କମଳାପ୍ରସାଦ ଗୋରାପ

ଆମ୍ଭେମାନେ ଯେଉଁ ଘଟଣା ବିଷୟ ଲେଖିବାକୁ ବସିଅଛୁଁ, ତାହା ଷାଠିଏ ବର୍ଷ ତଳର କଥା । ସେ ସମୟର ବାଲେଶ୍ୱରର ଜାହାଜ କାରବାର ବିଷୟ ନ ଜାଣିଲେ ପ୍ରକୃତ ଘଟଣା ବିଷୟ ବୁଝିବାକୁ ପାଠକମାନଙ୍କ ପକ୍ଷରେ ବଡ ଅସୁବିଧା ହେବ, ଅଥବା ସେମାନେ ମୂଳକୁ ବୁଝିପାରିବେ ନାହିଁ । ଏଥକୁ ସେ ସମୟର ବୃତାନ୍ତ ଅତି ସଂକ୍ଷେପରେ କିଂଚିତ୍ ବ୍ୟାଖ୍ୟାନ କରିବାକୁ ଇଚ୍ଛା କରୁ ।

ଭାରତବର୍ଷର ପୂର୍ବ ଉପକୂଳସ୍ଥ ବନ୍ଦରମାନଙ୍କ ମଧ୍ୟରେ ଅତି ପୂର୍ବକାଳରୁ ବାଲେଶ୍ୱର ପ୍ରସିଦ୍ଧ ଲାଭ କରିଥିଲା । ସମୁଦ୍ରଗାମୀ ସହସ୍ରାଧିକ ଜାହାଜ ନଦୀଜଳକୁ ଆଚ୍ଛାଦନ କରି ମଉସମ ସମୟରେ ବାଲେଶ୍ୱର ବନ୍ଦର ଘାଟରେ ଭାସୁଥିଲେ । ନାନା ଶ୍ରେଣୀର ପ୍ରାୟ ଦଶହଜାର କାରିଗର କାମରେ ଲାଗିଥା’ନ୍ତି । ସହର ପାଖିଆ ନଦୀକୂଳ ପ୍ରାୟ ଦୁଇକୋଶ ପର୍ଯ୍ୟନ୍ତ ହାଟ ବସିଲା ପରି ଲୋକଙ୍କ ଗହଳଚହଳ ଲାଗିଥାଏ । ରେଙ୍ଗୁନ, ଜାଭା, ବର୍ଣ୍ଣିଓ, ବିଶାଖାପତନ, ଚିନାପାଟନା, ସିଂହଳ, ମାଳଦ୍ୱୀପ, ଲାକ୍ଷାଦ୍ୱୀପ ଅଭିମୁଖେ ଯାଉଥିବା ଶତ ଶତ ଜାହାଜ ସମୁଦ୍ର ମଧ୍ୟରେ ହେରିଆ ଖେଳୁଥିଲେ । ସେ ସମୟରେ ତ ରେଳ ବା ଷ୍ଟିମରର ନାମ ଶୁଣା ନ ଥିଲା । ସମସ୍ତ ଉତ୍କଳର ବିଦେଶୀ ମାଲ ଆମଦାନୀ ରତ୍ପାନୀ ବାଲେଶ୍ୱର ବନ୍ଦର ବାଟେ ହେଉଥିଲା । ବଙ୍ଗଳା ଦେଶର ପ୍ରାୟ ଅର୍ଦ୍ଧାଂଶ ଜିଲ୍ଲା ଲୋକଙ୍କ ଖୋରାକି ଲୁଣ ବାଲେଶ୍ୱରୀ ଜାହାଜ ବହନ କରୁଥିଲେ । ବଙ୍ଗଦେଶ ନାମ ଜାଣିବା ପୂର୍ବରେ ପାଶ୍ଚାତ୍ୟ ଜାତି ଦିନାମାର, ଓଲନ୍ଦାଜ, ଫରାସୀ, ଇଂରେଜ ବେପାରୀମାନେ ବାଲେଶ୍ୱର ବନ୍ଦରରେ ଦୋକାନ ମେଲିଥିଲେ । ବର୍ତ୍ତମାନ ବନ୍ଦର ନଦୀଘାଟକୁ ଯାଅ,        କ’ଣ ଦେଖିବ? ନଦୀକୂଳ ଶ୍ମଶାନ ପରି ନିର୍ଜନ- ବୁଢାବଳଙ୍ଗ ନଦୀଟି ଯେମନ୍ତ କଳକଳ ସ୍ୱରରେ କାନ୍ଦି କାନ୍ଦି ସମୁଦ୍ରକୁ ଯାଉଅଛି ।

ବାଲେଶ୍ୱର ବନ୍ଦରର ଦୁର୍ଭାଗ୍ୟର ମୂଳ କାରଣ, ନିମକ ପୋକ୍ତାନ ବନ୍ଦ, ଦ୍ୱିତୀୟ କାରଣ ଷ୍ଟିମର ଓ ରେଳର କାରବାର, ତୃତୀୟ କାରଣ ଅଥବା ବିଶେଷ କାରଣ, ବାଲେଶ୍ୱର ନଦୀ ମୁହାଣ ପୋତା ପଡିଗଲାଣି, ଅମାବାସ୍ୟା ପୂର୍ଣ୍ଣିମା କଟାଳ ଜୁଆର ସମୟ ବିନା ସମୟରେ ସମୁଦ୍ରରୁ ଜାହାଜ ନଦୀ ଭିତରକୁ ପଶିପାରୁ ନାହିଁ ।

