କମଳାପ୍ରସାଦ ଗୋରାପ

                ଆଜି ପୂର୍ଣ୍ଣିମା- ସହଜରେ କଟାଳ ଜୁଆର ଦିନ ବାରଟାବେଳେ ଜୁଆର ଭାଟିବ, ଠିକ୍ ସେତିକିବେଳେ ପଡିଛି ଅମୃତଯୋଗ । ଆଜି ଢେର୍ ଜାହାଜ ଗଡିଯିବାର ସ୍ଥିର ହୋଇଛି । ଚାରି ପାଂଚଦିନ ହେଲା ମାଝି ଖଲାସୀମାନେ କାମରେ ଭାରି ଲାଗିଯାଇଥିଲେ । ଜାହାଜଟିକୁ ସଫାସୁତୁରା କରି ଡୋଲ ଉପରେ ସବର, ଗଭର, ଟଭର – ତା ପଛକୁ କଲମି ଡୋଲ ଆଉ ବରଗାମାନ ଟେକି ଦେଇ ଶେଡ ଗୁଡାଇ ଠିକ୍ କରି ରଖିଦେଇଛନ୍ତି । ଆଗରେ ପଛରେ ଡୋଲର ସବା ଉପରେ ଲାଲ ଧଳା ହଳଦିଆ ପତାକାମାଳ ଫରଫର ହୋଇ ଉଡୁଛି । ଆଡିକୁ ଜାହାଜଟି ବଡ ସୁନ୍ଦର ଦିଶୁଛି । ବେଳ ପହରକ ସରିକି ଖୋଦ୍ ବାବୁ ସ୍ନାନସାରି ତସର ଯୋଡି ପିନ୍ଧି ଜାହାଜ ଉପରେ ପହଁଚିଲେ । ଜାହାଜ ଆଗ ମୁଣ୍ଡଠାରେ ହୋମ ଆଉ ପୂଜା ବଢିଲା- ମାଝି ବି ସ୍ନାନପ୍ରକାର ସାରି ମୁଣ୍ଡରେ, ବେକରେ, ଦୁଇ ବାହୁ ଆଉ ଛାତିରେ ଚିତା କରି ପୂଜାପାଖରେ ବସିଥିଲା । ପୁରୋହିତ ପୂଜା ସାରି ବାବୁଙ୍କ ମୁଣ୍ଡରେ ଆଉ ମାଝି ମୁଣ୍ଡରେ ଅକ୍ଷତ ପକାଇ ବେକରେ ଫୁଲମାଳ ଲମ୍ବାଇଦେଲେ । ପଣ୍ଡିତ ନରସିଂହ ମିଶ୍ରେ ଜାହାଜ କୁଶଳରେ ବାହୁଡି ଆସିବା ପାଇଁ ଚଣ୍ଡୀପାଠ ନିମନ୍ତେ ବାବୁଙ୍କ ହାତରୁ ସଂକଳ୍ପ ଗୁଆ ଟେକିନେଇ ଓହ୍ଲାଇ ଆସିଲେ । ମାଝି ଡାକଦେଲା, ‘ତୟାର ରହ’ । ଏହା ଶୁଣି ଖଲାସୀମାନେ ଆଉ ସୁକାନି ଆପଣା ଆପଣା ଜାଗାରେ ଛିଡା ହୋଇଗଲେ । ତଣ୍ଡେଲ ଆଗ ଲଙ୍ଗର କପିକଳକୁ ଅନାଇ, ଆଉ ଛ’ଜଣ ଲଙ୍ଗର ଉଠା ଦାଉର କଳର ଛଅଟା ପଖା ଧରି ଛିଡାହୋଇଛନ୍ତି ।

ବାବୁ, ପୁରୋହିତ, ଜ୍ୟୋତିଷେ ନଦୀକୂଳରେ ଜାହାଜକୁ ଅନାଇ ବସିଛନ୍ତି । ମାଝି ଜାହାଜ ବାଡ ଉପରେ ପେଟେଇପଡି ବାବୁଙ୍କ ମୁହଁକୁ ଅନାଇଛି । ଜ୍ୟୋତିଷେ ସୂର୍ଯ୍ୟଙ୍କୁ ଆଉ ପାଞ୍ଜିକୁ ବାରମ୍ବାର ଚାହୁଁଛନ୍ତି । ଠିକ୍ ୧୨ଟା ବେଳ ହେଲା । ବାବୁ ଆଉ ଜ୍ୟୋତିଷେ ଛିଡାହୋଇ ଡାକିଦେଲେ, “ମାଝି!”

ମାଝି ଜାହାଜ ଆଡକୁ ମୁହଁ କରି ଡାକିଦେଲା, “ହା-ବିସ ।”

ତଣ୍ଡେଲ ଡାକିଲା-ଓ-ହୋଓ ।

ବାଉର ପଖାବାଡି ଧରିଥିବା ଛ’ଜଣ ଖଲାସୀ ଡାକିଲେ, ଓ-ହୋଓ ।

ତଣ୍ଡେଲ-ଓ-ହୋଓ ।

ଖଲାସୀ-ଓ-ଭାଇ ।

ତଣ୍ଡେଲ-ଦରିଆ ପୀର ।

ଖଲାସୀମାନେ-ଏଁ-ୟାଁ ।

ତଣ୍ଡେଲ-ଲାଗେ ଶିର ।

                ଖଲାସୀ-ଏଁ-ୟାଁ ।

                ତଣ୍ଡେଲ- ପୀର କେରାମତ୍ ।

                ଖଲାସୀ-ଏଁ-ୟାଁ ।

                ତଣ୍ଡେଲ- ସାହେବ ସଲାମତ ।

                ଖଲାସୀ-ଏଁ-ୟାଁ ।

                ତଣ୍ଡେଲ-କାମେ ଖବର ।

                ଖଲାସୀ-ଏଁ-ୟାଁ ।

                ତଣ୍ଡେଲ ଡାକିଲେ ଖଲାସୀମାନେ ‘ଏଁ-ୟାଁ’ କହି ଏକ ସଙ୍ଗରେ ଖୁବ୍ ବଳରେ ବାଉର ଯନ୍ତ୍ର ପଖା ବାଡିରେ ଏକ ଝିଙ୍କା ମାରନ୍ତି- ଲଙ୍ଗର ପାଣି ଭିତରୁ ଟିକିଏ ଉଠିଆସେ ।

                ତଣ୍ଡେଲ- ପାଟିକରି ଡାକିଦେଲା “ଏରିଆ-ଏରିଆ-ଏରିଆ!” ଲଙ୍ଗର ଉଠିଗଲା- ଭଟ୍ଟା ପାଣିରେ ଜାହାଜ ଖୁବ୍ ଧୀରେ ଧୀରେ ଗତି କଲା ।

                ଠିକ୍ ଏତିକିବେଳେ ନଦୀକୂଳରେ ଭାରି ଗୋଟାଏ ଚହଳ ପଡିଗଲା । ଦରିଆରୁ ଗୋଟାଏ ବଡ ଜାହାଜ ଭାସିଆସୁଛି, ସେଥିରେ କେହି ବି ମଣିଷ ନାହିଁ । ‘ସମ୍ଭାଳ-ସମ୍ଭାଳ’ ଲଙ୍ଗରୀ ଜାହାଜମାନଙ୍କରେ ମଣିଷ ପହରା ରହିଗଲେ । ସେ ଜାହାଜ ଭାସିଆସି ଆଉ ଗୋଟିଏ ଜାହାଜ ଉପରେ ପଡିଗଲେ ଦୁଇ ଜାହାଜ ଜଖମ ହୋଇଯିବ । ଚାରିଖଣ୍ଡ ବତାଲିରେ ଛ’ ଛ’ ଜଣ ଖଲାସୀ ବସି ଧାଇଁଲେ, ଭସାଣି ଜାହାଜଟାକୁ ବାଟରେ ଓଗାଳି ରଖିବେ ।

                ଜାହାଜ ନଦୀ ବାଟରେ ଧରାଗଲା । ଦେଖ, ଦେଖ, କାହା ଜାହାଜ? ଆରେ ଏଇଟା ବି ରାମହରିବାବୁଙ୍କ କମଳାପ୍ରସାଦ । ରାମହରିବାବୁ ଖବର ପାଇ ଠା’ ଜାଗାରୁ ଉଠି ଲଣ୍ଡଭଣ୍ଡ ହୋଇ ଧାଇଁଛନ୍ତି, କଛା ତାଙ୍କର ଫିଟିଗଲାଣି, କେଜାଣି ଲୁଗାଖଣ୍ଡ କେତେବେଳେ ଖସିପଡିବ । ରାମା ଭଣ୍ଡାରି ଟୋକା ସାଙ୍ଗରେ ନ ଥିଲେ ନିଶ୍ଚୟ ଲୁଗାଖଣ୍ଡ ବାଟରେ ପଡିଯାଇଥାନ୍ତା । ଦେଖ ଦେଖ- ଜାହାଜରେ ସବୁ ଠିକ୍ଠାକ୍ ଅଛି, ନାହିଁ କେବଳ ବାବୁଙ୍କ ଟଙ୍କାଗୁଡିକ, ଆଉ ମାଝି ଖଲାସୀଙ୍କ ଆସବାସ । କାହିଁ ଗଲା ସ୍ୱରୂପ ମାଝି? ଆରେ ଆଉ ମାଝି! ମାଝି ଅନ୍ତର୍ଦ୍ଧାନ!


ଗପ ସାରଣୀ

ତାଲିକାଭୁକ୍ତ ଗପ