ବେକ ଅଧାରୁ ଲାଖି ଥିବାରୁ ସିଂହ ଛଟପଟ ହେବାରେ ଲାଗିଲା । ଘାତକ ଉଲ୍ଲୁକ ପୁଣି ଥରେ ଚୋଟ ପକାଇବାକୁ ଉଦ୍ୟତ ହେବାରୁ ଜଙ୍ଗଲୀ ଶିକାରୀ ତା’ର ହାତ ଧରି ପକାଇ କହିଲା, “ତୁମର ଖୁବ୍ ସାହସ ଅଛି, ସିଂହ ମରିବାକୁ ବସିଲାଣି । ତା’ ଉପରେ ଆଉ ଚୋଟ ବସାଇ ତା’ର ଚମଡା ନଷ୍ଟ କର ନା । କାହିଁକିନା ମୋତେ ତା’ର ଚମଡା ଦରକାର ।”
ଘାତକ ଉଲ୍ଲୁକ ଜୋର୍ରେ ନିଃଶ୍ୱାସ ପକାଇ କହିଲା, “ଭାଇ, ତୁମ ତୀର ଏକବାରେ ଅବ୍ୟର୍ଥ । ତୁମେ ମୋ ସହିତ ଚନ୍ଦ୍ରଶିଳା ନଗରୀ ଚାଲ । ମୁଁ ରାଜାଙ୍କୁ କହି ତୁମକୁ ସହାୟକ ଘାତକ ଚାକିରୀରେ ରଖାଇ ଦେବି ।”
ଏହା ଶୁଣି ସେ ଜଙ୍ଗଲୀ ଶିକାରୀ ତା’ ମଥା ତଳକୁ କରି କହିଲା, “ମୁଁ ତୁମ ସଙ୍ଗେ ନିଶ୍ଚୟ ରାଜଧାନୀ ଯିବି । ଯଦି ଚାକିରୀ କରିବା କଥା, ତେବେ ତୁମ ପରି ବୀର ପାଖରେ କରିବି ।”
ଘାତକ ଉଲ୍ଲୁକ ଆଉ କିଛି କହିବା ପୂର୍ବରୁ ଉଗ୍ରଦଣ୍ଡ ଅନ୍ୟ ଲୋକମାନଙ୍କୁ ସାଙ୍ଗରେ ଧରି ସେଠାରେ ଆସି ପହଁଚିଲା ଓ କହିଲା, “ବାଃ! ଏବେ ତ ଘାତକ ଉଲ୍ଲୁକକୁ ବଢିଆ ସେବକ ମିଳିଗଲା ।”
ନିଜର ଏପ୍ରକାର ପ୍ରଶଂସା ଶୁଣି ଘାତକ ଉଲ୍ଲୁକ ଖୁବ୍ ଖୁସି ହୋଇଗଲା ଓ ପର୍ଶୁ ଉଠାଇ କହିଲା, “ଆରେ ନାଗମଲ୍ଲ! ତୁମେ ଓ ତୁମ ଅନୁଚର ସାଙ୍ଗ ଏହିକ୍ଷଣି ଯାଇ ମୋ ବାହାନର ବନ୍ଧନ ଖୋଲିଦିଅ ।”
ଚୋରଙ୍କ ସର୍ଦ୍ଦାର ନାଗମଲ୍ଲ କହିଲା “ଉଲ୍ଲୁକ ମହାଶୟ! ତୁମର ଆଜ୍ଞା ଶିରୋଧାର୍ଯ୍ୟ । କିନ୍ତୁ ବନ୍ଧନ ଖୋଲିବା ମାତ୍ରେ ସିଏ ଯଦି ଆମ ଉପରେ ଆକ୍ରମଣ କରେ ତେବେ ସେଥିଲାଗି କେବଳ ତୁମେ ହିଁ ଦାୟୀ ହେବ ।”
“ଏ ତମେ କ’ଣ କହୁଛ! ମୋ ଆଜ୍ଞାକାରୀ ବାହାନ ପୁଣି ମୋ ଅନୁମତି ବିନା ଆଉ କାହାରି କ୍ଷତି କରିବ? ମୋଟେ ନୁହେଁ ।” ଏପରି କହି ସେ ହାତୀ ସମ୍ମୁଖରେ ଯାଇ ପହଁଚିଲା । ଜଙ୍ଗଲୀ ଚୋରମାନେ ହାତୀର ବନ୍ଧନ ଖୋଲିବାପରେ ସେ ଯାଇ ହାତୀ ଉପରେ ବସିଲା ।
କଟାଶୁଣ୍ଢ ହାତୀ ବନ୍ଧନମୁକ୍ତ ହେବାମାତ୍ରେ ଚିତ୍କାର ଛାଡି ଠିଆ ହେଲା । ଘାତକ ଉଲ୍ଲୁକ ଜଙ୍ଗଲୀ ଶିକାରୀକୁ ହାତଠାରି ପାଖକୁ ଡାକି କହିଲା, “ଆରେ ଜଙ୍ଗଲୀ ସେବକ! ତୁମେ ତ ଏହି ଜଙ୍ଗଲର ରାସ୍ତା ସହିତ ଖୁବ୍ ପରିଚିତ ଥିବ । ତେଣୁ ତୁମେ ହାତୀ ଉପରେ ବସି ଚନ୍ଦ୍ରଶିଳା ନଗରୀକୁ ରାସ୍ତା ଦେଖାଇବ ।”
ତା’ପରେ ସେ ରାକ୍ଷସ ଉଗ୍ରଦଣ୍ଡକୁ କହିଲା, “ଶୁଣ, ରାଜା ଦୁର୍ମୁଖକୁ ପଳାୟନ କରିବାକୁ ସୁଯୋଗ ନ ଦେଇ, ମୋ ପଛେ ପଛେ ଆଣିବାର ଦାୟିତ୍ୱ ତୁମର ନୁହେଁ କି?”
