କମଳାପ୍ରସାଦ ଗୋରାପ

ବାବୁ ବାକ୍ସ ଫିଟାଇ ଗଲାକାଲି ଡାକରେ ଆସିଥିବା ମୋଟା ଚିଠି ଖଣ୍ଡି ବାହାର କଲେ, ତାହା ଭିତରୁ ଲାଲରଙ୍ଗ ପାତଳ କାଗଜରେ ତେଲଙ୍ଗୀ ଲେଖା ଏକକୋଣିଆ ଗୁନ୍ଥା ଗୋଛାଏ ଚିଠି କାଗଜ ବାହାର କଲେ, ଏପାଖ ସେପାଖ ଓଲଟପାଲଟ କରି ବୀରେଶ ଲିଙ୍ଗମଙ୍କୁ ଡାକି ପଠାଇଥିଲେ । ବୀରେଶ ଲିଙ୍ଗମ ତେଲଙ୍ଗୀ ଗୁମାସ୍ତା । ଦକ୍ଷିଣ ଅଂଚଳରୁ ଆସୁଥିବା ଚିଠିମାନ ପଢି ବାବୁଙ୍କୁ ସେ ଓଡିଆରେ ବୁଝାଇଦିଏ । ତେଣୁ ପିଆଦା ସେ ଗୁମାସ୍ତାକୁ  ଡାକିବାକୁ ଧାଇଁଲା । ତହିଁ ଉତାରେ ବାବୁ ମାଝିକୁ ଅନାଇ କହିଲେ, “ହୁଁ-”

ସ୍ୱରୂପ ମାଝି- ଲଙ୍ଗର ଉଠାଇ ଶେଡ ଯେ ହଙ୍କାରିଛି, ସେହି ହଙ୍କାରିଛି । ପୂରା ଆଠଦିନ ଦିନ ରାତି ଜାହାଜ ଧାଇଁଥାଏ । ଦକ୍ଷିଣା ପିଛାଡି ପବନ- ଆକାଶ ନିର୍ମଳ- ଦରିଆଟା ପୋଖରୀ ପାଣି ପରି ଧୀର । ଜାହାଜ ସୁକାନରେ ଖାଲି ହାତ ପଡିଥାଏ, ସଳଖ ଜାହାଜ ଧାଇଁଛି । ନଅଦିନ ରାତି ପହରକ ସରିକି କଟକ ବାରା ଫଳସାପେଣ୍ଠ ବତି ଯିମିତି ନଜର ପଡିଛି, ପଛପଟରୁ ଟିକିଏ ପବନ ଝଲକିଦେଲା, ବେଳକୁବେଳ ଟିକିଏ ବଢିବାକୁ ଲାଗିଲା । ବଢିଲାପରି ବଢିଲା, ସମାନ, ସମାନ- ରାତିଅଧ ବେଳକୁ ଅଥୟ । ଦରିଆ ଆକାଶ ଏକାକାର; ତାଳଗଛ ପ୍ରମାଣ ଢେଉ । ଆଗ ଦୁଇ ନଙ୍ଗର ପଛ ଲତାଡି ପକାଇ ଦେଲି, ପଟାପଟ ଛିଡିଗଲା । ରାତିଯାକ ଏକ ହାଲ, ଆଉ ସମ୍ଭାଳି ହେଲା ନାହିଁ । ଅଧରାତି ସରିକି ଜାହାଜ ଗାମଦ ହେଲା, ସମସ୍ତେ ମିଶି ପାଣିମରାରେ ଲାଗିଥାଉଁ । ଭୋର ଭୋର ଜାହାଜ ବସିଗଲା । ଦିନ ହେଲା, ଦେଖିଲୁ, ଧାମରା ଘଡିଆମାଳ ମୁହାଣ । ଆଉ କିଛି ଚାରା ନାହିଁ, ତେଣୁ ବତାଲିକୁ ଓହ୍ଲାଇ ଆସିଲୁଁ ।

ବାବୁ ପଚାରିଲେ- ଟଙ୍କା?

