ଅନେକ ଦିନ ତଳର କଥା । ଭାରତ ବର୍ଷର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମରେ ଏକ ନଗରୀ ଥିଲା । ଏହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ସେହି ବଣିକଙ୍କ ନାମ ହେଉଛି ‘ବର୍ଦ୍ଧମାନକ’ ।
ଏକଦା ରାତ୍ରୀରେ ବର୍ଦ୍ଧମାନକ ବିଛଣାରେ ବିଶ୍ରାମ ନେବା ସମୟରେ ତାଙ୍କ ମନରେ ଏକ ଚିନ୍ତା ଉଙ୍କି ମାରିଲା । ସେ ଭାବିଲେ ଯେ ଯଦି ଜଣେ ମନୁଷ୍ୟ ପ୍ରଚୁର ଧନ, ଅର୍ଥ ଲାଭ କରିପାରେ ସେ ସଂସାରରେ ସବୁ କିଛି କରିପାରିବ । ସେ ଚିନ୍ତା କଲେ: ମଣିଷ ଯଦି ତା’ର ଜୀବନ କାଳ ମଧ୍ୟରେ ଅର୍ଥ ସଂଗ୍ରହ କରି ନ ପାରିବ ତା’ହେଲେ ତା’ର ଜୀବନ ବ୍ୟର୍ଥ । ‘ଧନ’ ହେଉଛି ମଣିଷ ଜୀବନର ମୂଳ ହେତୁ । ପାଖରେ ପ୍ରଚୁର ଅର୍ଥ ଥିଲେ ମଣିଷ ତା’ର ବନ୍ଧୁ ପରିଜନ ମାନଙ୍କୁ ସର୍ବଦା ସନ୍ତୁଷ୍ଟ କରିପାରିବ । ଫଳରେ ସେମାନେ ସର୍ବଦା-ତାର ସୁଖରେ ଭାଗୀଦାର ହେବେ । ଯଦି ମନୁଷ୍ୟ ପାଖରେ ଧନ ନଥିବ, ତା’ହେଲେ ସେ ସର୍ବତ୍ର ଅବହେଳିତ ହେବ । ସମାଜରେ ଧନୀ ବ୍ୟକ୍ତିଙ୍କୁ ସର୍ବଦା ଉଚ୍ଚ ସ୍ଥାନ ଦିଆଯାଇଥାଏ । ଏହି ଧନ ଥିଲେ ବୃଦ୍ଧ ଯୁବକରେ ପରିଣତ ହୋଇପାରେ । ଧନ ବିନା ଯୁବକ ମଧ୍ୟ ବୃଦ୍ଧ ପାଲଟି ଯାଏ । ତେଣୁ ଏହି ସଂସାରରେ ଧନ ହେଉଛି ସବୁକିଛି । ତେଣୁ ବର୍ଦ୍ଧମାନକ କିପରି ଅଧିକରୁ ଅଧିକ ଧନ ଉପାର୍ଜନ କରିବେ ସେହି କଥା ଚିନ୍ତା କଲେ ।