ବାଲେଶ୍ୱର ଜାହାଜ ସବୁ ତିନି ଶ୍ରେଣୀର ଥିଲା । ବଡ ଜାହାଜର ନାମ ଗୋରାପ, ମଧ୍ୟଭଳି ଜାହାଜର ନାମ ସୁଲୁପ, ଅତି ସାନ ଜାହାଜର ନାମ ଦୁଉଣୀ । ସୁଲୁପ ଆଉ ଦୁଉଣୀ କଲିକତାକୁ ଯାତାୟାତ କରେ । ଗୋରାପ ସବୁ ସମୁଦ୍ର ମଧ୍ୟରେ ଦୂର ଦେଶକୁ ଯାଏ । ପ୍ରତ୍ୟେକ ଜାହାଜର ଗୋଟିଏ ଗୋଟିଏ ନାମ ଥାଏ, ଯଥା – କମଳାପ୍ରସାଦ, ଉମାପ୍ରସାଦ, ଦୁର୍ଗାପ୍ରସାଦ, ଈଶ୍ୱରୀପ୍ରସାଦ ଇତ୍ୟାଦି ।

                ବାଲେଶ୍ୱରରେ ଅନେକ ଜାହାଜିଆ ମହାଜନ ଥିଲେ । ଯାହାଙ୍କର ଜାହାଜ ସଂଖ୍ୟା ବେଶି, ସେ ବଡ ମହାଜନ, ସମାଜରେ ତାଙ୍କ ସମ୍ମାନ ସବୁଠାରୁ ବେଶି ।

                ବାବୁ ରାମହରି ନାୟକ ଜଣେ ଛୁଟକୁରିଆ ମହାଜନ । ତାଙ୍କର ମାତ୍ର ଚାରିଖଣ୍ଡ ଜାହାଜ । କମଳାପ୍ରସାଦ ଗୋରାପ ମାନ୍ଦ୍ରାଜ, କଲମ୍ବୋ, ରେଙ୍ଗୁନ କ୍ଷେପ କରେ, ଆଉ ତିନିଖଣ୍ଡି ସୁଲୁପ ।

                ସ୍ୱରୂପ ବେହେରା କମଳାପ୍ରସାଦ ଗୋରାପର ମାଝି । ସେ କୋଡିଏ ବର୍ଷର ଚାକର, ଖୁବ୍ ବିଶ୍ୱାସୀ, ଖୁବ୍ ନିମକସଚ୍ଚା । ଖୁବ୍ ବିଶ୍ୱାସୀ ଲୋକ ନ ହେଲେ ମାଝିଗିରି ଚାକିରି ପାଏ ନାହିଁ । କାରଣ, ତାହା ହାତ ଦେଇ ଅନେକ ନଗଦ ଟଙ୍କାର କାରବାର ହୁଏ ।

                ସ୍ୱରୂପ ମାଝି କମଳାପ୍ରସାଦ ଗୋରାପରେ ମାଲ ଘେନି ମାନ୍ଦ୍ରାଜ ଯାଇଥିଲା, ଫେରନ୍ତା ଜାହାଜ ବୁଡିଯାଇଥିବା କଥିତ ହୁଏ । ଜାହାଜ ବୁଡିଯିବାରୁ ମହାଜନଙ୍କ ଛଡା ଆହୁରି ଢେର୍ ଲୋକଙ୍କର ଲୋକସାନ ହୋଇଛି । ଚିରକାଳ ଏପରି ବସ୍ତୁର ଚଳିଆସୁଛି କି, ମାଝି ଦୂରଦେଶକୁ ମାଲ ବୋଝେଇ ଜାହାଜ ଘେନି ଯିବାବେଳେ ସେ ଜାହାଜର ଦୁଇପଣି ବୋଝେଇ ମାଲ ବିନା ଭଡାରେ ଘେନିଯାଏ । ମନେକରନ୍ତୁ ଗୋଟିଏ ଜାହାଜରେ ଆଠ ହଜାର ମହଣ ମାଲ ବୋଝେଇ ହେବ, ସେଥିରୁ ହଜାରେ ମହଣ ମାଝିର । ସେହି ହଜାରେ ମହଣ ମାଲ ସକାଶେ ମହାଜନ ଜାହାଜ ଭଡା ପାଇବେ ନାହିଁ, ସେ ବୋଝେଇ ମାଲର ବିକାକିଣା ଲାଭ ମାଝି ପାଇବ । ମାଝିର ଦୁଇପଣି ମାଲ ନେବାର ଅଧିକାର ଅଛି ସତ୍ୟ, ମାତ୍ର ତା ହାତରେ ଏତେ ଟଙ୍କା କାହିଁ? ବାବୁଙ୍କ ଘରେ ଚାକର ଚାକରାଣୀ, ବୋହୂଝିଅ, ଗୁମାସ୍ତା ପାଇକ ଯେତେ ଥା’ନ୍ତି ମାଝି ସେମାନଙ୍କ ପାଖରୁ ଟଙ୍କା ନିଏ । ଏହି ଟଙ୍କାକୁ ବଟମ ବୋଲାଯାଏ । ମାଝି ସେହି ବଟମ ଟଙ୍କାରେ ମାଲ କିଣି କାରବାର କରେ । ସେଥିରୁ ଯେଉଁ ଲାଭ ହୁଏ ବଟମଦାର ଅଧେ ଆଉ ମାଝି ଅଧେ ପାଏ । କମଳାପ୍ରସାଦ ଗୋରାପରେ ଢେର୍ ଟଙ୍କାର ବଟମୀ ମାଲ ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