ତେନାଲୀରାମା ସଂଗେ ସଂଗେ କହିଲେ, “କଣ ରାଜଗୁରୁ ମହାଶୟ! ଏବେ ଆପଣଙ୍କର ମୋର ନାମ ମନେ ପଡିଲା ।”
ରାଜଗୁରୁ କହିଲେ “ମୋର କପଡା…….?”
“କପଡା? କି କପଡା? ମୁଁ ତ’ କିଛି ବି ଜାଣିନାହିଁ ।”
“ତୁମେ ଯାହା କହିବ ମୁଁ ତୁମ କଥାରେ ରାଜି ଅଛି । ଦୟାକରି ମୋର କପଡା କେଉଁଠାରେ ରଖିଛ ମୋତେ
ଦେଇଦିଅ ।”
“ଯାହା କହିବି ତାହା କରିବେ?
“ହଁ ମୁଁ ତାହା କରିବାକୁ ପ୍ରସ୍ତୁତ ଅଛି ।”
“ଆପଣ ମୋତେ କାନ୍ଧରେ ବସାଇ ରାଜପ୍ରାସାଦ ପର୍ଯ୍ୟନ୍ତ ନେବେ । ମୋ କଥାରେ ଆପଣ ରାଜିତ?”
“ଏପରି କଥା ଶୁଣି ଶେଷରେ ରାଜଗୁରୁ ବାଧ୍ୟହୋଇ ହଁ ଭରିଲେ ।
ତାପରେ ସଂଗେ ସଂଗେ ତେନାଲୀରାମା ରାଜଗୁରୁଙ୍କର କପଡା ଗଛ ଉପରୁ ଆଣି ତାଙ୍କୁ ଦେଲେ ।
କପଡା ପିନ୍ଧିସାରି ରାଜଗୁରୁ କରିଥିବା ପ୍ରତିଜ୍ଞା ଅନୁଯାୟୀ ତେନାଲୀରାମାଙ୍କୁ ନିଜ କାନ୍ଧ ଉପରେ ବସାଇ ରାଜନବର ଅଭିମୁଖେ ଚାଲିଲେ । ଯେତେବେଳେ ରାଜଗୁରୁ ନବରରେ ଯାଇ ପହଁଚିଲେ, ଲୋକମାନେ ଏପରି ଏକ ବିଚିତ୍ର ଦୃଶ୍ୟ ଦେଖି ତାଳି ବଜାଇଲେ । ଏହିପରି ଶହ ଶହ ଜନତାଙ୍କର କରତାଳି ରାଜା ଶୁଣିବାକୁ ପାଇଲେ । ତେଣୁ ସଂଗେ ସଂଗେ ରାଜା ନିଜ କକ୍ଷ ତ୍ୟାଗ କରି ବାହାରକୁ ଆସି ରାଜଗୁରୁ ଓ ତେନାଲୀରାମାଙ୍କୁ ଏପରି ଅବସ୍ଥାରେ ଦେଖିଲେ । ରାଜାଙ୍କୁ ଦେଖି ଲଜ୍ଜାରେ ରାଜଗୁରୁ ଆଉ ଉପରକୁ ଚାହିଁ ପାରୁନଥାନ୍ତି ।
ସେତେବେଳେ କାନ୍ଧ ଉପରେ ବସି ତେନାଲୀରାମା ଖାଲି ଜୋର୍ରେ ହସୁଥାଆନ୍ତି । ରାଜଗୁରୁଙ୍କ ପ୍ରତି ଏପରି ଅପମାନ୍ ଦେଖି ହଠାତ୍ ରାଜା ପ୍ରଚଣ୍ଡ ରାଗିଗଲେ । ସଂଗେ ସଂଗେ ଦୁଇଜଣ କର୍ମଚାରୀଙ୍କୁ ରାଜା ଆଦେଶ ଦେଲେ ଯେ – ଅନ୍ୟପଟ ଅଗଣାକୁ ଯାଅ । ସେଠାରେ ଜଣେ ବ୍ୟକ୍ତି ଅନ୍ୟ ଜଣକୁ କାନ୍ଧରେ ବସାଇଛି । ଉପରେ ବସିଥିବା ବ୍ୟକ୍ତି ଜଣକୁ ତଳକୁ ଓହ୍ଲାଇ ଦିଅ ଓ ତାକୁ ଚାବୁକ୍ରେ ଖୁବ୍ ପ୍ରହାର କର ।
ତେନାଲୀରାମା ରାଜା ତାଙ୍କ କର୍ମଚାରୀମାନଙ୍କୁ କ’ଣ ସବୁ କହୁଥିବାର ବି ଦେଖିପାରିଲେ । ସେ ଜାଣିପାରିଲେ ରାଜା ବୋଧହୁଏ ଏହି ସଂପର୍କରେ କିଛି କଥା କର୍ମଚାରୀମାନଙ୍କୁ କହୁଛନ୍ତି । ତେଣୁ ସଂଗେ ସଂଗେ ତେନାଲୀରାମା ରାଜଗୁରୁଙ୍କ କାନ୍ଧରୁ ଡେଇଁପଡି ତଳକୁ ଓହ୍ଲାଇ ଆସିଲେ ।
ତାପରେ ରାଜଗୁରୁଙ୍କ ପାଦତଳେ ପଡିଯାଇ ତେନାଲୀରାମା କହିଲେ, “ରାଜଗୁରୁ ମହାଶୟ, ମୁଁ ଆପଣଙ୍କ ପ୍ରତି ଖୁବ୍ ଅନ୍ୟାୟ କରିଛି । ମୁଁ କ’ଣ କରିଛି ତାହା ମୁଁ ନିଜେ ମଧ୍ୟ ଜାଣିନାହିଁ । ଆପଣଙ୍କ ପରି ମହାପୁରୁଷଙ୍କ ସଂଗେ ପୁଣି ଏପରି ବ୍ୟବହାର । ଦୟାକରି ଆପଣ ମୋତେ କ୍ଷମା କରିଦିଅନ୍ତୁ । ମୋ କର୍ମ ପାଇଁ ମତେ ଥରେ ମାତ୍ର ପ୍ରାୟଶ୍ଚିତ କରିବାକୁ ସୁଯୋଗ ଦିଅନ୍ତୁ । ତେଣୁ ମୁଁ ବର୍ତ୍ତମାନ ମୋ କାନ୍ଧ ଉପରେ ଆପଣଙ୍କୁ ବସାଇ ବୁଲାଇବି ।”