ରାକ୍ଷସ ଉଗ୍ରଦଣ୍ଡ ମଥା ହଲାଇ ସ୍ୱୀକୃତି ଜଣାଇଲା ଓ କହିଲା, “ଶୁଣ, ଉଲ୍ଲୁକ ତାନ୍ତ୍ରିକଙ୍କ ପାଖରେ ମୋର ବି ଗୋଟିଏ କାମ ଅଛି । ତୁମେ ହାତୀ ଉପରେ ବସି ଆଗେ ଆଗେ ଚାଲ । ଆମେ ସମସ୍ତେ ତୁମ ପଛେ ପଛେ ଯାଉଛୁ । ଯିଏ ଆମ ସାଙ୍ଗରେ ଯିବାକୁ ନ ଚାହିଁବ, ସିଏ ତା ବାଟରେ ନିଜ ରାଜ୍ୟକୁ ଯାଇପାରେ ।”
ଏପରି କହି ଘାତକ ଉଲ୍ଲୁକ ନିଜ ବାହାନକୁ ଦୌଡାଇଲା ।
ଶୁଣ୍ଢକଟା ହାତୀ ଖୁବ୍ ଜୋର୍ରେ ଧାଇଁଲା । ଫଳରେ ଅନ୍ୟ ଲୋକମାନେ ସାମାନ୍ୟ ଟିକେ ପଛକୁ ରହିଗଲେ । ଏହି ସମୟରେ ବୃକ୍ଷ ଗହଳରୁ ଦୁଇଟି ହାତୀ ଅଚାନକ ବାହାରି ଆସି ଘାତକ ଉଲ୍ଲୁକର ପଥ ରୋକିଲେ ।
ହାତୀ ଦୁଇଟି ଉପରେ ବସିଥିବା ଚାରିଜଣ ସୈନିକ ଚିତ୍କାର କରି ଉଠିଲେ – “ଉଦୟଗିରି ମହାରାଜାଙ୍କର ଜୟ!” ଏପରି ଜୟଜୟକାର କରିବା ସହିତ ସେମାନେ ଘାତକ ଉଲ୍ଲୁକ ଉପରେ ତୀର ବର୍ଷଣ କଲେ । ଏପରି ଏକ ଅଭାବନୀୟ ଘଟଣା ଘଟିବ ବୋଲି ଘାତକ ଉଲ୍ଲୁକ କଦାପି ବି ଆଶା କରିନଥିଲା । ରାଜା ଦୁର୍ମୁଖ ମଧ୍ୟ ଯେ ନିଜର ସୈନିକ ମାନଙ୍କୁ ଦେଖିବ ଏପରି ଆଶା କରୁନଥିଲେ । ସେ ମନରେ ଖୁସି ହୋଇଗଲେ । ମନେ ମନେ ଚିନ୍ତାକଲେ ଈଶ୍ୱର ଚାହିଁଲେ – କେତେ କଥା ଘଟେ । ଘାତକ ସୈନ୍ୟମାନଙ୍କ ତୀର ବର୍ଷଣରୁ ରକ୍ଷା କରିବା ପାଇଁ ପର୍ଶୁ ବୁଲାଇଲା । ସେଥିରେ କିନ୍ତୁ କିଛି ଲାଭ ହେଲା ନାହିଁ ।