ସାରିପୁର ଗ୍ରାମରେ ଧନଞ୍ଜୟ ନାମକ ଜଣେ ବ୍ୟକ୍ତି ରହୁଥାଏ । ତା’ର ତ ଆଉ ଏ ସଂସାରରେ କେହି ବି ନାହିଁ । ତେଣୁ ସେ ତା’ନିଜ ଖାଦ୍ୟ ନିଜେ ହିଁ ରୋଷେଇ କରେ । ଅଧିକାଂଶ ସମୟରେ ସେ ଦହିଭାତ ମିଶାଇ ଟିକିଏ ବଘାରି ଦିଏ । ତାକୁ ସେ ଖାଦ୍ୟ ଖୁବ୍ ସ୍ୱାଦ ଲାଗେ । ଯିଏ ତା’ର ଦହିଭାତ ଖାଇଛି ସେ ତାକୁ ପ୍ରଶଂସା କରିଛି । ତା’ର ଦହିଭାତରେ ଖ୍ୟାତି ଏତେ ବଢିଲା ଯେ ଲୋକେ ଶେଷରେ ତାକୁ “ଦହିଭାତ ଧନଞ୍ଜୟ” ବୋଲି ଡାକିଲେ ।
ଧନଞ୍ଜୟର ବୟସ ଏବେ ପଚିଶ୍ । ଭଲ ଚାକିରୀଟିଏ ବି ସେ ପାଇଛି । ପାର୍ବତୀ ନାମକ ଝିଅ ସହିତ ତା’ର ବିବାହ ପ୍ରସ୍ତାବ ପଡିଥିଲା ପାର୍ବତୀ ଖୁସି ହୋଇ ତା’ ମା’କୁ କହିଲା “ଏଭଳି ପ୍ରସ୍ତାବ ଆଉ କ’ଣ କେବେ ମିଳିବ? ଶାଶୁଶ୍ୱଶୁରଙ୍କର ତ ଝିଞ୍ଜଟ ନାହିଁ । ପୁଣି ସେ ଦହିଭାତ ନିଜେ ବନାଇ ପକାଉଛି । ରାନ୍ଧିବା କାମ ବି ନାହିଁ । ଏଇଟା ତ ବହୁତ ଭଲ ପ୍ରସ୍ତାବ ।” ଝିଅର କଥା ଶୁଣି ମା’ ହସିଲେ । ତା’ର ପସନ୍ଦ ହେଇଛି ଜାଣି ସେହିଠାରେ ହିଁ ତାକୁ ସେ ବିବାହ ଦେଲେ ।
ବାହାଘର ହେବାର ପରଦିନ ପାର୍ବତୀ ନିଦରୁ ଉଠି ଅତି ପ୍ରେମରେ ତା’ ସ୍ୱାମୀକୁ କହିଲା, “ଆଚ୍ଛା ମୁଁ ତ ଶୁଣିଛି ତୁମ ଦହିଭାତର ଖ୍ୟାତି ଚତୁର୍ଦ୍ଦିଗ ବ୍ୟାପିଛି । ତୁମକୁ ବାହାହେବାରେ ମୋର ତାହାହିଁ ପ୍ରଥମ ଆକର୍ଷଣ । ଆଜି ତାହା ଶୀଘ୍ର ବନାଅ, ଆମେ ଦୁହେଁ ସାଙ୍ଗ ହୋଇ ଖାଇବା ।”
ଧନଞ୍ଜୟକୁ ଏକଥା ଟିକେ ଅଡୁଆ ଲାଗିଲା । ପ୍ରଥମ ଦିନରୁ କ’ଣ କଳି କରିବ ବୋଲି, ଏହା ଭାବି ସେ ଆଉ କିଛି ବି ନ କହି ଚୁପ୍ଚାପ୍ ଦହିଭାତ ବନାଇ ରଖିଦେଲା । ଏଣିକି ପାର୍ବତୀ କିଛି ନା କିଛି ବାହାନା କାଢେ ଆଉ ଧନଞ୍ଜୟଙ୍କୁ ଦହିଭାତ କରିବାକୁ କୁହେ ।
ଦିନେ ସେ ଧନଞ୍ଜୟର ଦେହ ଭାରି ଖରାପ ହେଲା । ତେଣୁ ପାର୍ବତୀ ବାଧ୍ୟହୋଇ ରୋଷେଇ କରିବାକୁ ଗଲା, ଏମିତି ଚାହୁଁ ଚାହୁଁ ମାସେ ବିତିଗଲା; ପାର୍ବତୀର ସ୍ୱଭାବ ଅଳସୁଆ । ଏମିତି ସବୁଦିନେ କରିବାକୁ ତାକୁ ତ ଆଦୌ ଭଲ ଲାଗୁ ନ ଥାଏ । କିଛି ଦିନ ପରେ ସେ ଧନଞ୍ଜୟକୁ କହିଲା, “ମୋର କାହିଁ ଟିକେ ମୋ ବାପ ଘର ଯିବାକୁ ଭାରି ମନ ହେଉଛି, ମୁଁ ଯିବି । ଆସନ୍ତା କାଲି ଫେରି ଆସିବି । ଆଉ ମୋ ସାଙ୍ଗରେ ମା’ ମଧ୍ୟ ଆସିବ; ସେ ଏଠାରେ ଆମ ସହିତ ପ୍ରାୟ ମାସେ ଦେଢମାସ ରହିବ । ହଁ ଆଉ ଗୋଟେ କଥା, ଆମେ କାଲି ଆସିଲା ବେଳକୁ ତୁମେ ଦହିଭାତ କରି ରଖିଥିବ ।”
ଧନଞ୍ଜୟ ସବୁକଥା ଶୁଣିଲା । ପରଦିନ ସେମାନେ ଫେରିବା ବେଳକୁ ଧନଞ୍ଜୟ ଦହିଭାତ ବନାଇ ରଖିଥାଏ । କିନ୍ତୁ ପାର୍ବତୀ ଓ ତା’ର ମା’ ଆସିଲେ ନାହିଁ । ସେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଅଳ୍ପ ଦହିଭାତ ଖାଇ ଶୋଇଗଲା । ଅଳ୍ପସମୟ ପରେ ଜଣେ ଭିକାରୀ ଆସି ଖାଇବାକୁ ମାଗିଲା କିଛିଟା ଦହିଭାତ ନେଇ ଧନଞ୍ଜୟ ତାର ପାତ୍ରରେ ଢାଳିଦେଲା । ମାତ୍ର ଦହିଭାତ ପାଇ ସେ ଭିକାରୀ ଜଣକ ବେଶି ଖୁସି ହେବାର ଲାଗିଲା ନାହିଁ । ସେ କହିଲା, “ବାବୁ ମନେ ହେଉଛି, ତୁମ ଘରେ ତୁମ ସ୍ତ୍ରୀ ନାହାଁନ୍ତି ।”