ମାଝି ଖାଲି କାନ୍ଦିଲା, ଆଉ କିଛି ବି କହିପାରିଲା ନାହିଁ ।

ବାବୁ କହିଲେ, “କାହିଁ, ଏଠାରେ କିଛି ମେଘ, ଅଳ୍ପ ତୋଫାନ ହୋଇଥିଲା ସତ, ହେଲେ ସେଡେ ତୋଫାନ ତ ନାହିଁ!”

ମାଝି- ଆଜ୍ଞା, ଏଟା ତୋଫାନ ନୁହେଁ, ଦରିଆ ଖଣ୍ଡିଆଭୂତ, ଏପରି ଭୂତ କେବଳ ଦରିଆରେ ହିଁ ଥା’ନ୍ତି । କଲିକତୀ, ବିଲାତୀ, ରେଙ୍ଗୁଣୀ ଛ’ଖଣ୍ଡ ଜାହାଜ ଏକା ସାଙ୍ଗରେ ଶେଡ ହଙ୍କାରି ଥିଲୁଁ । ସେ ସବୁଗୁଡାକ କୁଆଡେ ଉଡିଗଲେ, କାହାରି କିଛି ବି ଆତା ପତା ନାହିଁ ।

ଜ୍ୟୋତିଷ କମଳଲୋଚନ ନାୟକଙ୍କୁ ବାବୁ ଡକାଇଥିଲେ । ମାଝି ସଙ୍ଗରେ କଥୋପକଥନ ସମୟରେ ଜ୍ୟୋତିଷ ଯାଇ ସେଠାରେ ପହଁଚିଗଲେ, ତା’ପରେ ପାଞ୍ଜିବିଡାଟି ଧରି ସେ ପଢିବାକୁ ଲାଗିଲେ-

“ମଙ୍ଗଳଂ ଭଗବାନ୍ ବିଷ୍ଣୁ”

“ମଙ୍ଗ-”

ବାବୁ ଗୋଟିଏ ଭାରି ଖପା ହୋଇ କହିଲେ, “ହଁ ହଁ, ତୁମେ ପାଞ୍ଜିବିଡା ବାନ୍ଧି ରଖ । ଭାରି ଭଲ ଦିନଟାଏ ଧରି ଦେଇଥିଲ ନା! ଗଲା ଗୁରୁବାର ଦିନ ଖଡି ପକାଇ କହିଥିଲ ପରା, ପୂର୍ଣ୍ଣିମା କଟାଳ ଜୁଆର ବେଳରେ କମଳାପ୍ରସାଦ ଘାଟ ଭିଡିବ? ଆଚ୍ଛା ପାଠ ପଢିଛ ଏକା ।”

ସବୁ ଶୁଣି ସେ ଶ୍ରୀ ନାୟକେ ଫଁ-କରି ନିଃଶ୍ୱାସଟାଏ ପକାଇଲେ, ପାଟି ନ ଫିଟାଇ ପଛଘୁଂଚା ଦେଲେ । କଚେରିଘର ବାରନ୍ଦା ଏକପାଖିଆ ବସି ଅଂଟିରୁ ଖଡି ଗୋଟାଳିଟି ସେ କାଢିଲେ, ତା’ପରେ ରାଶିଚକ୍ର କାଟି ଢେର୍ ପାଠ ସେ ଲେଖିଲେ । ଖଡି ଗୋଟାଳିଟା ଦୋରବସ୍ତ ଛିଡିଗଲାଣି । ତହିଁ ଉତାରେ ଗୁମମାରି ସେ ବସି ତୁଚ୍ଛା ଭାବୁଛନ୍ତି । ସେତେବେଳକୁ ବେଳ ପ୍ରାୟ ତିନି ପହର ଗଡିଗଲାଣି । ବାବୁ ତ କଚେରିରୁ ଉଠି ନାହାଁନ୍ତି, ଗୁମାସ୍ତା ଆଉ ଆଉ ଚାକରମାନେ ବା କିମିତି ଉଠିଯିବେ? ଏଣେ ଗାଧୁଆ ବେଳ ବି ଗଡିଗଲାଣି । ସମସ୍ତେ ଆପଣା ଆପଣା ଜାଗାରେ ଗୁମ୍ମାରି ବସିଛନ୍ତି । ଘର ଭିତରୁ ତିନିଥର ଡାକରା ଆସିଲାଣି । ଶେଷରେ ଗୁରୁବାରୀ ପୋଇଲୀ ଆସି କହିଲା, “ସାଆନ୍ତାଣୀ ଆଜ୍ଞା କଲେ, ଯା ହେବାର ତ ହେଲାଣି, ଭିତରେ ପିଲାଛୁଆଗୁଡାକ ଓପାସରେ କାଉଳି ହେଉଛନ୍ତି ଯେ!”

