ତାନ୍ତ୍ରିକ ଉଲ୍ଲୁକ

ରାକ୍ଷସ ରାଜ କହିଲେ “ମୁଁ ତୁମକୁ ଅଭୟ ଦେଉଛି । ତୁମେ ଆଦୌ ଭୟ କରନି ।”

ଏପରି କହି ରାକ୍ଷସ ଉଗ୍ରଦଣ୍ଡ ରାଜାଙ୍କ ମଥା ସ୍ପର୍ଶ କଲା, ଓ ତା’ପରେ ଘାତକ ଉଲ୍ଲୁକକୁ ସେ କହିଲା, “ଏଇ ରାଜାକୁ ତାନ୍ତ୍ରିକ ଉଲ୍ଲୁକଙ୍କ ସମ୍ମୁଖରେ ହାଜର କରାଇବା ଦାୟିତ୍ୱ ଏବେ ମୋର । ତୁମେ ତୁମର ବାହନ ଶୁଣ୍ଢକଟା ହାତୀ ଉପରେ ବସି ଆଗରେ ଚାଲ । ମୁଁ ରାଜାକୁ ସାଥିରେ ଧରି ପାଦରେ ଚାଲି ଚାଲି ଯାଇ ସେଠାରେ ପହଁଚିବି ।”

“ଉଗ୍ରଦଣ୍ଡ! ତୁମେ ନିଜର ବଚନ ପାଳନ କରିବ ତ? ତେବେ ମୁଁ ଏଇକ୍ଷଣି ମୋର ବାହନକୁ ବନ୍ଧନରୁ ମୁକୁଳେଇ ଏଠାକୁ ନେଇ ଆସୁଛି ।” ଏପରି କହି ଘାତକ ଉଲ୍ଲୁକ ସେଠାରୁ ଯିବାକୁ ବାହାରିଲା ।

ତା’ ପଛେ ପଛେ ଜଙ୍ଗଲୀ ଶିକାରୀ ନିଜ ଧନୁରେ ତୀର ଯୋଖି ବଡ ବଡ ପାହୁଲ ପକାଇ ମାଡିଯାଇ କହିଲା, “ଘାତକ ଉଲ୍ଲୁକ! ତରବର ହୋଇ ଅସାବଧାନ ଭାବେ ହାତୀ ପାଖକୁ ଆଦୌ ଯାଅନା । ତୁମେମାନେ କଥାବାର୍ତ୍ତାରେ ଭୋଳ ହୋଇ ସିଂହର ଗର୍ଜନ ଓ ହାତୀର ଚିତ୍କାର ବୋଧହୁଏ ଶୁଣି ପାରିନ! ସିଂହ ହାତୀର କୁମ୍ଭସ୍ଥଳ ବି ବାରି ସାରିଲାଣି ।”

“ଆଏଁ, ତେବେ ଏପରି କଥା?” ଏହା କହି ଘାତକ ଉଲ୍ଲୁକ ହଠାତ୍ ଚମକି ପଡିଲା । ସେ ଦୌଡି ହାତୀ ପାଖରେ ଯାଇ ପହଁଚିଗଲା । ଗୋଟିଏ ସିଂହ ବନ୍ଧା ହୋଇ ପଡିଥିବା ହାତୀର ମଥାକୁ ତା’ର ପଞ୍ଝାରେ କ୍ଷତାକ୍ତ କରୁଥିଲା । ହାତୀ ଚିତ୍କାର ଛାଡି ନିଜର କଟା ଶୁଣ୍ଢରେ ସିଂହକୁ ଧରିବାକୁ ଓ ନିଜର ବନ୍ଧନ ଫିଟେଇବାକୁ ଚେଷ୍ଟା କରୁଥିଲା ।

ଏହି ଦୃଶ୍ୟ ଦେଖି ଘାତକ ଉଲ୍ଲୁକ ରୁଦ୍ର ରୂପ ଧାରଣ କରି ଚିତ୍କାର କଲା, “ଆରେ! ମୋ ପରି ଲୋକର ବାହାନକୁ ଖାଇବାକୁ ତୁ ବସିଛୁ?” ଘାତକ ଉଲ୍ଲୁକ ପର୍ଶୁ ଉଠାଇ ସିଂହକୁ ଆକ୍ରମଣ କଲା ।

ସିଂହ ମଧ୍ୟ କ୍ରୋଧରେ ଗର୍ଜନ ଛାଡି ଘାତକ ଉଲ୍ଲୁକକୁ ଆକ୍ରମଣ କରିବାକୁ କୁଦା ମାରିଲା । ଘାତକ ସିଂହକୁ ଲକ୍ଷ୍ୟ କରି ନିଜର ପର୍ଶୁ ଫିଙ୍ଗିଲା । କିନ୍ତୁ ତାହା ଲକ୍ଷ୍ୟହୀନ ଭାବେ ସିଂହର ଗୋଟିଏ ପଛଗୋଡରେ ବାଜିଲା ।

ଫଳରେ ସେ ସିଂହଟି ସେହିକ୍ଷଣି ତଳେ ପଡିଗଲା । ମାତ୍ର ପରକ୍ଷଣରେ ଯନ୍ତ୍ରଣା କାତର ହୋଇ ଘାତକକୁ ସେ ପୁନଃ ଆକ୍ରମଣ କଲା । ଏତିକି ବେଳେ ଜଙ୍ଗଲୀ ଶିକାରୀ ସିଂହକୁ ଲକ୍ଷ୍ୟ କରି ତୀର ଚଳାଇଲା ।

ସେହି ତୀର ମାଡରେ ସିଂହ ଗୋଟିଏ ପାଖକୁ ଟଳି ପଡିଲା । ସେ ଭୀଷଣ ଗର୍ଜନ କରି ପୁଣି ଥରେ ଉଠିବାକୁ ଚେଷ୍ଟା କରିବାରୁ ଘାତକ ଉଲ୍ଲୁକ ତା’ର ବେକ ଉପରେ ପର୍ଶୁରେ ଚୋଟ ବସାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