଖୁଛି?”

                ଲୋବସାଙ୍ଗ୍ କହିଲା, “ହଁ, ଠିକ୍ ତ ହୋଇଗଲି । କିନ୍ତୁ ଏବେ ପ୍ରାୟ ସବୁଦିନେ ମୁଁ ଏକ ଦୁଃସ୍ୱପ୍ନ ଦେଖୁଛି ।”

                ତହୁଁ ପୂଜକ ପଚାରିଲେ “ଦୁଃସ୍ୱପ୍ନ? କିପରି ଦୁଃସ୍ୱପ୍ନ ସେବିଷୟରେ ଟିକିଏ କୁହ ତ ଦେଖି?”

                ଲୋବସାଙ୍ଗ୍ କହିଲା, “ମୁଁ ସ୍ୱପ୍ନ ଦେଖେ କି ମୁଁ ମରି ସ୍ୱର୍ଗକୁ ଯାଉଛି । ହେଲେ ସ୍ୱର୍ଗର ଦ୍ୱାରପାଳ ମୋତେ ଭିତରକୁ ଛାଡିବା ପୂର୍ବରୁ ପଚାରିଲା, “ତମେ କ’ଣ କୌଣସି ସନ୍ନ୍ୟାସୀ ବା ପୂଜକଠାରୁ କୌଣସି ପୂଣ୍ୟ କଥା କେବେ ଶୁଣିଛ କି?” ମୁଁ ନାହିଁ କରିବାରୁ ସେ ଚିଡି ଉଠି କହେ, “ତେବେ ତମେ ଏଇଠି ହିଁ ଥାଅ, ମୁଁ କୌଣସି ପଣ୍ଡିତଙ୍କୁ ଖୋଜି ଆଣେ । ପୂଣ୍ୟ କଥା ନ ଶୁଣିବା ପର୍ଯ୍ୟନ୍ତ ତମର ଭିତରକୁ ଯିବାର ଅଧିକାର ନାହିଁ ।” କିଛି ସମୟ ପରେ ଦ୍ୱାରପାଳ ଭିତରକୁ ଯାଇ ଫେରି ଆସି କହେ, “ତୁମ ଭାଗ୍ୟ ଖରାପ, କାହିଁକିନା ଏବେ ସ୍ୱର୍ଗରେ କୌଣସି ପଣ୍ଡିତ ବା ସନ୍ନ୍ୟାସୀ ନାହାଁନ୍ତି ।”

                ଲୋବସାଙ୍ଗ୍ର ଦୁଃସ୍ୱପ୍ନ କଥା ଶୁଣି ବିଚାରା ପୂଜକ ବିକଳ ମୁହଁ କରି ସେଠାରୁ ଚାଲିଗଲା ।

                କିଛିଦିନ ପରେ; ରାସ୍ତାରେ ସେ ଗାଁର ମୁଖିଆ ସହିତ ଲୋବସାଙ୍ଗ୍ର ଦେଖାହେଲା; ମୁଖିଆଙ୍କର ତ ସେ ପୂଜକ ସହିତ ଦ୍ୱେଷ ଭାବ ଥାଏ । ତେଣୁ ସେ କହିଲେ, “ଲୋବସାଙ୍ଗ୍, ତୁମର ଦୁଃସ୍ୱପ୍ନ କଥା ମୁଁ ଏବେ ଶୁଣିଲି । ଆଗରୁ ତ ମୁଁ ତୁମର ଅସୁସ୍ଥତା ଓ ପୂଜକଙ୍କ ବ୍ୟବହାର ବିଷୟରେ ଖବର ପାଇଥିଲି । କ’ଣ ଏବେ ବି ତୁମର ସେହି ସ୍ୱପ୍ନ ଲାଗି ରହିଛି?”

                ମୁଖିଆଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲୋବସାଙ୍ଗ୍ କହିଲା “ନାଇଁ ଆଜ୍ଞା, ଆଜି କାଲି ମୁଁ ତ ଆଉ ଗୋଟିଏ ଦୁଃସ୍ୱପ୍ନ ଦେଖୁଛି ।”

                ମୁଖିଆ ଉତ୍ସାହଭରେ ପଚାରିଲେ “ଆଚ୍ଛା! କୁହ କୁହ ତାହା କିପରି ଦୁଃସ୍ୱପ୍ନ?”

                “ମୋର ପ୍ରଥମ ସ୍ୱପ୍ନ ଶେଷ ହେବା ମାତ୍ରେ ମୁଁ ତ ନର୍କକୁ ଗଲି । ନର୍କର ଦ୍ୱାରରେ ପହଁଚି ମୁଁ ଶୁଣିଲି ସନ୍ନ୍ୟାସୀ ଓ ପୂଜକମାନଙ୍କ ଭିତରେ ଖୁବ୍ ଝଗଡା ଓ ମାରପିଟ୍ ଲାଗିଛି । ମୁଁ ତ ସେତେବେଳକୁ ବହୁତ ଥକି ଯାଇଥିଲି । ଅଦୂରରେ ଫିତା ଖଟଟିଏ ଦେଖି ସେଥିରେ ମୁଁ ଟିକିଏ ଗଡି ପଡିବି ବୋଲି ବସି ପଡିଛି, ମାତ୍ର ଠିକ୍ ସେହିକ୍ଷଣି ଜଣେ ଯମଦୂତ ଆସି ମୋତେ କହିଲା ଏ ଖଟ ତୁମ ପାଇଁ ନୁହେଁ ବରଂ ତୁମ ଗାଁର ମୁଖିଆଙ୍କ ପାଇଁ । ତୁମେ କ’ଣ ଏଠି ବସୁଛ” ଏହା କହି ସେ ମୋତେ ସେଠାରୁ ଉଠାଇ ଦୂରକୁ ଫିଙ୍ଗିଦେଲା ।

                ତା’ପରେ ଲୋବସାଙ୍ଗ୍ର ଦ୍ୱିତୀୟ ସ୍ୱପ୍ନ ବିଷୟରେ ଶୁଣି ମୁଖିଆ ହଠାତ୍ ରାଗିଗଲେ । ହେଲେ ସେ ଆଉ କିଛି ବି ନ କହି ଶୀଘ୍ର ଶୀଘ୍ର ସେଠାରୁ ପଳାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