ବାବୁ ଯେଉଁ ବାଟରେ ଭିତର ପରସ୍ତକୁ ଯିବେ, ଅବଧାନେ ସେହି ବାଟ ପାଖରେ ବସିଥିଲେ, ବାବୁଙ୍କୁ ହଠାତ୍ ଦେଖି ସେ ଛିଡା ହୋଇଯାଇ କହିଲେ, “ଆଜ୍ଞା ଏ କିପରି ହେଲା?” ତହୁଁ ସେ ବାବୁ ଟିକିଏ ଖପା ହେଲାପରି ହୋଇ କହିଲେ, “କିପରି ହେଲା, ମାଝିକୁ ପଚାର ।”

ବାବୁ ପଛେ ପଛେ ଗୁମାସ୍ତାମାନେ ଖାତାପତ୍ର ବାନ୍ଧି ଆପଣା ଆପଣା ଘରକୁ ବାହାରିଲେ । ଶ୍ୟାମ ଦାସ ଗୁମାସ୍ତା ଜ୍ୟୋତିଷଙ୍କୁ ଟିକିଏ ଟାହୁଲି କରି କହିଲେ, “କି ହୋ ଅବଧାନେ! ତୁମ ପାଠ ଛିଡୁ ନାହିଁ ପରା? ଯାଅ, ସ୍ନାନ ପ୍ରକାର କରିପକାଅ, ତେଣିକି ପାଠଟା ପଟକରି ଛିଡିଯିବ ।”

ଶ୍ରୀ ନାୟକେ କହିଲେ, “ଗୁମାସ୍ତାବାବୁ ଆପଣ ଯମା ଖେଷ୍ଟାଙ୍ଗ କରିବେ ନାହିଁ, ଆପଣ ଟିକିଏ ମୋ’ କଥା ଶୁଣନ୍ତୁ । ଏହି ଦେଖନ୍ତୁ ବାବୁଙ୍କର କକଡା ଲଗ୍ନ- ଲଗ୍ନରେ ବୃହସ୍ପତି, ବର୍ତ୍ତମାନ ପୁଣି ବୃହସ୍ପତି ମହାଦଶା ଏବଂ ପଂଚମାଧିପ ଲାଭାଧିକ ଯେ ମଙ୍ଗଳ ତାହାର ହୋଇଛି ଅନ୍ତର । ଆହୁରି ବି ଦେଖିବା ହେଉ, ଘରଆଡେ ଠାକୁରାଣୀଙ୍କର ମେଷ ଲଗ୍ନ- ଦ୍ୱିତୀୟ ଧନ ସ୍ଥାନରେ ଚନ୍ଦ୍ର ଚୁଙ୍ଗୀ, ତାହାର ପୁଣି ମହାଦଶା । କ’ଣ ବୋଲୁଛ ଗୁମାସ୍ତାବାବୁ, ଏ ଅବସ୍ଥାରେ ଆଉ କି ବିପଦ ଘଟିପାରେ? କେଭେଁ ନୁହେଁ- କେଭେଁ ନୁହେଁ, ଜାହାଜ କେଭେଁ ଡୁବିବ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