ପ୍ରାଚୀନ ଅଲମ୍ପିକ୍ସର ଇତିହାସ ପୃଷ୍ଠା ଓଲଟାଇ ଦେଲେ ଗ୍ରୀକ୍ର ଜଣେ ସୁପ୍ରସିଦ୍ଧ ଖେଳାଳି ‘ମିଲୋ’ଙ୍କ କଥା ନଜରକୁ ଆସେ । ତାଙ୍କର କ୍ରୀଡା କୌଶଳ ଥିଲା ଅସାଧାରଣ ।
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାଦ୍ଦୀର କଥା । ଏହି ଶତାଦ୍ଦୀ ଶେଷହେଲା ବେଳକୁ ‘ମିଲୋ’ ଦକ୍ଷିଣ ଇଟାଲୀର କ୍ରୋଟନ୍ ସହରରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ଅଜେୟ ଶକ୍ତିର ଅଧିକାରୀ । ଅଲମ୍ପିକ୍ସ କ୍ରୀଡା ଜଗତରେ ପ୍ରାୟ ପଚିଶବର୍ଷଧରି ସେ ସର୍ବଶ୍ରେଷ୍ଠ ଖେଳାଳିର ମାନ୍ୟତା ହାସଲ କରିପାରିଥିଲେ । ତାଙ୍କର ଶକ୍ତି ପ୍ରଦର୍ଶନର ଉଦାହରଣ ଏଭଳି ଥିଲା ଯେ, ନିଜ ହାତ ଆଙ୍ଗୁଠିକୁ ମେଲାକରି ରଖିଦେଲା ପରେ ଯେକୌଣସି ବଳୁଆ ବ୍ୟକ୍ତି ବି ତାଙ୍କୁ ବଙ୍କା କରିପାରୁ ନଥିଲେ ।
ଏକଦା ସେ ‘ମିଲୋ’ ଇଚ୍ଛା ପ୍ରକଟ କଲେ ଯେ, ଗୋଟିଏ ବିଶାଳକାୟ ପ୍ରାପ୍ତବୟସ୍କ ଷଣ୍ଢକୁ କାନ୍ଧରେ ରଖି ଦୌଡିବେ । ହେଲେ କଥାଟି ଏକାବେଳକେ ଅସମ୍ଭବ ଥିଲା । ତଥାପି ମଧ୍ୟ ସେ ଯେତେବେଳେ ଇଚ୍ଛା ପ୍ରକଟ କରିସାରିଲେଣି ନିଶ୍ଚୟ ଯେକୌଣସି ପ୍ରକାରେ ଦିନେ ନା ଦିନେ ଏହି କାର୍ଯ୍ୟ କରି ଜନସାଧାରଣଙ୍କୁ ପ୍ରଦର୍ଶନ କରିବେ । ସୁତରାଂ ଏହି ଅସାଧ୍ୟ କାର୍ଯ୍ୟସାଧନ କରିବାର କୌଶଳ ପାଇଁ ସେ ଚିନ୍ତିତ ହୋଇପଡିଲେ । ଶେଷରେ ସେ ଏକ ଉପାୟ ସ୍ଥିର କଲେ ।
ଏଥିପାଇଁ ପ୍ରତିଦିନ ତାଙ୍କ ପକ୍ଷେ ଏକ ବିଚିତ୍ର ଅଭ୍ୟାସ କରିବା ଜରୁରୀ ହୋଇପଡିଲା । ସୁତରାଂ ମିଲୋ ଏକ କଅଁଳା ବାଛୁରୀକୁ କାନ୍ଧରେ କାନ୍ଧେଇ ଦୌଡିବା ଆରମ୍ଭ କରିଦେଲେ । ଏହିଭଳି ପ୍ରତିଦିନ ସେଇ ନିର୍ଦ୍ଦିଷ୍ଟ ବାଛୁରୀଟିକୁ ନେଇ ସେ ତାଙ୍କ ଅଭ୍ୟାସ ଜାରିରଖିଲେ । ଦିନକୁ ଦିନ ସେ ବାଛୁରୀଟି ବଡ ହେବାକୁ ଲାଗିଲା । କ୍ରମେ ଏହା ଏକ ଷଣ୍ଢରେ ପରିଣତ ହୋଇଗଲା । ତଥାପି ମଧ୍ୟ ସେ ମିଲୋ ବାଛୁରୀ ଠାରୁ ଆରମ୍ଭ କରି ଷଣ୍ଢଯାଏଁ ଅନାୟାସରେ ସମସ୍ତଙ୍କୁ ବୋହି ଚାଲିଥାନ୍ତି । ଅଭ୍ୟାସ ବଳରୁ ସେ ଏହି ଅସମ୍ଭବ କାର୍ଯ୍ୟକୁ ଦିନେ ସମ୍ଭବ କରିପାରି ଜନସାଧାରଣଙ୍କୁ ଦେଖାଇ ପାରିଥିଲେ ।
ମିଲୋ ଜଣେ ଏଭଳି ଶକ୍ତିଶାଳୀ ବ୍ୟକ୍ତି ଥିଲେ ଯେ, ପରବର୍ତ୍ତୀ କାଳରେ ଅନେକ ଗ୍ରୀକ ବୀର ତାଙ୍କର ବୀରତ୍ୱ ଦେଖି ଈର୍ଷାପରାୟଣ ହୋଇ ଉଠିଥିଲେ । ସେମାନେ ମିଲୋଙ୍କର ପ୍ରତିଭା ଓ ସାମର୍ଥ୍ୟକୁ ପଛରେ ପକାଇ ଦେବାପାଇଁ ଶତଚେଷ୍ଟା କରି ମଧ୍ୟ ଶେଷରେ ବିଫଳ ହୋଇଥିଲେ । ସେଥିଲାଗି ଆଜି ବି ମଧ୍ୟ ବିଶ୍ୱର ବଡ ବଡ ଖେଳାଳିମାନେ ତାଙ୍କର ନାମକୁ ବିଶ୍ୱର ସୁପ୍ରସିଦ୍ଧ ଖେଳାଳିଭାବରେ ସ୍ମରଣ କରିଥାନ୍ତି ।
କଥାରେ ଅଛି –
“ଅଭ୍ୟାସ ବଳରେ ଅସାଧ୍ୟ ସାଧନ ହେବା କଥା ନୁହେଁ କଦାପି ମିଥ୍ୟା
ଅଭ୍ୟାସ ତୁମର ଜାରି ରଖି ଥିଲେ ହଟିଯିବ ପରାଜୟର ଚିନ୍ତା ।”