ଦିନେ କୃଷ୍ଣ ବଳରାମଙ୍କୁ କହିଲେ, “ଭାଇ, ଦେଖ ଏଇ ଗୋକୁଳ ଗ୍ରାମ ଓ ତା’ ଆଖପାଖର ବନ ଜଙ୍ଗଲ ବୃଷ୍ଟି ବିନା କିପରି ମରୁଭୂମି ତୁଲ୍ୟ ଦେଖା ଯାଉଛି ଏଠି ଆଉ ଆମ ଗାଈମାନେ କ’ଣ ବା ଖାଇବାକୁ ପାଇବେ । ଅଦୂରରେ ଥିବା ସ୍ଥାନର ସୁନ୍ଦର ସ୍ୱଚ୍ଛ ଜଳଧାରା ପୂର୍ଣ୍ଣ ଜମୁନା ନଦୀ ବହି ଯାଉଛି । ତା’ରି କୂଳରେ ବରଂ ଆମ ଗୋପାଳ ସଂପ୍ରଦାୟ ବସତି ସ୍ଥାପନ କରିବା । ସେହି ସ୍ଥାନର ନାମ ବୃନ୍ଦାବନ; ତା’ ନିକଟରେ ଗିରି ଗୋବର୍ଦ୍ଧନ, ଚାରିଦିଗରେ ଘନ ବନ ଜଙ୍ଗଲ । ଚାଲ ଆମେ ଏକଥା ପିତା ନନ୍ଦଙ୍କୁ ଓ ଅନ୍ୟାନ୍ୟ ଗୋପପୁରବାସୀଙ୍କୁ ମଧ୍ୟ କହିବା ।”
ଶ୍ରୀକୃଷ୍ଣଙ୍କ କଥା ସିମସ୍ତିଙ୍କ ମନକୁ ବେଶ୍ ପାଇଲା । ଏପରି ଅଭିନବ ପ୍ରସ୍ତାବ ଶୁଣି ଅନେକେ ଖୁସି ହେଲେ କିନ୍ତୁ ଆଉ କେତେକ ନିଜ ପୁରୁଣା ଗ୍ରାମ ଛାଡି ଯିବାକୁ ଆଦୌ ରାଜି ହେଲେ ନାହିଁ ।
ତେଣୁ ସେମାନଙ୍କୁ ଡରାଇବା ପାଇଁ ଶ୍ରୀକୃଷ୍ଣ ନିଜ ଦେହରୁ ଅନେକ ଭୟଙ୍କର ପଶୁ ସୃଷ୍ଟି କଲେ । ସେମାନଙ୍କର ଆକ୍ରମଣ ଭୟରେ ସମସ୍ତେ ବୃନ୍ଦାବନ ଯିବାକୁ ସ୍ଥିର କଲେ ।
ପ୍ରଥମେ ତ ନନ୍ଦ ଏ ପ୍ରସ୍ତାବରେ ମୋଟେ ସମ୍ମତ ଦେଉ ନଥିଲେ । କାରଣ ଆଗରୁ ଶୁଣାଯାଉଥିଲା ସେହି ପ୍ରଦେଶ ଅନେକ ରାକ୍ଷସଙ୍କ ବାସସ୍ଥଳୀ । ଚପଳମତି ବାଳକ କୃଷ୍ଣ କେବେ ଯେ ସେହି ରାକ୍ଷସମାନଙ୍କର ଆହାର ନ ହେବ ସେକଥା କିଏ କହିବ? କାରଣ ଜନ୍ମରୁହିଁ ସୁନ୍ଦର ବାଳକ କୃଷ୍ଣର ନିଧନ ପାଇଁ ରାକ୍ଷସମାନେ ନାନା ପ୍ରକାର ଛଦ୍ମବେଶରେ ଆସି ଭିନ୍ନ ଭିନ୍ନ ଉପାୟମାନ କରିଛନ୍ତି । ଠିକ୍ ଏହି ସମୟରେ ନାରଦ ଆସି ସେଠାରେ ପହଁଚି ନନ୍ଦଙ୍କୁ କହିଲେ, “ରାଜନ୍, ତମେ ଏ ପ୍ରସ୍ତାବରେ ନିଜର ସମ୍ମତି ଦିଅ । ତମେ କ’ଣ ସେ ରାକ୍ଷସମାନଙ୍କ ପାଇଁ ଭୟ କରୁଛ? କିନ୍ତୁ ତୁମେ କ’ଣ ଏତିକିବି ବୁଝିପାରୁନା ଯେ ସ୍ୱୟଂ ନାରାୟଣ ଶ୍ରୀକୃଷ୍ଣ ରୂପ ନେଇ ଏ ଧରା ଉପରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି? ସେ ତ କେବଳ ରାକ୍ଷମାନଙ୍କୁ ବିନାଶ କରିବା ପାଇଁହିଁ ଏ ଜନ୍ମ ନେଇଛନ୍ତି । ବଳରାମ ହେଲେ ଶେଷନାଗଙ୍କ ଅବତାର । ଏ ଦୁହେଁ ମିଶି ଅନେକ ରାକ୍ଷସ ବଧ କରିବେ । ପିଲାଦିନଠାରୁ କେତେ କେତେ ରାକ୍ଷସ ତାଙ୍କୁ ମାରିବାକୁ ଚେଷ୍ଟା ନ କରିଛନ୍ତି, ହେଲେ ଫଳ କ’ଣ ହୋଇଛି? ତେଣୁ ତମେ ମନରେ କୌଣସି ପ୍ରକାର ସନ୍ଦେହ ବା ଆଶଙ୍କା ନ ରଖି ପୃଥିବୀ ମାତାଙ୍କର କଷ୍ଟ ଦୂର କରିବାକୁ ଯେଉଁ ନାରାୟଣ ଅବତାର ନେଇଛନ୍ତି ସେ ବାଳକ ହେଲେ ମଧ୍ୟ ସର୍ବଦା ତାଙ୍କରି କଥା ମାନି ଚଳ । ତଦ୍ୱାରା ତୁମ ସମସ୍ତିଙ୍କର ମଙ୍ଗଳ ହେବ ।”
ନାରଦ ନନ୍ଦରାଜାଙ୍କୁ ଏସବୁ ବୁଝାଇ ଦେଇ ସେଠାରୁ ଯିବା ପରେ ନନ୍ଦରାଜାଙ୍କ ମନରୁ ସମସ୍ତ ଭ୍ରାନ୍ତି ଦୂର ହେଲା । ସେ ଆନନ୍ଦ ମନରେ ଶ୍ରୀକୃଷ୍ଣଙ୍କ କଥା ଅନୁସାରେ ସବୁକାମ କଲେ । ସେ ସମଗ୍ର ଗୋପପୁରବାସୀଙ୍କୁ ନିର୍ଦ୍ଧେଶ ଦେଇ କହିଲେ କି ଯେତେ ଶୀଘ୍ର ସମ୍ଭବ ସେମାନେ ବୃନ୍ଦାବନକୁ ଯାଇ ସେଠାରେ ବସତି ସ୍ଥାପନ କରିବେ ।
ନନ୍ଦରାଜାଙ୍କ ଆଦେଶ ପାଳନ ହେଲା । ସମସ୍ତେ ବୃନ୍ଦାବନ ଅଭିମୁଖେ ପ୍ରସ୍ଥାନ କଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।